top of page

ସାରଳା ମହାଭାରତ

Sarala Mahabharata

ଆଦିକବି ସାରଳା ଦାସଙ୍କ ରଚିତ ମହାଭାରତ ଓଡିଶାର ଶ୍ରେଷ୍ଠ ସାରସ୍ୱତ ସମ୍ପଦ। ଏହି ଗ୍ରନ୍ଥର ମୌଳିକତା, ଭାଷା ସଂଭାର ତଥା ଦାର୍ଶନିକ ମୂଲ୍ୟବୋଧ ଓଡିଆ ଭାଷା ସାହିତ୍ୟର ଭିତ୍ତିଭୂମି ସ୍ଥାପନ କରିଥିଲା। ଏଥିରେ ବ୍ୟାସ ମହାଭାରତର ମୂଳ କଥାବସ୍ତୁ ଅକ୍ଷୁଣ୍ଣ ଥିଲେ ମଧ୍ୟ ସାରଳା ଦାସଙ୍କ ନିଜସ୍ୱ ଦୃଷ୍ଟିଭଙ୍ଗୀ, କାହାଣୀରେ ଭିନ୍ନତା ଓ ମୁଖ୍ୟଚରିତ୍ରମାନଙ୍କ ବ୍ୟକ୍ତିତ୍ୱରେ ଅନେକ ପାର୍ଥକ୍ୟ ଦେଖିବାକୁ ମିଳେ। ଶ୍ରୀଯୁକ୍ତ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଦ୍ୱାରା ସଂପାଦିତ ଏବଂ ଓଡିଶା ସରକାରଙ୍କ ସାଂସ୍କୃତିକ ବ୍ୟାପାର ବିଭାଗ ଦ୍ୱାରା ୧୯୬5ରୁ ୧୯୭୩ ମସିହା ମଧ୍ୟରେ ପ୍ରକାଶିତ ସାରଳା ମହାଭାରତ ଅନୁସରଣରେ ସାରଳା ମହାଭାରତର ବିଶେଷ କାହାଣୀ ଗୁଡିକ ଗଦ୍ୟ ରୂପରେ ଓଡିଆ ମାସିକ ପତ୍ରିକା “କଥା”ରେ ଧାରାବାହିକ ରୂପେ ପ୍ରକାଶିତ ହୋଇଅଛି। ସେହି କାହାଣୀ ମଧ୍ୟରୁ କିଛି ନିମ୍ନରେ ଦିଆଗଲା।

ଦେବୀ ଗଙ୍ଗା ଓ ଦୁତୀ ଶିବ ଶାନ୍ତନୁ

ରାଜା ନିର୍ଘାତଙ୍କ ଘରେ ଅନାଦି, ନିରଞ୍ଜନୀ ଗଙ୍ଗା ଜନ୍ମ ନେଲେ। ଦେଖୁ ଦେଖୁ ସେ ତେର ବର୍ଷରେ ଉପନୀତ ହେଲେ। ପିତା ନିର୍ଘାତ ତାଙ୍କୁ କାହାକୁ ବିଭାଦେବେ ଭାବି ଚିନ୍ତାରେ ପଡିଲେ। ସେ ଗଙ୍ଗାଙ୍କ ପାଖରେ ଚିନ୍ତାବ୍ୟକ୍ତ କରିବାରୁ ସେ କହିଲେ, “ପିତା, ମୋର ପ୍ରିୟତମ ହେଉଛନ୍ତି ରୁଦ୍ରଦେବ। ସେ ମୋର ପ୍ରାଣବଲ୍ଲଭ, ସେ ହିଁ ମୋର ଅଳି ଅର୍ଦ୍ଦଳି ସହିପାରିବେ।”

“ଶୁଣ ମା, ରୁଦ୍ରଦେବ ବ୍ରହ୍ମହତ୍ୟା କରି ପାତାଳରେ ଦୋଷୀ ହେଇ ବସିଛନ୍ତି।”

“ଯେପର୍ଯ୍ୟନ୍ତ ମହେଶ୍ୱର ନଆସିବେ, ମୁଁ ସେପର୍ଯ୍ୟନ୍ତ ଅବିବାହିତା ରହିବି।” ଗଙ୍ଗା ପ୍ରତ୍ୟୁତ୍ତର ଦେଲେ।

କୁମାରୀ ଗଙ୍ଗା ସଖୀମାନଙ୍କ ସହ ଖେଳ କୌତୁକରେ ସମୟ ବିତାଇଲେ। ସହସ୍ର ବର୍ଷ ବିତିଗଲା। ଅବିବାହିତା କନ୍ୟାକୁ ଦେଖି ନିର୍ଘାତ ଦୁଃଖରେ କାତର ହେଲେ।

“ତୋର ସ୍ତ୍ରୀ ଜନ୍ମ ନିଷ୍ଫଳ ହେଲା, ମୋତେ ଅପମାନ ଲାଞ୍ଛନା ହେଲା। ତୋ ପାଇଁ ସ୍ୱୟମ୍ବର କରିବି କି?”

“ମହାଦେବଙ୍କ ଛଡା ମୋର ଆଉ କାହା ପାଇଁ ଅଭିପ୍ସା ନାହିଁ।” ଗଙ୍ଗା ପିତାଙ୍କୁ ବୁଝାଇଲେ, “ସେ ମୋର ପ୍ରାଣନାଥ; ଜନ୍ମଜନ୍ମାନ୍ତରେ ମୁଁ ସଦାଶିବଙ୍କର ମନୋହାରିଣୀ।”

“ତୁ ଏମିତି କୁମାରୀ ହେଇ ରହିଲେ ମୁଁ ଦୋଷୀ ହେବି। ଅବିବାହିତ କୁମାରୀ ପିତା ଗୃହରେ ରଜବତୀ ହେଲେ ଏକୋଇଶ ପିତୃପୁରୁଷଙ୍କୁ ଦୁର୍ଗତି ହେବ।”

“ଅନେକ ଯୁଗ ପରେ ବି ମୁଁ ଏମିତି ବାଳିକାଟିଏ ହୋଇ ରହିଥିବି।” ଗଙ୍ଗା ପିତାଙ୍କୁ ଆଶ୍ୱାସନା ଦେଲେ।

ଏହା ଶୁଣି ନିର୍ଘାତ ବହୁତ ଖୁସୀ ହେଲେ।ସତ୍ୟଯୁଗ ଓ ତ୍ରେତୟା ଯୁଗ ଶେଷ ହେଲା। ତଥାପି ଗଙ୍ଗାଙ୍କର ମହାଦେବଙ୍କ ସହ ଭେଟ ହେଲାନାହିଁ। ମହାଦେବ ରାଜା ଶାନ୍ତନୁ ଦିନରାତି ତାଙ୍କ ସେବା କରିଥିବାରୁ ତାଙ୍କୁ ଦୁତୀ ଶିବ ପଦ ଦେଲେ। ଶାନ୍ତନୁ ଜଟାଧାରୀ ଓ ଗୌରବର୍ଣ୍ଣ ହୋଇଥିବାରୁ ବଳଦ ଆରୋହଣ କରି ବୁଲିବା ବେଳେ ତ୍ରିପୁରାରିଙ୍କ ଭଳି ମନେ ହୁଅନ୍ତି। ସେ ଗୋଟେ ହାତରେ ଧନୁ ଓ ଅନ୍ୟ ହାତରେ ତ୍ରିଶୂଳ ଧରି ଶରୀରରେ ଭସ୍ମ ଲେପନ କରି ରୁଦ୍ରାକ୍ଷମାଳା ପିନ୍ଧି ପ୍ରତ୍ୟକ୍ଷ ସଦାନନ୍ଦଙ୍କ ପରି ଦିଶନ୍ତି। ଥରେ ସେ ଏମିତି ବୁଲୁଥିବା ବେଳେ ଗଙ୍ଗା ଗୋଟେ ଅଁଳା ବୃକ୍ଷତଳେ ବସି ଧ୍ୟାନ କରୁଥିଲେ। ଭୋଳମତି ଅବସ୍ଥାରେ ତାଙ୍କ ଧ୍ୟାନ ଭାଙ୍ଗିଗଲା। ଏହା ଦେଖି ପିତା ନିର୍ଘାତ ତାଙ୍କୁ ଶାନ୍ତନୁଙ୍କର ଭାର୍ଯ୍ୟା ହେବାକୁ କହିଲେ। ପିତାଙ୍କ କଥାରେ ସେ ନିର୍ଘାତଙ୍କ ହାତରୁ ଫୁଲମାଳ ନେଇ ଶାନ୍ତନୁଙ୍କ ଗଳାରେ ପିନ୍ଧାଇ ଦେଲେ। ଶାନ୍ତନୁ ବରବେଶ ସାଜିଲେ, ଯୋଗକୁ ସେତେବେଳେ ମହର୍ଷି ଦୁର୍ବାସା ଆସି ପହଞ୍ଚିଲେ। ବିବାହ କାର୍ଯ୍ୟ ଶୁଭାରମ୍ଭ ହେଲା। ପୁରୋହିତ କୁଳ ଗୋତ୍ର ଓ ପିତା ମାତାଙ୍କ ନାମ ପଚାରିଲେ।

ଶାନ୍ତନୁ କହିଲେ—“ମୁଁ ସୋମଗୋତ୍ରୀ, ମୋର ପଣପିତା ରାଜା ଶମ୍ଭୁରାଣ। ଶମ୍ଭୁରାଣଙ୍କ ପୁତ୍ର କୁରୁ, ତାଙ୍କ ପୁତ୍ର ପାର୍ଥୀବ; ମୁଁ ତାଙ୍କ ପୁତ୍ର।”

ଶାନ୍ତନୁଙ୍କ କଥା ଶୁଣି ଗଙ୍ଗା ବିସ୍ମିତ ହେଲେ। ସେ କହିଲେ, “ପିତା, ତୁମେ ମନ୍ଦ କାର୍ଯ୍ୟ କଲ, ଏ ଈଶ୍ୱର ନୁହନ୍ତି କି ବିଶ୍ୱନାଥ ନୁହଁନ୍ତି। ଈଶ୍ୱରଙ୍କର କୁଳ ଗୋତ୍ର ନାହିଁ, ତାଙ୍କର ପିତା, ଅଣ ପିତା ଆଦି କେଉଁଠୁ ଆସିବେ?”

ଏହା କହି ଗଙ୍ଗା ପିତାଙ୍କ କୋଳରୁ ଉଠିଗଲେ। ନିର୍ଘାତ ତାଙ୍କୁ କାହିଁକି ମନା କରୁଛୁ ବୋଲି ପଚାରିଲେ।

“ରୁଦ୍ରଦେବଙ୍କୁ ବରଣ କରିବି ବୋଲି ଦୁଇ ଯୁଗ ଅପେକ୍ଷା କଲି।” ଗଙ୍ଗା କ୍ରୋଧମିଶା ଦୁଃଖ ପ୍ରକାଶ କଲେ।

“ତୁ ମତ ଦେବା ପରେ ଯାଇ ମୁଁ ସତ୍ୟ କଲି; ଏବେ ସତ୍ୟ ଭଙ୍ଗ ଦୋଷ ମୋ ଉପରେ କାହିଁକି ଲଦୁଛୁ?”

ପିତାଙ୍କର ଏ ବଚନ ଶୁଣି ଧବଳାଙ୍ଗୀ ଫେରିଆସି ବସିଲେ। ସେ କହିଲେ—“ଶୁଣ, ଶାନ୍ତନୁ, ତୁମକୁ ମହାଦେବ ମନେକରି ମୁଁ ମତ ଦେଇଥିଲି, ଭୁଲରେ ମୋ ପିତା ସତ୍ୟ କଲେ। ତୁମେ ଟିକେ ବିଚାର କର, ତୁମେ କଣ ମୋ ଅଳି ଅର୍ଦ୍ଦଳି ସହିପାରିବ?”

“ମୁଁ ଜାଣେ ତୁମେ ବଡ ଜଞ୍ଜାଳୀ।” ଶାନ୍ତନୁ କହିଲେ, “ସ୍ୱାମୀ ତା ସ୍ତ୍ରୀର ଅର୍ଦ୍ଦଳି ସହିବନି ତ ଆଉ କିଏ ସହିବ? ଆଉ ସ୍ୱାମୀର ଅର୍ଦ୍ଦଳି ଯଦି ସ୍ତ୍ରୀ ନସହିବ, ପତିପତ୍ନୀଙ୍କର ଗୃହବାସ କେମିତି ସମ୍ଭବ ହେବ?”

“ମହାରାଜ, ମୁଁ ଦ୍ରୋହୀ ପ୍ରକୃତିର ମଣିଷ। ଯେତେ ଦୋଷ କଲେ ବି ଦୋଷ ଧରିବ ନାହିଁ। ମୋତେ ସବୁବେଳେ ଆଦରରେ ଗଙ୍ଗା ବୋଲି ଡାକୁଥିବ, ଗାଙ୍ଗୀ ବୋଲି ମୁହଁରେ ଧରିଲେ ମୁଁ ତୁମ ପାଖରେ ଆଉ ମୂହୁର୍ତ୍ତେ ରହିବି ନାହିଁ।”

“ମୁଁ ସତ୍ୟ କରୁଛି ଗାଙ୍ଗୀ ବୋଲି ଭୁଲରେ ମୁହଁରେ ଧରିବି ନାହିଁ।”

ଏହ ପରେ ନିର୍ଘାତ ଯଥାରୀତି କନ୍ୟାଦାନ କଲେ। ରାତ୍ରି ହେଲାରୁ ମଧୁଶଯ୍ୟା ପ୍ରସ୍ତୁତ କରାଗଲା। ସେମାନେ ପାଞ୍ଚ ସାତ ଦିନ ସେଠି ରହି ବାରୁଣାବନ୍ତ ଗଲେ।

ଦୁହିଁଙ୍କ ମଧ୍ୟରେ ପ୍ରୀତିଭାବ ବଢିଲା, କିନ୍ତୁ ସ୍ୱଭାବତଃ ଗଙ୍ଗା ଚଞ୍ଚଳା, ଦୁଷ୍ଟ ପ୍ରକୃତିର ହୋଇଥିବାରୁ ଶାନ୍ତନୁଙ୍କୁ ହଇରାଣ କରିବା ଆରମ୍ଭ କଲେ। ସେ ବନ୍ଧନ ମୁକ୍ତ ହେବାକୁ ଇଛା କଲେ ଓ ଶାନ୍ତନୁଙ୍କୁ ଦୁଃଖ ଯାତନା ଦେଲେ। ଶାନ୍ତନୁ ବାଆସ୍ତରୀଟି ଉପବାସ ପାଳନ କରୁଥିଲେ, ଗଙ୍ଗା ପ୍ରୀତିମୋହ ଲଗାଇ ସେସବୁକୁ ଛଡାଇଲେ। ନିଜର ଜଞ୍ଜାଳୀ ସ୍ତ୍ରୀ ପାଇଁ ସେ ବ୍ରତ, ରାଜକର୍ମ ଆଦି ଛାଡିଲେ ।

ଗଙ୍ଗା ଶାନ୍ତନୁଙ୍କ କେଶ ଟାଣି ଘୋଷାରି ପକାଇ ତାଙ୍କୁ ପ୍ରବଳ ମାଡ ମାରନ୍ତି। ହାତ ମୁଠାକରି ବିଧା ଗୋଇଠା ମାରି, ନଖ ଦାନ୍ତ ସାହାଯ୍ୟରେ ତାଙ୍କ ଶରୀରକୁ ବିଦାରି ପକାନ୍ତି। ଶାନ୍ତନୁଙ୍କର ପିନ୍ଧାବସ୍ତ୍ରକୁ ଖଣ୍ଡ ଖଣ୍ଡ କରି ଚିରି ପକାଇ ତାଙ୍କର ମାଳି ପୋଥି ଇତ୍ୟାଦିକୁ ବାମ୍ଫି ମଧ୍ୟକୁ ଫୋପାଡି ଦିଅନ୍ତି। ଏମିତି ଭାବେ ସେ ରାଜାଙ୍କୁ ବିମୁଖ କରିବାକୁ ବହୁତ ଚେଷ୍ଟା କଲେ। ଗୃହବାସ ପାଇଁ ଶାନ୍ତନୁ ସବୁ ଦୁଃଖ ସହିଲେ। ଏହା ମଧ୍ୟରେ ଗଙ୍ଗା ଗର୍ଭଧାରଣ କଲେ ଓ ଯଥା ସମୟରେ ପୁତ୍ରଟିଏ ଜନ୍ମ ହେଲା। ଶାନ୍ତନୁ କୋଠରୀ ଭିତରକୁ ପଶୁ ପଶୁ ଦେଖିଲେ ଗଙ୍ଗା ସଦ୍ୟ ଜନ୍ମିତ ଶିଶୁପୁତ୍ରକୁ ଖଣ୍ଡଖଣ୍ଡ କରି ହାଣି ପକାଇଲେ। ନାରାୟଣଙ୍କୁ ସ୍ମରଣ କରି ଶାନ୍ତନୁ ସେ ସ୍ଥାନ ପରିତ୍ୟାଗ କଲେ। ସେ ନିଜକୁ ସାନ୍ତ୍ୱନା ଦେଲେ, ମୁଁ କ୍ରୋଧିତ ହେଲେ ସେ ତତକ୍ଷଣାତ୍ ଘର ଛାଡି ପଳେଇବ, ଘର ଖଣ୍ଡିଏ ଯୋଉ କରିଛି ତାହା ସାଙ୍ଗେ ସାଙ୍ଗେ ଭାଙ୍ଗିଯିବ।

ଏମିତି ଗଙ୍ଗାଙ୍କର ଛଅଟି ପୁତ୍ର ଜାତ ହେଲା ଓ ଶାନ୍ତନୁଙ୍କ ପ୍ରତ୍ୟକ୍ଷରେ ଗଙ୍ଗା ସମସ୍ତଙ୍କୁ ନାଶ କଲେ। ସେ ପୁଣି ଗର୍ଭବତୀ ହେଲେ। ଗଙ୍ଗା ମନେ ମନେ ବିଚାର କଲେ—ମୁଁ  ପିଲାଙ୍କୁ ଜନ୍ମ ଦେଇ ମାରିଲି, ତଥାପି ଏ ଲୋକ ମୋତେ କଡା କଥା କହି ଭର୍ତ୍ସନା କଲା ନାହିଁ। ସେ ଯେଉଁ ପର୍ଯ୍ୟନ୍ତ ମୋତେ ଅନାଦର କରିନାହିଁ, ମୁଁ ତାକୁ ଛାଡି ଯାଇପାରିବି ନାହିଁ। ଏଥର ପିଲାଟି ହେଲେ ତାକୁ ମାରିବି, ଆଉ ନିଜ ମୁହଁ ଖୋଲି ୟାଙ୍କୁ ଉସ୍କେଇବି।

ଏମିତି ସବୁ ବିଚାର କରୁ କରୁ ଦିନ ଗଡିଗଲା ଓ ଦଶମାସ ସଂପୂର୍ଣ୍ଣ ହେଲା। ଅପରୂପ ଶିଶୁ ପୁତ୍ରଟିଏ ଜନ୍ମ ହେଲା।

“ଆସ ରାଜା, ତୁମର ପୁତ୍ରକୁ ଦେଖ।” ଗଙ୍ଗା ଶାନ୍ତନୁଙ୍କୁ ଡାକିଲେ।

“ସେ ତ ମୋତେ ପ୍ରାପ୍ତ ହେବ ନାହିଁ, ଦେଖିକି କି ଲାଭ? ମୋ ଉପରେ ଥିବା କ୍ରୋଧକୁ ଅବୋଧ ଶିଶୁଙ୍କ ଉପରେ କାହିଁକି ଶୁଝାଉଛ?”

“ଆସ ଏଠିକି। ପିତା ପୁତ୍ର ମୁହଁ ଦେଖିଲେ ତାର ଅପୁତ୍ରିକ ଲକ୍ଷଣ ଦୂର ହୁଏ, ସେ ଧର୍ମହାତରୁ ମୁକ୍ତି ପାଏ।”

ଶାନ୍ତନୁ ଅନ୍ତୁଡି ଘରେ ପଶି ଦେଖିଲେ ଗଙ୍ଗା ପୁତ୍ରକୁ କୋଳରେ ଧରି ବସିଛନ୍ତି। ଶାନ୍ତନୁ ପୁତ୍ରକୁ ନିରେଖି ଦେଖିଲେ। ସେତିକି ବେଳେ ଗଙ୍ଗା ଗୋଟେ ଛୋଟ କଟୁରୀ ଆଣି ଶିଶୁକୁ ମାରିବାକୁ ଉଦ୍ୟତ ହେଲାରୁ ତାଙ୍କ ହାତ ଧରିପକେଇ ଶାନ୍ତନୁ କହିଲେ—“ଆଲୋ ଗାଙ୍ଗୀ, ଛଅଟି ପୁତ୍ର ମାରି ତୋ ମନ ପୂରିଲାନି, ତୁ ଯେ କି ନଷ୍ଟପ୍ରକୃତିର ନାରୀ! ଯେତେ ପୋଖତୀ ସ୍ତ୍ରୀ ଏ ସଂସାରରେ ଅଛନ୍ତି, ସମସ୍ତଙ୍କ ଅଭିଶାପ ତୋ ଉପରେ ପଡୁ।” କଟୁରୀ ହାତରୁ ଛଡେଇ ନେଇ ଗଙ୍ଗାଙ୍କୁ ସେ ଚାପୁଡାଟେ ମାରିଲେ ଓ ପୁତ୍ରକୁ ଛଡେଇ ନେଇ ଗଲେ।

“ତୁମେ ନିଜ ସତ୍ୟ ରକ୍ଷା କରିପାରିନ, ମୋତେ ଗାଙ୍ଗୀ ବୋଲି କହିଛ। ଏଇ ପଦକ ଶୁଣିବା ପାଇଁ ମୁଁ ଚାହିଁ ବସିଥିଲି।” ଗଙ୍ଗା ଉଠି ଯିବାକୁ ଉଦ୍ୟତ ହେଲେ।

“ଏ ଯେଉଁ ଶିଶୁକୁ ଜନ୍ମ ଦେଲ, ମାଆ କ୍ଷୀର ନପାଇଲେ ସେ କେମିତି ବଞ୍ଚିବ?”

“ସେ ବଞ୍ଚିଲେ ବଞ୍ଚୁ, ମଲେ ମରୁ।” ଗଙ୍ଗା ଲେଉଟି ଚାହିଁ କହିଲେ।

ଶାନ୍ତନୁ ଗଙ୍ଗାଙ୍କୁ ଧରି ଅଟକାଇବାକୁ ଚେଷ୍ଟା କଲେ ।

“କଥା ଥିଲା, ଗଙ୍ଗା ବୋଇଲେ ଥିବି, ଗାଙ୍ଗୀ ବୋଇଲେ ଯିବି।ଆଜି ତୁମେ ଗାଙ୍ଗୀ କହି ମୋତେ ଭର୍ତ୍ସନା କରିଛ; ମୁଁ ଯାଉଛି। ମୋତେ ତୁମେ ଜୋର କରି ଧରିଥିବାରୁ ମୁଁ ଅଭିଶାପ ଦେଉଛି, ଏ ପୁତ୍ରର ଯେଉଁ ପୁତ୍ର ଜନ୍ମ ହେବ, ତା ହାତରେ ତୁମର ଶିରଚ୍ଛେଦ ହେବ।”

ଭୟରେ ଶାନ୍ତନୁ ଗଙ୍ଗାଙ୍କୁ ଛାଡିଦେଲେ।ଅନାଦି କାତ୍ୟାୟନୀ ଗଙ୍ଗା ଅଦୃଶ୍ୟ ହୋଇଗଲେ।

ଶାନ୍ତନୁ ପୁତ୍ରକୁ ଧରି ବିସ୍ମୟ ମନ ନେଇ ଭାବି ଭାବି ତାର ନାମ ଭୀଷ୍ମ ଦେଲେ। “ବଞ୍ଚିଲେ ବଞ୍ଚୁ, ମଲେ ମରୁ” ମାତା ଗଙ୍ଗା କହିଥିବାରୁ, ଏହା ଭୀଷ୍ମଙ୍କ ପାଇଁ ଇଛା ମୃତ୍ୟୁ ବର ହେଲା।

ଭୀଷ୍ମ ଓ ଅମ୍ବାଙ୍କ ବିବାହ

ପଦ୍ମଦଳ ଦେଶର ନୃପତି ପଦ୍ମନାଭଙ୍କର କନ୍ୟା—ଅମ୍ବା, ଅମ୍ବିକା, ଅମ୍ବାଳିକା। ସେମାନେ ଗନ୍ଧର୍ବ ବିଦ୍ୟା ନିପୁଣା ଓ ସେମାନଙ୍କ ରୂପର ପଟାନ୍ତର ତିନି ଲୋକରେ ନଥିଲା। ଶାନ୍ତନୁଙ୍କର ଅଯୋନୀଜାତ ଦୁଇ ପୁତ୍ର ଚିତ୍ରବୀର୍ଯ୍ୟ ଓ ବିଚିତ୍ରବୀର୍ଯ୍ୟଙ୍କ ସହ ଅମ୍ବିକା ଓ ଅମ୍ବାଳିକାଙ୍କ ବିବାହ ଅନୁଷ୍ଠିତ ହେଲା। ଗଙ୍ଗାଙ୍କର ଅଭିଶାପରୁ ଚିତ୍ରବୀର୍ଯ୍ୟ ଓ ବିଚିତ୍ରବୀର୍ଯ୍ୟ ଅପୁତ୍ରିକ ରହିଲେ। ଶାନ୍ତନୁ ଭୀଷ୍ମଙ୍କୁ ବିବାହ କରି ବଂଶ ରକ୍ଷା କରିବାକୁ କହିଲେ। ତାଙ୍କ ପାଇଁ କନ୍ୟା ଚୟନ କରିବା କଥା ବିଚାର କଲେ।

ଏପଟେ ରାଜା ପଦ୍ମନାଭ ତାଙ୍କର କନ୍ୟା ଅମ୍ବା ନିମନ୍ତେ ସ୍ୱୟମ୍ବର ଆୟୋଜନ କଲେ। ସେହି ସ୍ୱୟମ୍ବର ଉତ୍ସବରେ ଅନେକ ରାଜା ମହାରାଜା ଯୋଗ ଦେଲେ। ପଦ୍ମନାଭ ସମସ୍ତ ରାଜାଙ୍କୁ ଯଥାଚିତ୍ ସମ୍ବର୍ଦ୍ଧନା ଜଣାଇଲେ।ସମସ୍ତେ ସ୍ୱୟମ୍ବର ଆରମ୍ଭ ନିମନ୍ତେ ସମ୍ଭ୍ରମତାର ସହ ଅପେକ୍ଷା କରି ବସି ରହିଲେ।

ଶାନ୍ତନୁଙ୍କ ପାଖରେ ସ୍ୱୟମ୍ବରକୁ ନିମନ୍ତ୍ରଣ ବାର୍ତ୍ତା ନେଇ ଦୂତ ପହଞ୍ଚିଲାରୁ ଭୀଷ୍ମ କହିଲେ, “ରାଜା ପଦ୍ମନାଭ ଏମିତି କାହିଁକି କଲେ? ସେ ତାଙ୍କର ଦୁଇ କନ୍ୟାଙ୍କୁ ମୋର ଦୁଇ ଭ୍ରାତାଙ୍କୁ ବିବାହ ଦେଇଛନ୍ତି। ସେ ଅମ୍ବାକୁ ମୋ ସହ ବିଭା ଦେଇପାରିଥାନ୍ତେ। ମୁଁ ଅମ୍ବାକୁ ନିଜକୁ ପ୍ରଦାନ କରିବାକୁ ପ୍ରସ୍ତୁତ।”

ଏହା ଶୁଣି ଦୂତମାନେ ପଦ୍ମଦଳ ଦେଶକୁ ବାହୁଡି ଗଲେ ଓ ରାଜା ପଦ୍ମନାଭଙ୍କୁ ଭୀଷ୍ମଙ୍କର ପ୍ରସ୍ତାବ କଥା ଜଣାଇଲେ। ଏକଥା ଶୁଣି ରାଜା ଚିନ୍ତିତ ହେଇପଡିଲେ—“ଯେଉଁ ରାଜାମାନଙ୍କୁ ମୁଁ ନିମନ୍ତ୍ରଣ କଲି, ସ୍ୱାଗତ ସମ୍ବର୍ଦ୍ଧନା ଜଣେଇଲି, ସେମାନଙ୍କୁ ମୁଁ କଣ ଉତ୍ତର ଦେବି? ସେମାନେ କଣ ମୋତେ ସହଜରେ ଛାଡିଦେବେ?”

ଅମ୍ବାଙ୍କୁ ସ୍ୱୟମ୍ବର ସ୍ଥାନକୁ ଅଣାଗଲା। ରାଜା ପଦ୍ମନାଭ ତାଙ୍କୁ କହିଲେ—“ଏହି ରାଜାମାନଙ୍କୁ ମୁଁ ତୁମ ସ୍ୱୟମ୍ବର ପାଇଁ ନିମନ୍ତ୍ରଣ କରିଛି। ଯାହାଙ୍କୁ ତୁମର ଇଛା ହେଉଛି, ତୁମେ ତାଙ୍କୁ ବରଣମାଳା ଦେଇ ନିଜର ସ୍ୱାମୀ ଭାବେ ମନୋନୀତ କରିପାର।”

ଏହି ସମୟରେ ଭୀଷ୍ମଙ୍କର ଦୂତ ଭାବେ ସେନାପତି ମନ୍ମଥ ଆସି ପହଞ୍ଚିଲେ। ସେ କହିଲେ—“ମହାରାଜା, ନିଜ କନ୍ୟା ପାଇଁ ଯେତେବେଳେ ସ୍ୱୟମ୍ବର କରୁଛ, କନ୍ୟାଙ୍କୁ ଭୀଷ୍ମଙ୍କୁ ପ୍ରଦାନ କର।”

ପଦ୍ମନାଭ କହିଲେ—“ଭୀଷ୍ମ ମହାକ୍ଷତ୍ରୀୟ; ତାଙ୍କର ଅଭିଳାଷା ଆଗରୁ ଟିକେ ଜାଣି ପାରିଥିଲେ ମୁଁ କାହିଁକି ବୃଥା ସ୍ୱୟମ୍ବର ଆୟୋଜନ କରିଥାନ୍ତି? ଏବେ ଯେହେତୁ ସ୍ୱୟମ୍ବରର ଶୁଭାରମ୍ଭ କରିସାରିଛି, ତାକୁ ମଝିରେ କେମିତି ବନ୍ଦ କରିବି?”

ଏହା ଶୁଣି ମନ୍ମଥ ଉପସ୍ଥିତ ରାଜାମାନଙ୍କୁ କହିଲେ—“ଶୁଣନ୍ତୁ ରାଜାବୃନ୍ଦ, ଅମ୍ବାଙ୍କୁ ଭୀଷ୍ମ ଗ୍ରହଣ କରିବେ ବୋଲି ସ୍ଥିର କରିଛନ୍ତି। ଆପଣମାନେ ଟିକେ ବିଚାର କରନ୍ତୁ। କିଛି କ୍ଷଣ ମଧ୍ୟରେ ଭୀଷ୍ମ ଆସି ଏଠି ପହଞ୍ଚିବେ। ଆପଣମାନେ କଣ ତାଙ୍କ କଥାକୁ ଅବଜ୍ଞା କରିବେ?”

ଉପସ୍ଥିତ ରାଜାଗଣ ମହାବୀର ଭୀଷ୍ମଙ୍କ ଆଗମନ କଥା ବିଚାର କରି ଆସନରୁ ଉଠି ପଡିଲେ। ସେମାନେ କହିଲେ, “ଆମେ ଯେ ଯାହା ଭୁବନକୁ ଫେରିଯାଉଛୁ। ଗାଙ୍ଗେୟଙ୍କୁ ଆମର ପ୍ରବଳ ଭୟ!”

ରାଜା ପଦ୍ମନାଭ ଭୀଷ୍ମଙ୍କୁ ନିଜ କନ୍ୟା ପ୍ରଦାନ କରିବେ ଭାବି ଆହ୍ଲାଦିତ ହେଲେ। ଗଙ୍ଗାଙ୍କର ପୁତ୍ର ତାଙ୍କ ଜ୍ୱାଇଁ ହେଲେ ଏହାଠାରୁ ଭାଗ୍ୟର କଥା କଣ ଥାଇପାରେ ବୋଲି ସେ ଭାବିଲେ। ଅମ୍ବାଙ୍କୁ ଆଦର କରି ସେ କହିଲେ—“ତୁ ମାଆ ପୁଣ୍ୟବତୀ, ଧନ୍ୟ ତୋର ଜୀବନ! ଗଙ୍ଗାଙ୍କର ପୁତ୍ର ଭୀଷ୍ମ ତୁମର ବର ହେବେ। ସେ ଇଛାମୃତ୍ୟୁ ବର ପାଇଛନ୍ତି।”

କୁରୁରାଜା ଶାନ୍ତନୁ ଅମୃତଯୋଗ ପଡୁଥିବା ମକର ଶୁକ୍ଳପକ୍ଷ ସପ୍ତମୀ ଦିନ ଭୀଷ୍ମ ଓ ଅମ୍ବାଙ୍କ ବିବାହ ଅନୁଷ୍ଠାନ ପାଇଁ ଠିକ୍ କଲେ।ଏଥିପାଇଁ ବହୁ ଆଡମ୍ବରରେ ଆୟୋଜନ ଆରମ୍ଭ ହେଲା।ମୁଣ୍ଡରେ ରତ୍ନମଣି ମୁକୁଟ, କଣ୍ଠରେ ରତ୍ନମାଳା ପିନ୍ଧି ବରବେଶରେ ଜାହ୍ନବୀଙ୍କର ପୁତ୍ର ଭୀଷ୍ମ ଖେଳୁଥିବା ସିଂହଟିଏ ପରି ଦିଶୁଥିଲେ। ଶୁଭଯୋଗରେ ଦହିମାଛ ଅନୁକୂଳ କରି ପରିଚାରିକାଗଣ ହୁଳହୁଳି ଧ୍ୱନୀ କଲେ।ଗାଙ୍ଗେୟ ଶାନ୍ତନୁଙ୍କ ପାଖକୁ ଯାଇ ତାଙ୍କୁ ପ୍ରଣାମ କରି ପଦ୍ମଦଳ ରାଜ୍ୟକୁ ଯାତ୍ରା ଆରମ୍ଭ କରିବାକୁ ପ୍ରସ୍ତୁତ ବୋଲି କହିଲେ।

ଏ କଥା ଶୁଣି ଶାନ୍ତନୁ ସ୍ତମ୍ଭୀଭୂତ ହେବାପରି ମନେହେଲେ। ସେ ମୁଣ୍ଡରେ ହାତ ଦେଇ ବସି ରହିଲେ ଓ ତାଙ୍କ ଆଖିରୁ ଅଶ୍ରୁଧାରା ବହି ଚାଲିଲା। ପିତାଙ୍କର ଏ ଅବସ୍ଥା ଦେଖି ଭୀଷ୍ମ ପଚାରିଲେ—“ଏ ଆନନ୍ଦ ଅବସରରେ ଏମିତି ବିଷାଦଗ୍ରସ୍ତ ହେବାର କାରଣ କଣ?”

“ତୁମ ବିବାହ ପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ। କିନ୍ତୁ ଗୋଟେ ପୂର୍ବକଥା ମନେପଡିବାରୁ ମୁଁ ବିଷାଦଗ୍ରସ୍ତ। ମନେ ହେଉଛି ଯେମିତି ମୋର ଗୋଟେ ଚକ୍ଷୁରୁ ଆନନ୍ଦଧାରା ଓ ଅନ୍ୟ ଚକ୍ଷୁଟିରୁ ବିଷାଦଧାରା ପ୍ରବାହିତ ହେଉଛି।”

“କାହିଁକି?”

“ତୁମର ମାତା ଗଙ୍ଗା ତୁମକୁ ମାରିବାକୁ ଉଦ୍ୟତ ହେବାରୁ ମୁଁ ତାଙ୍କୁ ଭର୍ତ୍ସନା କଲି। ସେହି କାରଣରୁ ସେ ମୋତେ ପରିତ୍ୟାଗ କଲେ। ମୁଁ ତାଙ୍କୁ ଧରି ଅଟକେଇବାକୁ ଚେଷ୍ଟା କରିବାରୁ, ସେ ମୋତେ ଅଭିଶାପ ଦେଲେ—ଏ ପୁତ୍ରର ଯେଉଁ ପୁତ୍ର ଜନ୍ମ ନେବ, ସେ ତୁମ ମୃତ୍ୟୁର କାରଣ ହେବ। ବାବୁ, ତୁମେ ବିବାହ କଲେ ତୁମର ନିଶ୍ଚୟ ପୁତ୍ର ହେବ। ତୁମ ମାଆଙ୍କର ଅଭିଶାପ ଅବଶ୍ୟ ଫଳିବ।”

ପିତାଙ୍କର କଥା ଶୁଣି ତେଜୀୟାନ ଭୀଷ୍ମ ସଙ୍ଗେ ସଙ୍ଗେ ମଥାରୁ ମୁକୁଟ ବାହାର କରିଦେଲେ। ବରବେଶ ତ୍ୟାଗ କରି ସେ ମିୟମ୍ରାଣ ହେଇ ବସି ପଡିଲେ। ଚାରିଆଡେ ନିରାଶାଭାବ ଖେଳିଗଲା।

“ବଂଶରକ୍ଷା କରିବାପାଇଁ ପୁତ୍ର ବାଞ୍ଛା କରାଯାଏ,” ଭୀଷ୍ମ କହିଲେ, “ମୋର ପୁତ୍ର ହେଲେ ମୋର ପିତାଙ୍କର ମୃତ୍ୟୁ ହେବ। ତାହେଲେ ଏ ବିବାହ କଲେ ମୋର କି ଧର୍ମ ଉପୁଜିବ? ମୋର ବିଭାହେବାର ପ୍ରୟୋଜନ ନାହିଁ।” ଭୀଷ୍ମ ଶଂଖରେ ଜଳତିଳ ନେଇ ସଂକଳ୍ପ କଲେ—“ମୋର ଯେତେକାଳ ଆୟୁ ଅଛି, ସେ ପର୍ଯ୍ୟନ୍ତ ମୁଁ ଏହି ସତ୍ୟ ପାଳନ କରିବି।” ଏହା କହି ସେ ତ୍ରିବାର ସତ୍ୟ କଲେ—“ମୋର ପୁତ୍ର ଭାର୍ଯ୍ୟା ନହୁଅନ୍ତୁ, ମୋର ପିତା ଶାନ୍ତନୁ ଚିରକାଳ ବଞ୍ଚି ରୁହନ୍ତୁ।”

ପଦ୍ମଦଳ ରାଜ୍ୟରେ ବିବାହ ଅନୁଷ୍ଠାନ ବହୁ ଆଡମ୍ବରେରେ ଆୟୋଜନ କରାଯାଇଥାଏ। ସେଠାରେ ସମସ୍ତେ ପରମ ଉତ୍କଣ୍ଠାରେ ଭୀଷ୍ମଙ୍କୁ ବରବେଶରେ ଦେଖିବାକୁ ଅପେକ୍ଷା କରିଥାନ୍ତି। ଭୀଷ୍ମଙ୍କୁ ପାଛୋଟି ଆଣିବାକୁ ଯେଉଁ ଦୂତ ଯାଇଥିଲେ, ସେମାନଙ୍କଠୁ ପଦ୍ମନାଭ ଖବର ପାଇଲେଯେ ଭୀଷ୍ମ ବରବେଶ ହେଇଥିଲେ, କିନ୍ତୁ ଶେଷ ମୂହୁର୍ତ୍ତରେ ନିଜର ମନ ପରିବର୍ତ୍ତନ କଲେ।

ରାଜା ପଦ୍ମନାଭ ଚାରିଦିନ ଅପେକ୍ଷା କରିବା ପରେ ଭୀଷ୍ମ ବିଭା ନହେବାର ପ୍ରକୃତ କାରଣ ତଦନ୍ତ ପାଇଁ ନିଜ ପୁତ୍ର ଜୌନାଭ ଓ ସୌନାଭଙ୍କୁ ବାରୁଣାବନ୍ତ ପଠାଇଲେ। ସେଠାରେ ପହଞ୍ଚି ସେ ଦୁହେଁ ଶାନ୍ତନୁଙ୍କୁ ପ୍ରଣାମ ଜଣାଇ ଭୀଷ୍ମ କାହିଁକି ବିଭା ହେବା ପାଇଁ ଗଲେ ନାହିଁ ବୋଲି ପଚାରିଲେ। ଶାନ୍ତନୁ ସବୁ କଥା ବିସ୍ତୃତ ଭାବେ କହିଲେ ଓ ସେ ଦୁହିଁଙ୍କୁ ନେଇ ଭୀଷ୍ମଙ୍କ ପାଖକୁ ଗଲେ ଓ ଅମ୍ବାଙ୍କୁ ବିଭା ହେବାକୁ କହିଲେ।

“ସେକଥା ଆଉ କେବେ ବି ସମ୍ଭବ ନୁହେଁ।” ଭୀଷ୍ମ ନିଜ ସିଦ୍ଧାନ୍ତରେ ଅଡି ବସିଲେ।

ଶାନ୍ତନୁ ତାଙ୍କୁ ଅନେକ ପ୍ରକାର ବୁଝେଇବାକୁ ଚେଷ୍ଟା କଲେ, କିନ୍ତୁ ଭୀଷ୍ମ ନାସ୍ତିବାଣୀ ଶୁଣେଇଲେ। ଏହା ଶୁଣି ପଦ୍ମନାଭଙ୍କର ଦୁଇପୁତ୍ର ବାହୁଡି ଗଲେ। ସେମାନେ ପଦ୍ମନାଭଙ୍କୁ ଭୀଷ୍ମ ନିଜ ପିତାଙ୍କ ଜୀବନ ରକ୍ଷା ପାଇଁ ବ୍ରହ୍ମଚର୍ଯ୍ୟ ସଂକଳ୍ପ ନେଇଥିବାର ସମ୍ବାଦ ଜଣାଇଲେ ଏବଂ ଭୀଷ୍ମଙ୍କ ଆଶାରେ ଆଉ ବସି ରହିବା ନିରର୍ଥକ ବୋଲି କହିଲେ।

“ବାବୁ, ନୃପତି ଶାଲ୍ୱ ଅମ୍ବାକୁ ବିବାହ କରିବାପାଇଁ ଚାହୁଁଥିଲେ। ମୁଁ ଅତି ଗର୍ବରେ ତାକୁ ମନାକଲି। ଯେଉଁ ସ୍ୱୟମ୍ବର ଆୟୋଜନ କରିଥିଲି, ଭୀଷ୍ମ ତାକୁ ନଷ୍ଟ କଲା, ଅଥଚ ମୋ କନ୍ୟାକୁ ଗ୍ରହଣ କଲାନାହିଁ।” ରାଜା ପଦ୍ମନାଭ ତାଙ୍କ ମନ୍ତ୍ରୀ ଅଞ୍ଜନସେନଙ୍କୁ ଡାକି କହିଲେ—“ଶାଲ୍ୱଙ୍କୁ ବରଣ କରି ବିବାହ ପ୍ରସ୍ତାବ ଦିଅ।”

ମନ୍ତ୍ରୀବର ରାଜାଙ୍କ ଆଦେଶରେ ଶାଲ୍ୟଙ୍କ ଦେଶକୁ ଗଲେ। ସେଠାରେ ପହଞ୍ଚି ଶାଲ୍ୟଙ୍କୁ ଯଥାମାନ୍ୟ ଜଣାଇ ରାଜା ପଦ୍ମନାଭଙ୍କ ପ୍ରସ୍ତାବ କଥା କହିଲେ। ଏକଥା ଶୁଣି ଶାଲ୍ୟ କହିଲେ—“ତାଙ୍କର କନ୍ୟା ଅମ୍ବା ମୋ ମନର ପ୍ରେୟସୀ, ମୁଁ ତାଙ୍କୁ ଗ୍ରହଣ କରିବାକୁ ରାଜି।”

ମନ୍ତ୍ରୀ ଫେରିଆସି ରାଜା ପଦ୍ମନାଭଙ୍କୁ ସୁଖବର ଦେଲେ। ରାଜା ପୁଣି ଥରେ ବିବାହ ଅନୁଷ୍ଠାନ ଆୟୋଜନରେ ଲାଗିଗଲେ। ଅନେକ ରଥ ସାଙ୍ଗରେ ନେଇ ରାଜା ଶାଲ୍ୱ ବିବାହ ଉପଲକ୍ଷେ ଯାତ୍ରା ଆରମ୍ଭ କଲେ। ବାଟରେ ରାଜା ମହୀଦାସଙ୍କଠାରୁ ସେ ଅମ୍ବାଙ୍କ ସ୍ୱୟମ୍ବର ଓ ଭିଷ୍ମଙ୍କ ଅମ୍ବାଙ୍କୁ ବରଣ କରିବା କଥା ଶୁଣିଲେ। ଏକଥା ଶୁଣି ଶାଲ୍ୟ ଭୀଷ୍ମଙ୍କ ଭୟରେ ଅଧାବାଟରୁ ନିଜ ଦେଶକୁ ବାହୁଡି ଗଲେ। ରାଜା ପଦ୍ମନାଭ ବାଟ ଚାହିଁ ରହିଲେ। ଅନୁକୂଳ ଦିନ ଶେଷ ହେଇ ରାତି ହେଲା। ପଦ୍ମନାଭଙ୍କୁ ଖବର ମିଳିଲା ଭୀଷ୍ମଙ୍କ ଭୟରେ ଶାଲ୍ୱ ଆସିଲେ ନାହିଁ। ଅମ୍ବାଙ୍କର ବିବାହ ବୟସ ହେଇଥିବାରୁ ରାଜା ପଦ୍ମନାଭ ଅନ୍ୟରାଜାମାନଙ୍କୁ ପ୍ରସ୍ତାବ ପଠାଇଲେ, କିନ୍ତୁ ଭୀଷ୍ମଙ୍କ ଭୟରେ କେହି ମଙ୍ଗିଲେ ନାହିଁ।

ଅମ୍ବା ପନ୍ଦର ବର୍ଷରେ ପଦାର୍ପଣ କଲେ। ଆଦ୍ୟ ଯୌବନରେ ଅମ୍ବା ଅସାମାନ୍ୟ ସୁନ୍ଦରୀ ଦିଶୁଥିଲେ। ଯେତେବେଳେ କେହି ତାଙ୍କୁ ଗ୍ରହଣ କରିବାକୁ ରାଜିହେଲେନି, ପିତା ପଦ୍ମନାଭ ତାଙ୍କୁ ନେଇ ବାରୁଣାବନ୍ତ ଗଲେ ଓ ଭୀଷ୍ମଙ୍କ ପାଖରେ ପହଞ୍ଚିଲେ।

“ମୋ କନ୍ୟା ତୁମର କଣ କ୍ଷତି କରିଥିଲା? ତାକୁ ମୁଁ ତୁମ ପାଖକୁ ଆଣିଛି, ତୁମେ ସମ୍ଭାଳ।”

“ମୁଁ ତୁମ କନ୍ୟାକୁ ବରଣ କରିଥିଲି ସତ, କିନ୍ତୁ ତାକୁ ଉପେକ୍ଷା କରି କଣ ଆଉ କାହାକୁ ବିବାହ କଲି? ମୋର ପିତାଙ୍କ ଜୀବନ ରକ୍ଷା ପାଇଁ ମୁଁ ବିବାହ ନକରିବାର ସଂକଳ୍ପ କଲି। ତୁମେ ତାକୁ ଅନ୍ୟ କାହାକୁ ବିଭା ଦେଇପାର।”

“ମୁଁ ଅନେକ ରାଜାଙ୍କୁ ଖବର ପଠେଇଲି, କିନ୍ତୁ ତୁମ ଭୟରେ କେହି ମୋର ପ୍ରସ୍ତାବ ଗ୍ରହଣ କଲେ ନାହିଁ।”

ଶାନ୍ତନୁ, ପାରେଶ୍ୱର ଆଦି ଭୀଷ୍ମଙ୍କୁ ବୁଝେଇବାକୁ ଚେଷ୍ଟା କଲେ, କିନ୍ତୁ ସେ ନିଜ ପ୍ରତିଜ୍ଞାରେ ଦୃଢ ରହିଲେ।

“ସଂସାର ସତ୍ୟକୁ ନେଇ ତିଷ୍ଠିଛି, ସତ୍ୟରୁ ଦୂର ହେଲେ ପ୍ରାଣୀର ନର୍କଗତି ହୁଏ। ଆପଣମାନେ ମୋ ସତ୍ୟ ସଂକଳ୍ପକୁ ଅକାରଣେ କାହିଁକି ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି?”

ପଦ୍ମନାଭ ଦେଖିଲେ ଭୀଷ୍ମ ସମସ୍ତଙ୍କର କଥାକୁ ଅଗ୍ରାହ୍ୟ କଲେ; ସେ ଉଦାସ ହେଇଗଲେ। ସେ ଅମ୍ବାକୁ କହିଲେ—“ତୁ ମୋର ପ୍ରାସାଦକୁ ଫେରି କଣ କରିବୁ? ବରଂ ଏଠି ରହି ଭୀଷ୍ମଙ୍କର ସେବା କର, ସେ ତୋତେ ମାରୁ ଧରୁ ଯାହା କରୁ ଏଇଠି ପଡିକି ଥା। ତାଙ୍କର ସେବା କରୁ କରୁ କାଳେ ତୋ ପ୍ରତି ତାଙ୍କ ମନରେ ଦୟା ଉଦ୍ରେକ ହେବ!”

ଏହା କହି ରାଜା ପଦ୍ମନାଭ ନିଜ ରାଜ୍ୟକୁ ଫେରିଗଲେ।

ଯୌବନବତୀ, ରୂପବତୀ, ତୈଲକ୍ୟମୋହିନୀ ଅମ୍ବା ଭୀଷ୍ମଙ୍କ ମହଲରେ ଦିନରାତି ଖଟିଲେ। ଏମିତି କିଛି ଦିନ ବିତିଗଲା। ତାଙ୍କୁ ଦେଖି ଭୀଷ୍ମ ନିଜର ମନ ବିଚଳିତ ହେଉଥିବା କଥା ଅନୁଭବ କଲେ। ଦିନେ କ୍ରୋଧରେ ଅମ୍ବାଙ୍କ କେଶ ଧରି ଘୋଷାଡି ତାକୁ ନିଜ ପ୍ରାସାଦରୁ ବାହାର କରିଦେଲେ।

“ଗାଙ୍ଗେୟ, ମୋର ବିନତୀ ଟିକେ ଶୁଣ। ମୋ ଜୀବନ ନଷ୍ଟ କଲେ ତୁମର କି ଧର୍ମ ହେବ?”

ଏହା ଶୁଣି ଭୀଷ୍ମ କହିଲେ—“ତୋତେ ଦେଖିଲେ ମୋ ମନରେ ଶଙ୍କା ପଶୁଛି। ଏ ରାଜ୍ୟ ଛାଡି ତୁ କୁଆଡେ ପଳେଇଯା।”

ଅମ୍ବା ଭୀଷ୍ମଙ୍କୁ ବହୁ ପ୍ରକାର ଭର୍ତ୍ସନା କଲେ, କିନ୍ତୁ ତାଙ୍କ ମନ ପରିବର୍ତ୍ତନ କରିବାରେ ଅସଫଳ ହେଲେ। ସେଠୁ ଅମ୍ବା ପର୍ଶୁରାମଙ୍କ ପାଖରେ ଯାଇ କାନ୍ଦି ଗୁହାରୀ କଲେ। ପର୍ଶୁରାମ କହିଲେ—“ତୁମେ ଅପରୂପା ସୁନ୍ଦରୀ, ତୁମର ରୂପ ଗୁଣ ଦେବତାଙ୍କୁ ଅଗୋଚର, ତୁମକୁ କେଉଁ ପାମର ଉପେକ୍ଷା କଲା?”

“ଭୀଷ୍ମ ମୋତେ ବିଭା ହେବେ କହି ବିବାହ କଲେ ନାହିଁ। ହେ ତପସ୍ୱୀ, ତୁମେ ମୋତେ ତାଙ୍କୁ ଦାନ କର।”

ପର୍ଶୁରାମ ନିଜର ଦୁଇ ଶିଷ୍ୟଙ୍କୁ ଆଦେଶ ଦେଲେ—“ଅମ୍ବାକୁ ନେଇ ବାରୁଣାବନ୍ତପୁର ଯାଅ ଓ ତାଙ୍କୁ ଭୀଷ୍ମଙ୍କୁ ସମର୍ପଣ କରିଆସ।”

ଭୀଷ୍ମଙ୍କୁ ବୁଝେଇବାରେ ବିଫଳ ହେଇ ସେମାନେ ପର୍ଶୁରାମଙ୍କ ପାଖକୁ ଫେରିଲେ। ଭୀଷ୍ମ ତାଙ୍କ କଥା ଅମାନ୍ୟ କରିଥିବାରୁ କ୍ରୋଧାନ୍ୱିତ ହେଇ ପର୍ଶୁରାମ ଧାଇଁବା ଆରମ୍ଭ କଲେ। ଯୁବତୀ ଅମ୍ବା ବିକଳରେ ପଛରେ ଗୋଡେଇଥାନ୍ତି। କାଳାନଳ ମୂର୍ତ୍ତି ହେଇ ପର୍ଶୁରାମ ଭୀଷ୍ମଙ୍କ ଭବନ ପାଖରେ ପହଞ୍ଚି ଗର୍ଜନ କଲେ, “ଭୀଷ୍ମ, ତୋର କି ଦର୍ପ, ତୁ ମୋ କଥା ଅମାନ୍ୟ କଲୁ? ତୁ ଏ କନ୍ୟାକୁ ବରଣ କରି ବିବାହ କଲୁ ନାହିଁ?”

ପାରେଶ୍ୱର ଭୀଷ୍ମଙ୍କୁ କହିଲେ—“ପର୍ଶୁରାମ ଯୁଗାନ୍ତର ନାଥ, ଦୁତୀ ଯମ ଅଟନ୍ତି। ତାଙ୍କ ସହ ବିବାଦ କରନା, ତୋର ଶିରଚ୍ଛେଦ ହେବ। କଥା ମାନେ, ଅମ୍ବାକୁ ଗ୍ରହଣ କର।”

“ତାହା କେମିତି କରିବି? ସ୍ତ୍ରୀ ପାଇଁ ପିତାଙ୍କର ପ୍ରାଣ ନାଶ କରିବି?”

“ତୁ ତାକୁ ବିବାହ କର, ଆତ୍ମନିୟନ୍ତ୍ରଣ କରି ପିଲାପିଲି କରନା।”

“ଏକଥା କଣ ସମ୍ଭବ!” ଭୀଷ୍ମ ଶାସ୍ତ୍ରରୁ ଉଦାହରଣ ଦେଇ ନିଜ ସପକ୍ଷରେ ଅକାଟ୍ୟ ଯୁକ୍ତି ବାଢିଲେ।

“ଏଇ ଛାର ଅମ୍ବା ପାଇଁ ଆମ ଭିତରେ କାହିଁକି ଦ୍ୱନ୍ଦ୍ୱ ଉପୁଜାଇବା?” ଭୀଷ୍ମ ପର୍ଶୁରାମଙ୍କୁ କହିଲେ।

ଭୀଷ୍ମଙ୍କ ମୁହଁରୁ ଏ କଥା ଶୁଣି ମହାବୀର ପର୍ଶୁରାମ କ୍ରୋଧରେ ଭୀଷ୍ମଙ୍କ ଆଡକୁ ଖେଦି ଆସି ତାଙ୍କୁ ନିର୍ଘାତିଆ ମାରିଲେ। ଭୀଷ୍ମ ପର୍ଶୁରାମଙ୍କୁ ତଳେ ପକେଇ ମାଡି ବସି ବଜ୍ର ପରି ମୁଥା ମାରିଲେ। ପର୍ଶୁରାମଙ୍କ ନାକରୁ ରକ୍ତ ବହିବାକୁ ଆରମ୍ଭ କଲା। ଶାନ୍ତନୁ ଧାଇଁ ଆସିଲେ—“ରହ, ରହ, ବାବୁ ଭୀଷ୍ମ, ଦୁଇ ଭାଇଙ୍କ ମଧ୍ୟରେ କାହିଁକି ଏମିତି ମରାମରି ହେଉଛ?”

ପରାସ୍ତ ହେବା ଲଜ୍ଜାରେ ପର୍ଶୁରାମ ସେ ସ୍ଥାନ ଛାଡି ଚାଲିଗଲେ।

ସବୁ ଚେଷ୍ଟାରେ ବିଫଳହେଇ ଅମ୍ବା ପ୍ରୟାଗ ତୀର୍ଥକୁ ଯାତ୍ରା କଲେ। ତ୍ରିବେଣୀରେ ସ୍ନାନ କରି ମାଧବଙ୍କୁ ପୂଜା କଲେ ଓ ପ୍ରାର୍ଥନା କଲେ—“ହେ ମାଧବ, ତୁମେ ସାକ୍ଷୀ ରହିଲ, ଭୀଷ୍ମଙ୍କ ଯୋଗୁ ମୁଁ କି ପ୍ରକାର ଯାତନା ସହିଲି। ମୁଁ ଯେମିତି ପରଜନ୍ମରେ ଭୀଷ୍ମଙ୍କ ମୃତ୍ୟୁର କାରଣ ହୁଏ।”

ଏହା କହି ସେ ସେ ନିଜ ଦେହରେ ଅଗ୍ନି ଲଗାଇଲେ ଓ ତତକ୍ଷଣାତ୍ ଜଳିଗଲେ।

ବ୍ୟାସଙ୍କ ଜନ୍ମ

ଚିତ୍ରବୀର୍ଯ୍ୟ ଓ ବିଚିତ୍ରବୀର୍ଯ୍ୟ ଦୁହେଁ ମୁନି ପାରେଶ୍ୱରଙ୍କ ଆଶ୍ରମରେ ସତ୍ୟବତୀଙ୍କ ଲାଳନପାଳନରେ ବଢିଥିଲେ। ସେ ଦୁହେଁ ଥିଲେ ଶାନ୍ତନୁଙ୍କର ଅଯୋନୀଜାତ ପୁତ୍ର। ଗଙ୍ଗାଙ୍କ ଭୟରେ ଶାନ୍ତନୁ ସେମାନଙ୍କୁ ପାରେଶ୍ୱର ଓ ସତ୍ୟବତୀଙ୍କ ଆଶ୍ରମରେ ନେଇ ଛାଡିଦେଇଥିଲେ। ଥରେ ମକର ମାସ କୃଷ୍ଣ ତିଥି ପ୍ରତିପଦ ସୋମବାର ଅଶ୍ଳେଷା ନକ୍ଷତ୍ର ଦିନ ଶାନ୍ତନୁ ଗଙ୍ଗାଙ୍କୁ ସାଙ୍ଗରେ ନେଇ ସମୁଦ୍ର ସ୍ନାନରେ ଯାଇଥିଲେ। ସଂଯୋଗବଶତଃ ପାରେଶ୍ୱର ଓ ସତ୍ୟବତୀ ଚିତ୍ରବୀର୍ଯ୍ୟ ଏବଂ ବିଚିତ୍ରବୀର୍ଯ୍ୟଙ୍କୁ ନେଇ ମହୋଦଧୀ ସ୍ନାନରେ ଯାଇଥିଲେ। ଚନ୍ଦ୍ରଭାଗାରେ ଦୁଇ ବାଳକଙ୍କୁ ଘେନି ଋଷି ସ୍ନାନ କରୁଥିଲା ବେଳେ ଶାନ୍ତନୁ ଓ ଗଙ୍ଗା ସେଠାରେ ପହଞ୍ଚିଲେ। ଜଳଉଦ୍ୟାନରୁ ଦୁଇ କୁମାର ବାହାରି “ପିତା” “ପିତା” କହି ଶାନ୍ତନୁଙ୍କ ପାଦ ଛୁଇଁ ପ୍ରଣାମ କଲେ।

ଏହା ଦେଖି ଗଙ୍ଗା ବିଷାଦଗ୍ରସ୍ତ ହେଲେ। ସେ ଶାନ୍ତନୁଙ୍କୁ ପଚାରିଲେ, "ଏ ଦୁହେଁ କାହାର ତନୟ? ସେମାନେ ତ ତୁମ ଭଳି ଦିଶୁଛନ୍ତି।”

ଗଙ୍ଗା ସତକଥା ଜାଣିଲେ କାଳେ ସେ ପୁତ୍ର ଦୁହିଁଙ୍କୁ ମାରିଦେବେ ଆଶଙ୍କା କରି ଶାନ୍ତନୁ ଭୟରେ ଏମାନେ ମୋ ପୁତ୍ର ନୁହନ୍ତି ବୋଲି କହିଲେ।

“ଏ ଦୁଇ ଜଣ ତୁମର ହିଁ ପୁତ୍ର।” ଗଙ୍ଗା ରାଗରେ କହିଲେ।

“ଏହା କିପରି ସମ୍ଭବ ହେବ? ତୁମ ଛଡା ମୋର ଆଉ କେହି ଭାର୍ଯ୍ୟା ନାହାନ୍ତି!”

ଗଙ୍ଗା ଭୂତ ଭବିଷ୍ୟତ ଜାଣିପାରନ୍ତି। ସେ ଉତ୍ତ୍ୟକ୍ତ ହେଇ କହିଲେ, “ତୁମେ ମୋତେ ଏ କଥା ଲୁଚେଇଲ, ଏ ଦୁଇ ପୁତ୍ର ଅପୁତ୍ରିକ ହୋଇ ମରନ୍ତୁ।”

ଗଙ୍ଗାଙ୍କ ଅଭିଶାପରୁ ଚିତ୍ରବୀର୍ଯ୍ୟ ଓ ବିଚିତ୍ରବୀର୍ଯ୍ୟ ଅପୁତ୍ରିକ ହେଇ ମୃତ୍ୟୁବରଣ କଲାପରେ ବଂଶରକ୍ଷା ପାଇଁ ପାରେଶ୍ୱରଙ୍କ ପରାମର୍ଶାନୁସାରେ ସତ୍ୟବତୀ ଅମ୍ବିକା ଓ ଅମ୍ବାଳିକାଙ୍କୁ ନିୟୋଗ ଓ ସନ୍ତାନ ଧର୍ମ କଥା କହିଲେ। ସେ ନିଜ ଜୀବନ କାହାଣୀ ସେମାନଙ୍କ ଆଗରେ ବର୍ଣ୍ଣନା କଲେ।

“ନୀଳା ଓ କମଳା ବୋଲି ଦୁଇ ଭଉଣୀ ଥିଲେ, ସେମାନେ ହେଲେ ଦାସରାଜାଙ୍କର ପାଟରାଣୀ। ଦାସରାଜା ଦଶ ସହସ୍ର ବର୍ଷ ପର୍ଯ୍ୟନ୍ତ ରାଜ୍ୟ ଶାସନ କଲେ, କିନ୍ତୁ ତାଙ୍କର କୌଣସି ପିଲାପିଲି ହେଲେ ନାହିଁ। ରାଜାଙ୍କ ବୀର୍ଯ୍ୟରୁ ସନ୍ତାନ ସମ୍ଭବ ନହେଲାରୁ ତାଙ୍କ ଦୁଇ ରାଣୀ ଅନ୍ୟ ପୁରୁଷସଙ୍ଗ କଲେ। ଏହାର ଫଳ ସ୍ୱରୂପ ମୁଁ ଜନ୍ମ ନେଲି।

ମୋତେ ବାର ବର୍ଷ ହେଇଥିବା ବେଳେ, ମୋର ପିତା ମୋତେ ଯମୁନା ନଦୀ କୂଳରେ ଛାଡି ଆସିଲେ। ସେ କହିଲେ, “ତୁ ନାଆରେ ଦୁଇ କୂଳର ଲୋକଙ୍କୁ ପାରି କରୁଥିବୁ। କେହି କିଛି ଧନକଉଡି ଯାଚିଲେ ଗ୍ରହଣ କରିବୁ ନାହିଁ, ଖୁସୀରେ ସମସ୍ତଙ୍କୁ ଘାଟ ପାର କରିଦେବୁ।”

ପିତାଙ୍କ ଆଜ୍ଞାରେ ମୁଁ ସମସ୍ତଙ୍କୁ ବିନା ପାରିଶ୍ରମିକରେ ଖୁସୀରେ ଘାଟ ପାର କରିଦିଏ। ମୋର ଜନ୍ମ ବୃତ୍ତାନ୍ତ ଜାଣି ମୋତେ କେହି ବିଭା ହେବାକୁ ପ୍ରସ୍ତୁତ ହେଲେ ନାହିଁ। ମୋର ପିତା ମଧ୍ୟ ମୋ ପାଇଁ କୌଣସି ବରଙ୍କୁ ବରଣ କଲେ ନାହିଁ। ମୁଁ ନୌକା ନେଇ ଦିନରାତି ବସି ଥାଏ, ଯେଉଁମାନେ ନଈ ପାର ହେବାକୁ ଆସନ୍ତି, ସେମାନଙ୍କୁ ପାର କରିଦିଏ। ଦିନେ ମୁନି ପାରେଶ୍ୱର ଆସି ନାଆରେ ବସିଲେ। ସେ କହିଲେ, “ମୁଁ ତପନିଷ୍ଠ, ଆଉ କାହାକୁ ଏ ନାଆରେ ମୋ ସହ ବସିବାକୁ ଦିଅନା।”

“ଏ ନାଆରେ ପଚାଶ ଜଣ ବସନ୍ତି, ତୁମେ ଏକା ବସିଲେ କେମିତି ତାର ଭାରସାମ୍ୟ ରହିବ?”

ପାରେଶ୍ୱର କହିଲେ, “ଆମ୍ଭେ ତପସ୍ୱୀ ଲୋକ, ତୁମେ ଯଦି ଏକୁଟିଆ ମୋତେ ପାର କରେଇଦେବ, ତାହେଲେ ମୁଁ ବସିବି, ନହେଲେ ମୁଁ ଓହ୍ଲେଇଯାଉଛି।”

“ବସ ମହାଋଷି” କହିକି ମୁଁ ଅନ୍ୟ ଯାତ୍ରୀମାନଙ୍କୁ ନାଆରୁ ବାହାର କରିଦେଲି ଓ ପାରେଶ୍ୱରଙ୍କୁ ବସେଇ ନାଆ ବାହିଲି। ଆମେ ମଝି ନଈରେ ପହଞ୍ଚିଲୁ। ମଝି ନଈରେ ନାଆ ଚକ୍କର କାଟିଲା। କାତ ମାରି ମାରି ମୁଁ ଝାଳନାଳ ହେଲି।

ସେ କହିଲେ, “ଏତେ ଜୋର ଜୋରରେ କାହିଁକି ନାଆ ବାହୁଛୁ?”

“ଋଷି ହେ, ଦୁଇ ବର୍ଷ ହେଲା ମୁଁ ନାଆ ଚଲଉଛି, କୌଣସି ଦିନ ତ ଏମିତି ହେଇନି! ତୁମେ ହିଁ କିଛି ମନ୍ତ୍ର କରିଛ, ନହେଲେ ଏ ନଈ କଣ ମୋତେ ଏମିତି ଲୋଭ କଲା? ତୁମକୁ ଯଦି ଅସୁବିଧା ହେଉଛି, ତୁମେ ନଈକୁ ଡେଇଁପଡ।”

ପାରେଶ୍ୱର କହିଲେ, “ତୁ ନାଆ ବାହି ନପାରି ମୋତେ ଅପବାଦ ଦେଇ କହୁଛୁ କଣ ନା ମୁଁ ନଈକୁ ଡେଇଁପଡେ!”

“ଗଙ୍ଗା ଯଦି ମୋତେ କଷଣ ଦେଉଛି, ତାହେଲେ ମୁଁ ଏ ନଈକୁ ଡେଇଁ ପଡୁଛି—ହେ ଗଙ୍ଗା, ମୋତେ ଭୋଗ୍ୟ କର, ମୁଁ ରାଜକୁମାରୀ, ଏ କାମକୁ ପାରିଲିନି।” ଏତିକି କହି ମୁଁ ଜଳକୁ ଡେଇଁବାକୁ ବାହାରିବାରୁ ମୁନି ପାରେଶ୍ୱର ମୋତେ ଧରି ପକେଇଲେ। ସେ କହିଲେ, “ମୁଁ ମାୟା କରି ଏ ପ୍ରକାର କାଣ୍ଡ ଭିଆଇଲି। ତୁ ଏବେ ମୋର ବାସନାକୁ ତୃପ୍ତ କର।”

ଆମ ମିଳନରୁ ତୈତିଳ କରଣ ଭୃଗୁବାର ଶୁଭଯୋଗ, ମେଷ ସଂକ୍ରାନ୍ତି ସାତଦିନ ଭୋଗ, ନବମ ଘରେ ଚନ୍ଦ୍ର, ଏକାଦଶରେ ବୃହଷ୍ପତି, ଅମୃତବେଳା ମାହେନ୍ଦ୍ର ଯୋଗରେ ପୁତ୍ରସନ୍ତାନଟିଏ ଜନ୍ମ ନେଲା। ସେ ଅତି ସୁନ୍ଦର ଓ କୃଷ୍ଣବର୍ଣ୍ଣ ଥିଲା। ପୁତ୍ର ସନ୍ତାନକୁ ପାରେଶ୍ୱର ମହାଋଷି କୋଳ କରି ଧରିଲେ, ମାହେନ୍ଦ୍ରବେଳାରେ ରୋହିଣୀ ବୃଷ ରାଶିରେ ସେ ଜନ୍ମ ହେଇଥିଲା। ଶିଶୁ ପୁତ୍ରଟିର ରୋଦନ ବେଦଧ୍ୱନୀ ପରି ଶୁଣାଯାଉଥିଲା। ମହାଋଷି ତା ନାମ ବ୍ୟାସ ରଖିଲେ।

ଧୃତରାଷ୍ଟ୍ର ଓ ପଣ୍ଡୁ

ସତ୍ୟବତୀଙ୍କ ପରାମର୍ଶାନୁସାରେ ଅମ୍ବିକା ଓ ଅମ୍ବାଳିକା ନିୟୋଗ ପାଇଁ ନିଜକୁ ପ୍ରସ୍ତୁତ କଲେ। ବ୍ୟାସଙ୍କ ଔରସରେ ଅମ୍ବିକାଙ୍କ ଗର୍ଭରୁ ଧୃତରାଷ୍ଟ୍ର ଜନ୍ମ ନେଲେ। ପୁତ୍ର ପ୍ରସବ କରି ଅମ୍ବିକାଙ୍କର ମୃତ୍ୟୁ ଘଟିଲା। ଧୃତରାଷ୍ଟ୍ର ଜନ୍ମାନ୍ଧ ହେବାରୁ ଆନନ୍ଦ ଉତ୍ସବ ମଧ୍ୟରେ ବିଷାଦର ଛାୟା ଖେଳିଗଲା।

ସତ୍ୟବତୀ ବ୍ୟାସଙ୍କ ନିକଟରେ ନିଜର ଦୁଃଖ ବ୍ୟକ୍ତ କଲେ ଓ ସୁସ୍ଥ ସୁନ୍ଦର ଶିଶୁର କାମନା ଜଣାଇଲେ। ବ୍ୟାସ ଅମ୍ବାଳିକାଙ୍କ ସହ ମିଳିତ ହେଲେ ଓ ତାଙ୍କ ଔରସରେ ଅମ୍ବାଳିକାଙ୍କ ଗର୍ଭରୁ ପଣ୍ଡୁଙ୍କର ଜନ୍ମ ହେଲା। ସତ୍ୟବତୀଙ୍କ  ଅନୁରୋଧରେ ଅମ୍ବୁବତୀ ନାମକ ଶୂଦ୍ର କନ୍ୟାଙ୍କ  ସହ ବ୍ୟାସଙ୍କ ସଙ୍ଗମରୁ ବିଦୁର ଜନ୍ମ ନେଲେ। ନିଜର ମନୋବାଞ୍ଛା ପୂରଣ ହେଇଥିବାରୁ ସତ୍ୟବତୀ ଶିବଙ୍କୁ ସ୍ତୁତି କଲେ। ପୁତ୍ର ସନ୍ତାନ ଜାତ କରି ଅମ୍ବାଳିକା ପ୍ରୟାଗକୁ ଯାତ୍ରା କରି ନିଜ ସ୍ୱାମୀଙ୍କୁ ସୁମରଣ କରି ଜୀବନ ତ୍ୟାଗ କଲେ।

ସତ୍ୟବତୀଙ୍କ ଯତ୍ନରେ ଧୃତରାଷ୍ଟ୍ର ଓ ପଣ୍ଡୁ ଦୁଇ ରାଜକୁମାର ବଡ ହେଲେ। ଯଥା ସମୟରେ ସେମାନେ ଗୁରୁ ଲୋକେଶ୍ୱରଙ୍କ ନିକଟରେ ବିଦ୍ୟାରମ୍ଭ କଲେ। ଯୌବନରେ ପଦାର୍ପଣ କରିବାରୁ ଧୃତରାଷ୍ଟ୍ରଙ୍କ ନିମନ୍ତେ କନ୍ୟା ଖୋଜାହେଲା। ତାଙ୍କର ଜନ୍ମ କୋଷ୍ଠିରେ ବ୍ରହ୍ମାସୁର ଯୋଗ ଥିବାରୁ ଯେଉଁ ଜାଗାରେ ବିବାହ ପ୍ରସ୍ତାବ ପଡିଲା, ସେଠି ରାଜକନ୍ୟାଙ୍କର ମୃତ୍ୟୁ ହେଲା। ବ୍ୟାସ ଗାନ୍ଧାରଦେଶର ରାଜା ଗାନ୍ଧାରସେନଙ୍କର କନ୍ୟା ଗାନ୍ଧାରୀ ସହ ଧୃତରାଷ୍ଟ୍ରଙ୍କ ବିବାହ ପ୍ରସ୍ତାବ ଦେଲେ। ଗାନ୍ଧାରୀ ଅମାବାସ୍ୟା ତିଥି ଓ ବ୍ରହ୍ମାସୁରୀ ଯୋଗରେ ଜନ୍ମ ହେଇଥିବାରୁ ଧୃତରାଷ୍ଟ୍ର ଓ ତାଙ୍କର ବିବାହ ଯୋଗ ସମ୍ଭବ ହେଲା।

ପଣ୍ଡୁଙ୍କର ବିବାହ ସିଦ୍ଧପୁର ନଗରର ରାଜା କୁନ୍ତଭୋଜଙ୍କ କନ୍ୟା କୁନ୍ତୀଙ୍କ ସହ ସ୍ଥିର ହେଲା। କୁନ୍ତୀଙ୍କ ସେବାରେ ପ୍ରସନ୍ନ ହେଇ ମହର୍ଷି ଦୁର୍ବାସା ତାଙ୍କୁ ବର ପ୍ରଦାନ କରିଥିଲେ। କୁମାରୀ ବୟସରେ କୌତୂହଳୀ ହେଇ କୁନ୍ତୀ ଦୁର୍ବାସାଙ୍କ ପ୍ରଦତ୍ତ ଜପାମାଳି ନେଇ ମନ୍ତ୍ର ଜପି ସୂର୍ଯ୍ୟଙ୍କୁ ସ୍ମରଣ କରିଥିଲେ। ମନ୍ତ୍ର ପ୍ରଭାବରେ ସୂର୍ଯ୍ୟ ତାଙ୍କ ସହ ଶୃଙ୍ଗାର ରଚିଥିଲେ ଓ ସୂର୍ଯ୍ୟଙ୍କ ଔରସରୁ କୁନ୍ତୀଙ୍କୁ ପୁତ୍ର କର୍ଣ୍ଣ ପ୍ରାପ୍ତ ହେଇଥିଲେ।କୁନ୍ତୀ ଭୟରେ ନବଜାତ ଶିଶୁଟିକୁ ଗୋଟିଏ ମଞ୍ଜୁଷରେ ରଖି ଯମୁନା ନଦୀରେ ଭସାଇ ଦେଇଥିଲେ। ପଣ୍ଡୁ ଓ କୁନ୍ତୀଙ୍କର ବିବାହ ବହୁ ଆଡମ୍ବରରେ ପାଳିତ ହେଲା। ପଣ୍ଡୁ ଭୀଷ୍ମଙ୍କଠାରୁ ଅନେକ ବିଦ୍ୟା ଆହରଣ କଲେ ଓ ରାଜ୍ୟ ସୁଚାରୁ ରୂପେ ପାଳନ କରି ତ୍ରୈଲକ୍ୟବିଦିତ ହେଲେ। ସେ ଧାର୍ମିକ, ବିବେକବନ୍ତ, ଦୟାଳୁ ଓ ମହାବୀର ଥିଲେ। ତାଙ୍କର ଖ୍ୟାତି ଦଶ ଦିଗକୁ ବ୍ୟାପି ଗଲା। ନବଦ୍ୱୀପ ସପ୍ତ ସାଗରରେ ଯେତେ ରାଜା ଥିଲେ ସମସ୍ତେ ସୋମବଂଶ ନୃପତି ପଣ୍ଡୁଙ୍କୁ ସମ୍ମାନ କରୁଥିଲେ। ବାରୁଣାବନ୍ତ ଦେଶ ସ୍ୱର୍ଗତୁଲ୍ୟ ମନେ ହେଉଥିଲା।

ଧୃତରାଷ୍ଟ୍ର ହସ୍ତିନା ଭୁବନରେ ରହିଲେ। ପଣ୍ଡୁରାଜା ଭୂରିସ୍ରବାଙ୍କୁ ଇନ୍ଦ୍ରପ୍ରସ୍ଥ ଦାୟିତ୍ୱ ଦେଲେ। ଭୀଷ୍ମ ଯମପ୍ରସ୍ଥ ଓ ବିଦୁର ବାରୁଣାବନ୍ତ ରାଜ୍ୟ କାର୍ଯ୍ୟ ପରିଚାଳନାରେ ରହିଲେ। ପଣ୍ଡୁ ସୋଦର ମାନଙ୍କୁ ସମ୍ଭାଳି ଦିଗବିଜୟ କଲେ; ସେ ତପୀଜନଙ୍କୁ ରକ୍ଷା କଲେ ଓ ଶତ୍ରୁଙ୍କ ଦର୍ପ ନାଶ କଲେ। ଦୈତ ଦାନବଙ୍କର ଉପଦ୍ରବ ତ୍ରିଭୁବନରେ ରହିଲା ନାହିଁ। ପ୍ରଜାମାନେ ସୁଖରେ ଦିନ କାଟିଲେ ଓ ସମସ୍ତେ ପଣ୍ଡୁଙ୍କୁ ଧନ୍ୟ ଧନ୍ୟ କଲେ।

ଦିନେ ପଣ୍ଡୁ  ହସ୍ତିନାକୁ ଗଲେ ଓ ଧୃତରାଷ୍ଟ୍ରଙ୍କୁ ଦର୍ଶନ କରିବାକୁ ତାଙ୍କ କୋଠରୀ ଆଡକୁ ଅଗ୍ରସର ହେଲେ। ସେ ବାହାରୁ ଶୁଣିଲେ, ଧୃତରାଷ୍ଟ୍ର ଗାନ୍ଧାରୀଙ୍କୁ କହୁଥାନ୍ତି, “ମୋତେ ମୁନି ବ୍ୟାସ କାହିଁକି ଏମିତି ଅନ୍ଧ କରି ଜନ୍ମ ଦେଲେ?”

ପଣ୍ଡୁ କଥା ଶୁଣିବାକୁ ଧୀରେ ସେଠି ଠିଆହେଇ ରହିଲେ।

“ସ୍ୱାମୀ, ତୁମେ ମନ ଏତେ ବିରସ କାହିଁକି କରୁଛ?”

“ଶୁଣ, ଗାନ୍ଧାରୀ, ମୁଁ ଜ୍ୟେଷ୍ଠ କୁରୁ, ପଣ୍ଡୁ ଅନୁଜ, କିନ୍ତୁ ପୃଥିବୀରେ ପଣ୍ଡୁର ପରାକ୍ରମ, ଖ୍ୟାତି ପ୍ରକାଶ ପାଇଲା। ଏମିତି ତା କୃପାରେ ରହିବା ଅପେକ୍ଷା ମୋତେ ମରଣ କାହିଁକି ହେଉନି? ଗୋଟେ ଭଲ ଦିନ ଠିକ୍ କରି ଚାଲ ପ୍ରୟାଗ ତୀର୍ଥ ଯିବା ଓ ତ୍ରିବେଣୀ ସଂଗମରେ ଝାସ ଦେବା। ମୁଁ ରାଜା କୂଳରେ ଜନ୍ମ ହେଇ ଯେତେବେଳେ ପର ଦୟାରେ ବଞ୍ଚିବାକୁ ହୁଏ, ରାଜା ହୋଇ ସଂଗ୍ରାମକୁ ଭୟ କରେ, ଆଉ ଏଠି ରହିବାର ପ୍ରୟୋଜନ କଣ?”

“ଯାହା କପାଳ ନିହିତ ତାହା କି ଅନ୍ୟଥା ହେବ? ତୁମେ ଏମିତି କଥା କାହିଁକି କହୁଛ?” ଗାନ୍ଧାରୀ ତାଙ୍କୁ ବହୁ ଭାବରେ ବୁଝାଇବାକୁ ଚେଷ୍ଟା କଲେ, “ମନରୁ ଲୋଭ, ମୋହ, କାମ, କ୍ରୋଧ, ଅଂହକାର, ହିଂସା ଦୂର କରି ନିଷ୍କଳଙ୍କ ଚିତ୍ତବୁଦ୍ଧି କର।”

କିନ୍ତୁ ଧୃତରାଷ୍ଟ୍ରଙ୍କ ମନ ବୁଝିଲା ନାହିଁ। ଏମିତି କଥୋପକଥନକୁ ପଣ୍ଡୁରାଜା ତୁନୀ ହୋଇ ଶୁଣୁଥିଲେ। ସେ ଧୃତରାଷ୍ଟ୍ରଙ୍କ କୋଠରୀରେ ପ୍ରବେଶ କଲେ ଓ ଧୃତରାଷ୍ଟ୍ରଙ୍କୁ ପ୍ରଣାମ କଲେ।

“ଶୁଣ, କୁରୁପତି,” ପଣ୍ଡୁ ଧୃତରାଷ୍ଟ୍ରଙ୍କୁ କହିଲେ, “ତୁମକୁ ମୁଁ କେବେ ଅସମ୍ମାନ କରିଛି କି? ସର୍ବଦା ମୁଁ ତୁମକୁ ଭକ୍ତି କରିଛି। ତୁମେ ମନରେ ମୋ ପ୍ରତି ପାପ ରଖିଲ। ମୋର ସମୃଦ୍ଧି ଦେଖି ଆନନ୍ଦିତ ହେଲନି, ସାବତ ସଂପଦ ବୋଲି କହିଲ।”

ରାଜା ପଣ୍ଡୁ ଭୀଷ୍ମ, ଭୂରିସ୍ରବା ଆଦିଙ୍କୁ ଡାକି ସଂକଳ୍ପ କଲେ, “ଆଜିଠୁ ମୁଁ ନିୟମ କଲି; ଧୃତରାଷ୍ଟ୍ରଙ୍କୁ ସମସ୍ତ ଦଣ୍ଡ ରାଜ୍ୟଧର୍ମ ସମର୍ପଣ କଲି। ଧୃତରାଷ୍ଟ୍ର ପଞ୍ଚୁ କଟକର ଏକମାତ୍ର ଅଧିକାରୀ; ସଂସାର ପାଳନ କରି ବସୁନ୍ଧରାକୁ ଭୋଗ କରନ୍ତୁ। ମୁଁ ପଞ୍ଚୁ କଟକରେ ଭ୍ରମଣ କରି ଦୁଷ୍ଟ, ଚୋର, ଦାନବଙ୍କୁ ମାରିବି ଓ ବଣରେ ବାସ କରିବି। ମହାରାଜା ଧୃତରାଷ୍ତ୍ରଙ୍କ ଆଜ୍ଞା ମୋ ପାଇଁ ଶିରୋଧାର୍ଯ୍ୟ।”

ଧୃତରାଷ୍ଟ୍ରଙ୍କୁ ରାଜ୍ୟ ଦେଇ ପଣ୍ଡୁ କୁନ୍ତୀଙ୍କୁ ନେଇ ରାଜ୍ୟରୁ ବାହାରି ଗଲେ ଓ ଗହନ ବନରେ ବିହାର କଲେ ଓ ଶତଶୃଙ୍ଗ ପର୍ବତରେ ଯାଇ ରହିଲେ। ସେଠି ସେ ମାଦ୍ରୀଙ୍କୁ ବିବାହ କଲେ। ଦୁଇ ଭାର୍ଯ୍ୟାଙ୍କୁ ନେଇ ସେ ବଣରେ ବିହାର କଲେ।

ଯମପ୍ରସ୍ଥ, ଇନ୍ଦ୍ରପ୍ରସ୍ଥ, ହସ୍ତିନାପୁର, ବାରୁଣାବନ୍ତ, ଜୟନ୍ତା—ଏହି ପାଞ୍ଚ ରାଇଜକୁ ନେଇ ପଞ୍ଚୁ କଟକ। ପଣ୍ଡୁ ଏସବୁ ରାଜ୍ୟ ବୁଲି କରି ଦୁଷ୍ଟ ଦାନବଙ୍କ ଉପଦ୍ରବରୁ ପ୍ରଜାଙ୍କୁ ରକ୍ଷା କଲେ। ଏମିତି ବଣରେ ବୁଲି ଶିକାର କଲା ବେଳେ ଦିନେ ସେ ମହାଋଷି ଅଗ୍ନିକାରଙ୍କ ଦ୍ୱାରା ଶାପଗ୍ରସ୍ତ ହେଲେ। ମହାଋଷି ଅଗ୍ନିକାରଙ୍କୁ ଶୃଙ୍ଗାର ବେଳରେ ମାରିଥିବାରୁ ସେ ପଣ୍ଡୁଙ୍କୁ ସ୍ତ୍ରୀସଙ୍ଗ କଲେ ତାଙ୍କର ପ୍ରାଣହାନୀ ହେବ ବୋଲି ଅଭିଶାପ ଦେଲେ।

ପଣ୍ଡୁ କୁନ୍ତୀଙ୍କୁ ସେ ଅଜାଣତରେ ବ୍ରହ୍ମହତ୍ୟା କରିବା କଥା ଓ କିପରି ଅଗ୍ନିକାରଙ୍କୁ ଶୃଙ୍ଗାର କାଳରେ ମାରି ତାଙ୍କର ଶାପଗ୍ରସ୍ତ ହେଲେ ସେ କଥା କହିଲେ। ବ୍ୟାସଙ୍କୁ  ମଧ୍ୟ ପଣ୍ଡୁ ଏକଥା କହିଲେ। ବ୍ୟାସ ତାଙ୍କୁ କୁନ୍ତୀ ଦୁର୍ଭାସାଙ୍କର ମହାମନ୍ତ୍ର ପାଇଥିବା କଥା କହିଲେ ଓ କୁନ୍ତୀ ନିଜ ବୁଦ୍ଧି ଅନୁସାରେ ସନ୍ତାନ ଜାତ କରିପାରିବେ ବୋଲି ଉପଦେଶ ଦେଲେ। ମୁନି ଅଗସ୍ତି ଆସି ନିୟୋଗ ପ୍ରଣାଳୀରେ ପୁତ୍ର ସନ୍ତାନ ଜାତ କରିବାକୁ କହିଲେ। କୁନ୍ତୀ ଦୁର୍ବାସାଙ୍କର ଜପାମାଳି ସାହାଯ୍ୟରେ ପ୍ରଥମେ ଧର୍ମ ଦେବତାଙ୍କୁ ସ୍ମରଣ କଲେ ଓ ତାଙ୍କ ଔରସରେ ଯୁଝେଷ୍ଠି ଜନ୍ମ ନେଲେ।

ହସ୍ତିନାରେ ଦୁର୍ବାସାଙ୍କ ଆଶୀର୍ବାଦରେ ଗାନ୍ଧାରୀ ଶତ ପୁତ୍ରର ଜନନୀ ହେଲେ। ଦୁର୍ବାସାଙ୍କ ଆଶୀର୍ବାଦରୁ ହେଇଥିବାରୁ ସେମାନଙ୍କ ନାମ “ଦୁ”ରୁ ଆରମ୍ଭ ହେଲା। ପ୍ରଥମ ସନ୍ତାନଟି ବଂଶ ଶେଷ ହେବାର କାରଣ ହେବ ବୋଲି କହି ବିଦୁର ତାକୁ ମାରିଦେବାକୁ କହିଲେ। କିନ୍ତୁ ଧୃତରାଷ୍ଟ୍ର ଓ ଗାନ୍ଧାରୀ ଏହି ପ୍ରସ୍ତାବରେ ରାଜି ହେଲେ ନାହିଁ। ସେହି ଶତ ପୁତ୍ର ସମସ୍ତେ ଦୁଷ୍ଟ ପ୍ରକୃତିର ହେବେ ବୋଲି ବିଦୁର ଭବିଷ୍ୟ ବାଣୀ କଲେ। ଗାନ୍ଧାରୀ ପୁଣି ଦୁର୍ବାସାଙ୍କର ଆଶ୍ରୟ ନେଲେ। ଭାଦ୍ରବ ଶୁକ୍ଳପକ୍ଷ ଅଷ୍ଟମୀ ଦିନ ମହାଋଷି ଦୁର୍ବାସା ହସ୍ତିନାରେ ପହଞ୍ଚିଲେ। ଗାନ୍ଧାରୀ ଯମୁନା ନଦୀରେ ସ୍ନାନ କରି ତାଙ୍କୁ ପ୍ରଣାମ କଲେ ଓ ଦୁର୍ବାସା ତାଙ୍କୁ କଣ ଆଶିଷ ବାଞ୍ଛା କରୁଛୁ ବୋଲି ପଚାରିଲେ।

ଗାନ୍ଧାରୀ କହିଲେ, “ତୁମେ ପ୍ରତକ୍ଷ୍ୟ ବ୍ରହ୍ମଜ୍ଞାନୀ, କୁନ୍ତୀଙ୍କର କେଉଁ ଲକ୍ଷଣ ପାଇଁ ତା ଉପରେ ପ୍ରସନ୍ନ ହେଲ?”

“ତୋର ଯାହା ଇଛା ତୋତେ ତାହା ପ୍ରାପ୍ତ ହେବ। ମହାମନ୍ତ୍ର ଆମେ କାହାକୁ ଯାଚିକି ଦେଇପାରିବୁନି। ତୁମର କଣ ଇଛା, ତୁମେ ମାଗ।”

“ମୁନି ହେ, ତୁମର ମନ୍ତ୍ର ବଳରେ ମୁଁ ଶତପୁତ୍ରର ଜନନୀ ହେଲି।”

ପୁତ୍ରଙ୍କୁ କୋଳରେ ଧରି ତପନିଷ୍ଠ ବ୍ୟାସ କହିଲେ, “ତୋର କେହି ପୁତ୍ର ସୁପୁତ୍ର ନୁହନ୍ତି। ସମସ୍ତେ ମହାଦୁଷ୍ଟ। କିଛି ବିଚାର ନକରି ତୁ ବାଞ୍ଛା କଲୁ, ରାଜ୍ୟ ଶାସନ ପାଇଁ କେହି କାମକୁ ହେବେନାହିଁ।”

ଗାନ୍ଧାରୀ ବିନତୀ କଲେ, “ଆପଣ ଅନୁଗ୍ରହ କରି ମୋତେ ଗୋଟେ ସୁପୁତ୍ର ଦିଅନ୍ତୁ ଯିଏ ବଂଶର ସମ୍ମାନ ରଖିବ। ଆଉ ମୋତେ ଗୋଟେ କନ୍ୟାର ମାତା ହେବାର ଆଶୀର୍ବାଦ ଦିଅନ୍ତୁ। ମୋର ଭକ୍ତି ଗ୍ରହଣ କରି ମୋ ଉପରେ ସଦୟ ହୁଅନ୍ତୁ।”

ଦୁର୍ବାସା ଗୋଟେ ତୁଳସୀ ଗଛରୁ ଗୋଟିଏ ପତ୍ର ଓ ଗୋଟିଏ ଫୁଲ ତୋଳିଲେ। ସେ କହିଲେ, “ତୁ ଏହାକୁ ଖାଇଲେ ଗୋଟେ ପଣ୍ତିତ ପୁତ୍ର ଓ ଗୋଟେ ସୁନ୍ଦରୀ ସୁକୁମାରୀ କନ୍ୟା ତୋତେ ପ୍ରାପ୍ତ ହେବ।” ସେ ତୁଳସୀ ପତ୍ର ଓ ଫୁଲ ଗାନ୍ଧାରୀ ହାତରେ ଦେଇ କମଣ୍ଡଳୁରୁ ଜଳ ଦେଲେ। ଗାନ୍ଧାରୀ ତାକୁ ଗର୍ଭସ୍ଥ କଲେ। ଋଷିଙ୍କର ମହାମନ୍ତ୍ର ଅନ୍ୟଥା ହୁଏ ନାହିଁ; ଗାନ୍ଧାରୀଙ୍କ ଗର୍ଭଭାରି ହେଲା।

ଗାନ୍ଧାରୀ ଧୃତରାଷ୍ଟ୍ରଙ୍କୁ କହିଲେ, “ଦୁର୍ଭାସା ମୋତେ ଦୟା କଲେ, ଋଷିଙ୍କର ମନ୍ତ୍ର ବଳରେ ପୁତ୍ର ଓ କନ୍ୟା ମୋ ଗର୍ଭରେ ରହିଲେ।”

ଧୃତରାଷ୍ତ୍ର କହିଲେ, “ଆମର କୁଟୁମ୍ବ ଅପାର, ବହୁତ କଷ୍ଟ।”

“ସେମାନେ ସମସ୍ତେ ମହାଦୁଷ୍ଟ, ଏ ପୁତ୍ରଟି ପରମ ପଣ୍ଡିତ ହେବ,” ଗାନ୍ଧାରୀ କହିଲେ।

ଧନୁ ଶୁକ୍ଳପକ୍ଷ ତ୍ରୟୋଦଶୀ, ଶନିବାର ମୃଗଶିରା ନକ୍ଷତ୍ର ମିଥୁନ ରାଶିରେ ମଧ୍ୟାହ୍ନରେ ଶୁଭଲଗ୍ନରେ ପୁତ୍ରଟିଏ ଜନ୍ମ ନେଲା। ଗାନ୍ଧାରୀ ଦେଖିଲେ, ଶିଶୁପୁତ୍ରଟି ବତିଶଗୁଣରେ ସୁସଞ୍ଚ। ସେ ତାର ନାମ ଦୁର୍ଦଷ ରଖିଲେ। ତା ପଛେ ପଛେ ଝିଅଟିଏ ଜନ୍ମ ନେଲା, ତାର ସୌନ୍ଦର୍ଯ୍ୟ ଦେଖି ଗାନ୍ଧାରୀ ତା ନାମ ଦୁଃଶଳା ରଖିଲେ। ଦୁର୍ଦଷ ଓ ଦୁଃଶଳାଙ୍କ ଜନ୍ମ ଫଳରେ ଗାନ୍ଧାରୀ ବହୁତ ଖୁସୀ ହେଲେ। ଦୁର୍ବାସାଙ୍କ ଆଶୀର୍ବାଦରୁ ସନ୍ତାନ ହେଇଥିବାରୁ ସମସ୍ତଙ୍କ ନାମ “ଦୁ” ରୁ ଆରମ୍ଭ ହେଲା।

ମାଦ୍ରୀଙ୍କ ପୁତ୍ର ନକୁଳ

ଦୁର୍ବାସାଙ୍କ ଜପାମାଳି ସାହାଯ୍ୟରେ କୁନ୍ତୀ ପୁଣି ପବନ ଦେବ ଓ ଇନ୍ଦ୍ର ଦେବଙ୍କୁ ସ୍ମରଣ କରି ସେମାନଙ୍କ ସହ ଶୃଙ୍ଗାର ରଚିବା ଫଳରେ ଭୀମ ଓ ଅର୍ଜୁନଙ୍କୁ ଜନ୍ମ ଦେଲେ। ତାଙ୍କର ତିନି ପୁତ୍ର ହେବା ପରେ କୁନ୍ତୀ ବିଚାର କଲେ ସେ ଆଉ ପରପୁରୁଷଙ୍କ ସହ ସଙ୍ଗମ ଚାହୁଁ ନାହାନ୍ତି।

ସେ ମାଦ୍ରୀଙ୍କୁ ପାଖରେ ବସେଇ କହିଲେ—“ମାଦ୍ରୀ, ତୁ ମୋର ସଉତୁଣୀ, ଭୃତ୍ୟର ଭୃତ୍ୟ ପରି ତୁ ମୋର ସେବା କରିଛୁ। ତୁ ମୋର ଅଭିନ୍ନ ପ୍ରାଣର ସଂଘାତୁଣୀ। ମୋର ସେବା କରି ତୁ କଣ ଅପୁତ୍ରିକ ରହିବୁ?”

କୁନ୍ତୀ ମାଦ୍ରୀଙ୍କୁ ନିଜର ଜପାମାଳି ଦେଲେ ଓ ଯାହାକୁ ଇଛା ତାଙ୍କୁ ସୁମରଣ କରିବାକୁ କହିଲେ। ସେ ନିଜେ ଶଯ୍ୟା ସଜାଡି ମାଦ୍ରୀଙ୍କୁ ସେଠାରେ ବସେଇଲେ। ମାଦ୍ରୀଙ୍କର ମାତା ହେଲେ ମଳୟ ବସନ୍ତ ଅପସରା। ବାସବଙ୍କ କୋପରୁ ସେ ଅଭିଶାପ ପାଇ ମଧ୍ୟପୁରରେ ମଣିଷ ରୂପ ନେଇ ଜନ୍ମ ନେଲେ। ତାଙ୍କର ଦୁହିତା ମଦନାବତୀଙ୍କୁ ପାଣ୍ଡୁ ବିବାହ କଲେ। ତାଙ୍କର ରୂପ ଗୁଣ ବର୍ଣ୍ଣନା ସମ୍ଭବ ନୁହେଁ, ସଂସାରର ସମସ୍ତ ସୌନ୍ଦର୍ଯ୍ୟ ଯେମିତି ତାଙ୍କ ପାଖରେ ଠୁଳ ହେଇଥିଲା। ମାଦ୍ରୀଙ୍କୁ ନିୟୋଗ ପାଇଁ ପ୍ରସ୍ତୁତ କରି ତାଙ୍କୁ ଜପାମାଳି ଦେଇ କୁନ୍ତୀ ସେଠାରୁ ପ୍ରସ୍ଥାନ କଲେ। ମାଦ୍ରୀ ଶଯ୍ୟାରେ ବସି ଚିନ୍ତା କଲେ—ଧର୍ମ, ପବନ ଓ ଇନ୍ଦ୍ରଙ୍କ ଔରସରୁ କୁନ୍ତୀ ପୁତ୍ର ଜାତ କଲେ, ଦେବତାଙ୍କ ମଧ୍ୟରେ ଏମାନଙ୍କଠାରୁ ଆଉ କେହି ବଳବନ୍ତ ନାହାନ୍ତି। ବିଷ୍ଣୁଙ୍କ ବୀର୍ଯ୍ୟରୁ ମୋର ସନ୍ତାନ ଜାତ ହେଲେ ସେ ବଳବନ୍ତ ସପ୍ତବ୍ରହ୍ମାଣ୍ଡରେ ଏକଛତ୍ର ରାଜତ୍ୱ କରିବ। ଗାନ୍ଧାରୀ ଓ କୁନ୍ତୀଙ୍କର ପୁତ୍ରମାନଙ୍କଠାରୁ ବଳଶାଳୀ ହେଇ ମୋର ପୁତ୍ର ନୃପମଣି ହେବ। ଏକଥା ବିଚାର କରି ମାଦ୍ରୀ ନିଶା କାଳରେ ଦୁର୍ବାସାଙ୍କ ମନ୍ତ୍ରବଳରେ ନାରାୟଣଙ୍କୁ ଅର୍ଘ୍ୟ ଥାଳି ଥୋଇ ସୁମରିଲେ।

ଗରୁଡ ବାହାନ ଆରୋହଣ କରି ଅନ୍ତରୀକ୍ଷରୁ ଆସି ଶତଶୃଙ୍ଗ ପର୍ବତରେ ନାରାୟଣ ବିଜେ କଲେ। ତାଙ୍କୁ ଦେଖି ମାଦ୍ରୀଦେବୀ ଆସନ ଛାଡି ଠିଆ ହେଲେ।

ନାରାୟଣ କହିଲେ, “ଶୁଣ ପାଣ୍ଡୁର ରାଣୀ, ଧର୍ମର ବୀର୍ଯ୍ୟରେ ଯୁଜେଷ୍ଠି ଜନ୍ମ ନେଲେ, ସେ ମୋର ଠାକୁର। ସେହି ହିସାବରେ ତୁମେ ମୋର ମାତା, ପ୍ରତକ୍ଷ୍ୟ ନିରଞ୍ଜନୀ। ମହାମନ୍ତ୍ର ଜପ କରି ପୁତ୍ରକୁ କାହିଁକି ସ୍ମରଣ କଲ? ମୁଁ ଏବେ ଋଷିଙ୍କର ମହାମନ୍ତ୍ରଙ୍କୁ କେମିତି ମେଣ୍ଟିକି ଯିବି? ନିଜ ପ୍ରାଣ ବିସର୍ଜନ ଦେବି, ମୋ ମୂର୍ଦ୍ଧନା ଫାଟିଯିବ। ମାତା ସହ ପୁତ୍ରର ସଙ୍ଗମ କିପରି ହେବ, ତୁମେ ମୋତେ ଦୁଃସହ ସଙ୍କଟରେ ପକାଇଲ। ତୁମେ କେମିତି ଏକଥା ମନରେ ବିଚାର କଲନାହିଁ, ଜ୍ଞାନ ଥାଉ ଥାଉ ଗୁରୁପତ୍ନୀଙ୍କୁ କେମିତି ମୁଁ ହରଣ କରିବି? ତୁମେ ଏମିତି କାମ କେମିତି କଲ ମାହେଶ୍ୱରୀ, କିଛି ଆଗପଛ ବିଚାର ନକରି ମୋତେ ସ୍ମରଣ କଲ? ଏବେ କଣ କରିବ ବିଚାର କର।”

ମାଦ୍ରୀ ନାରାୟଣଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହେଲେ। ନିଜ କର୍ମରୁ ଏମିତି ପରିସ୍ଥିତି ସୃଷ୍ଟି ହେଲା ବୋଲି ସେ ଅପରାଧ ବୋଧ କଲେ। ଦେବୀ କୁନ୍ତୀ ଏସବୁକୁ ନୈପଥ୍ୟରେ ଥାଇ ଦେଖୁଥିଲେ। ସେ ଦେଖିଲେ ଶଙ୍ଖ, ଚକ୍ର, ଗଦା, ପଦ୍ମ ଧରି ସ୍ୱୟଂ ନାରାୟଣ ବିଜେ କଲେ। ନାରାୟଣଙ୍କୁ ଦେଖି କୁନ୍ତୀଙ୍କ ବିସ୍ମୟର ସୀମା ରହିଲା ନାହିଁ। ମାଦ୍ରୀ ତ ସୁଜ୍ଞାନୀ, ସେ ନାରାୟଣଙ୍କୁ ପାଇଲା; ତାଙ୍କ ବୀର୍ଯ୍ୟରେ ସନ୍ତାନ ଉତ୍ପନ ହେଲେ ସେ ଅବଶ୍ୟ ଏକଛତ୍ରବାଦୀ ହେବ!

ନାରାୟଣ କୁନ୍ତୀଙ୍କୁ ଦେଖି କହିଲେ—“ମା ଗୋ, ମହାମନ୍ତ୍ର ସାହାଯ୍ୟରେ ଧର୍ମ ଦେବତା ତୁମ କୋଳରେ ବିଜେ କଲେ। ବିବୁଧାଦିଗଣ ଯାହାର ଦର୍ଶନ ପାଆନ୍ତି ନାହିଁ, ସେ ମହାତ୍ମା ତୁମ ଉପରେ ପ୍ରସନ୍ନ ହେଲେ। ଆମେ ତୁମର ପୁତ୍ର, ତୁମେ ଆମର ମାତା।ଗୁରୁପତ୍ନୀ ଓ ଶିଷ୍ୟପୁତ୍ରଙ୍କ ମଧ୍ୟରେ ଏକ ହେବାର କେଉଁଠି ଉଦାହରଣ ଅଛି? ତୁମେ କୁହ ଦୁର୍ବାସାଙ୍କର ମନ୍ତ୍ରକୁ କେମିତି ପରିତ୍ୟାଗ କରିବି?”

କୁନ୍ତୀ ଏ କଥା ବିଚାର କରି ଶଙ୍କିତ ହେଇପଡିଲେ। ଜଗତର ନାଥ ତ ନାସ୍ତିବାଣୀ ଶୁଣେଇଲେ; ତେଣୁ ସେ ମାଦ୍ରୀଙ୍କୁ ଅନ୍ୟ ଦେବତାଙ୍କୁ ସୁମରଣ କରିବାକୁ କହିଲେ।

ନାରାୟଣ କହିଲେ, “ମୁଁ ଏବେ କଣ କରିବି? ଏ ମହାମନ୍ତ୍ରରୁ କେମିତି ମିକୁଳିବି? ଦୁର୍ବାସାଙ୍କ ମନ୍ତ୍ର ମୁକୁଳିବାର ଉପାୟ କେବଳ ସେ ହିଁ କହିପାରିବେ, ତାଙ୍କୁ ସ୍ମରଣ କର।”

ଏକଥା ଶୁଣି କୁନ୍ତୀ ଏକ ଲୟରେ ଦୁର୍ବାସାଙ୍କୁ ସ୍ମରଣ କଲେ। ଦଣ୍ଡ, କମଣ୍ଡଳୁ ଧରି ପାଉଁଶ ଲେପନ ହେଇ ଦୁର୍ଭାସା ପହଞ୍ଚିଲେ। ଅର୍ଘ୍ୟ ନେଇ ପଣ୍ଡୁଙ୍କର ପାଟରାଣୀ ତାଙ୍କୁ ପୂଜା କଲେ।

“ମାଦ୍ରୀ, ତୁମେ ମନ୍ଦ କାମ କଲ, ନାରାୟଣଙ୍କୁ କାହିଁକି ସ୍ମରଣ କଲ?” ଦୁର୍ବାସା କହିଲେ ପଚାରିଲେ।

“ମୁନିବର, ତୁମର ମନ୍ତ୍ରର ପ୍ରତିକାର ତୁମେ ନିଜେ କର।” ନାରୟଣ କହିଲେ।

ଦୁର୍ବାସା ନାରାୟଣଙ୍କୁ ମନ୍ତ୍ରମୁକ୍ତ କଲେ ଓ ମାଦ୍ରୀଙ୍କୁ ଅନ୍ୟ ପୁରୁଷଙ୍କୁ ମନ ବଳେଇବାକୁ ପରାମର୍ଶ ଦେଇ ବିଦାୟ ନେଲେ।

ଆଶ୍ୱୀନ ଶୁକ୍ଳପକ୍ଷ ଦଶମୀ ଗୁରୁବାର।ଶରତ ଋତୁରେ ଶ୍ରବଣା ନକ୍ଷତ୍ର ଉତ୍ତମ, କୌଳବ ନାମେ କରଣ, ଶୂଳ ଯୋଗ, କନ୍ୟା ସଂକ୍ରାନ୍ତିକୁ ପଚିଶ ଦିନ ଭୋଗ ଥିଲା। ମାଦ୍ରୀ ଶଯ୍ୟା ପାଖରେ ବସିଥିଲେ। ସେ ମନେ ମନେ ଚିନ୍ତା କଲେ—ଦୁର୍ବାସାଙ୍କ ମନ୍ତ୍ରବଳରେ ମୁଁ ନାରାୟଣଙ୍କୁ ସ୍ମରଣ କଲି। ମୋତେ ସେ ଅପ୍ରାପ୍ତ ହେବେ ତାହା ମୁଁ ବୁଝି ପାରିଲି ନାହିଁ। ଆଦିତ୍ୟଙ୍କର ପୁତ୍ର ଅଶ୍ୱିନୀ କୁମାର ବଳବନ୍ତ ଓ ଭାଗ୍ୟବନ୍ତ। ସେ ନିଜ ହାତରେ ଦୁର୍ବାସାଙ୍କର ଜପାମାଳି ଧରି ଦୁତି ଅଂଶୁମାଳିଙ୍କୁ ସୁମରଣ କଲେ। ସେ ସୁରବର, ସୁନ୍ଦର; ତାଙ୍କର ଲୋହିତାକ୍ଷ ରୂପ। ସେ ଅମୃତାକ୍ଷ ପୁରୁଷ ଦେଖିବାକୁ କନ୍ଦର୍ପଙ୍କ ପରି। ଶତଶୃଙ୍ଗ ପର୍ବତରେ ରାତିରେ ତେଜ ଲାଗିଲା, ଅଶ୍ୱିନୀ କୁମାର ଆସି ପହଞ୍ଚିବାରୁ ଦିବସପ୍ରାୟ ମନେହେଲା। ତାଙ୍କୁ ଦେଖି ମାଦ୍ରୀ ନିର୍ଭୟରେ ତାଙ୍କର ପୂଜା କଲେ। ଶୃଙ୍ଗାର ବିନୋଦନ ବେଳେ ହସ ପରିହାସ ଓ ପ୍ରେମ ଚାଟୁପଟଳ କଥା ହେଲା। ମାଦ୍ରୀଙ୍କ ଗର୍ଭରୁ ଅଶ୍ୱିନୀ କୁମାରଙ୍କ ବୀର୍ଯ୍ୟରୁ ସୁନ୍ଦର ପୁତ୍ରଟିଏ ଜାତ ହେଲା। ପୁତ୍ର ନବ ନଦୀ କୂଳରେ ଜନ୍ମ ନେଇଥିବାରୁ ତାର ନାମ ଅଶ୍ୱିନୀ କୁମାର ନକୁଳ ଦେଲେ। ସେ ଅତି ସୁକୁମାର ଶିଶୁ ଅଗ୍ନି ଭଳି ତେଜିୟାନ ଦିଶୁଥିଲା। ତାପରେ ଅଶ୍ୱିନୀ କୁମାର ଅନ୍ତରୀକ୍ଷକୁ ଚାଲିଗଲେ, ମାଦ୍ରୀ ଅତି ଆନନ୍ଦରେ ପୁତ୍ରକୁ ପାଳିଲେ।

କୁନ୍ତୀଙ୍କର ତିନି ପୁତ୍ର, ଗାନ୍ଧାରୀଙ୍କର ଶହେ ଏକ ପୁତ୍ର ଓ ମାଦ୍ରୀଙ୍କର ଗୋଟିଏ ପୁତ୍ର ହେଲା। ପଣ୍ଡୁ ଚାରି ପୁତ୍ରଙ୍କୁ ଦେଖି ଆନନ୍ଦିତ ହେଲେ; କୁନ୍ତି ସମସ୍ତଙ୍କୁ ଆଦରରେ ପାଳିଲେ।

କର୍ଣ୍ଣ

ସ୍ୱାମୀଙ୍କର ଅନ୍ଧପଣ ଦେଖି ଗାନ୍ଧାରୀ ମନରେ ବିଚାର କଲେ—ମୋର ସ୍ୱାମୀ ସନ୍ତାନ, ଉତ୍ସବ, ସମ୍ପଦ କିଛି ବି ଦେଖି ପାରନ୍ତି ନାହିଁ। ସ୍ୱାମୀ ଯେତେବେଳେ ଅନ୍ଧ, ମୁଁ ପାମରୀ କାହିଁକି ତାଙ୍କର ଦୁଃଖ ଦେଖିବି? କପାଳେଶ୍ୱର ତୀର୍ଥରେ ଦେବୀ ସଂକଳ୍ପ କଲେ। ଗାନ୍ଧାରୀ ସ୍ୱାମୀଙ୍କର ଦୁଃଖ ନଦେଖିବାକୁ ଅନ୍ଧପଟଳ ବାନ୍ଧିଲେ।

ବ୍ୟାସ ଶତଶୃଙ୍ଗ ପର୍ବତ ଭ୍ରମଣରେ ଆସିଥିଲେ। ସେ କୁରୁରାଜା ଓ ରାଣୀ କେମିତି ଅନ୍ଧ ଭାବେ ବଞ୍ଚୁଛନ୍ତି ପଣ୍ଡୁ ଓ କୁନ୍ତୀଙ୍କ ଆଗରେ କହିଲେ।

“ଧୃତରାଷ୍ଟ୍ରର ଅନ୍ଧପଣ ସହ୍ୟ ନକରିପାରି ଗାନ୍ଧାରୀ ନିଜ ଆଖିରେ ଅନ୍ଧପଟଳ ବାନ୍ଧିଲା।”

ଏକଥା ଶୁଣି ପଣ୍ଡୁଙ୍କ ମନ ବ୍ୟାକୁଳ ହେଇ ଉଠିଲା। ଗାନ୍ଧାରୀଯେ କାହିଁକି ଅନ୍ଧ ପଟଳ ବାନ୍ଧିଲେ, ଯିଏ ଶୟନ, ଭୋଜନ ଓ ସବୁ ସମୟରେ ଧୃତରାଷ୍ଟ୍ରଙ୍କୁ ବାଟ କଢାଉଥିଲେ, ଏବେ ତାଙ୍କ ସ୍ୱାମୀଙ୍କୁ ଅସୁବିଧା ହେବ ବୋଲି ସେ ଚିନ୍ତାବ୍ୟକ୍ତ କଲେ।

“ସ୍ୱାମୀ, ଚାଲ ହସ୍ତିନାକୁ ଯିବା, ଗାନ୍ଧାରୀଙ୍କ ଚକ୍ଷୁରୁ ଅନ୍ଧପଟଳ କଢାଇବା।” କୁନ୍ତୀ କହିଲେ।

“ସେ ଅନ୍ଧ ଓ ଅନ୍ଧୁଣୀଙ୍କ ଅବସ୍ଥା ମୁଁ ଦେଖି ପାରିବି ନାହିଁ।”

“ମୁଁ ହସ୍ତିନାପୁର ଯିବି ଓ ଗାନ୍ଧାରସେନଙ୍କ ଦୁହିତାଙ୍କୁ ବୁଝେଇବି।”

“ଏହା ଉଚିତ୍ କାମ ହେବ,” ପଣ୍ଡୁ କହିଲେ, “ଶୀଘ୍ର ଯାଇ ତାଙ୍କୁ ଏ କାମରୁ ନିବୃତ୍ତ କର। ପୁଅଙ୍କୁ ସାଙ୍ଗରେ ଧରିକି ଯାଅ, ଯୁଝେଷ୍ଠିଙ୍କୁ ଦେଖିବାକୁ ସେ ନିଶ୍ଚୟ ଅନ୍ଧପଟଳ ଖୋଲିବେ।”

କୁନ୍ତୀ ହସ୍ତିନାପୁର ଯିବାକୁ ସଜ ହେଲେ। ଧୃତରାଷ୍ଟ୍ର, ଗାନ୍ଧାରୀ ଓ ସେମାନଙ୍କ ପୁତ୍ରକୁ ଦେଖିବାକୁ ମନବଳେଇଲେ। କୁନ୍ତୀ ମାଦ୍ରୀଙ୍କୁ କହିଲେ, “ଶୁଣ ମଦନା, ତୁମେ ସ୍ୱାମୀଙ୍କର ସେବା କରୁଥାଅ, ମୁଁ ହସ୍ତିନା ବୁଲି ଆସେ। ତୁମ ରୂପଗୁଣ ଓ ବ୍ୟବହାର ଦେଖି ଯେମିତି ପଣ୍ଡୁ ତୋ ପାଖକୁ ଶୃଙ୍ଗାର ପାଇଁ ନଆସନ୍ତି, ସାବଧାନ ଥିବୁ।”

ଏହା ଶୁଣି ମାଦ୍ରୀ ହସିଲେ ଓ କହିଲେ, “ଏ କଥାକୁ ମୁଁ ବଜ୍ର ପରି ଦୃଢ।”

କୁନ୍ତୀ ମାଦ୍ରୀଙ୍କୁ ଘର ସମ୍ଭାଳିବା ଦାୟିତ୍ୱ ଦେଇ ହସ୍ତିନାକୁ ଗଲେ। ସେ ଯୁଝେଷ୍ଠି, ଭୀମ, ଅର୍ଜୁନ ଓ ନକୁଳ ଚାରି ପୁତ୍ରଙ୍କ ସର୍ବାଙ୍ଗରେ ଅଳଙ୍କାର ପିନ୍ଧଇଲେ। ପୁତ୍ରଙ୍କୁ ଘେନି କୁନ୍ତଭୋଜଙ୍କ କନ୍ୟା କୁନ୍ତୀ ହସ୍ତିନା ଭୁବନରେ ବିଜେ କଲେ। ମକରମାସ କୃଷ୍ଣପକ୍ଷ ଦ୍ୱିତୀୟା ତିଥି ଶନି ବାର ମଘା ନକ୍ଷତ୍ରରେ ବିଷ୍ଟି ନାମକ କରଣ, ପ୍ରୀତି ନାମକ ଯୋଗ ସମୟରେ କୁନ୍ତୀ ହସ୍ତିନାରେ ପହଞ୍ଚିଲେ। ଯମୁନା କୂଳରେ ରାଧାଙ୍କୁ ଦେଖିଲେ। ସେ କୁନ୍ତୀଙ୍କୁ ବହୁତ ଭକ୍ତିରେ ପ୍ରଣାମ କଲେ। ତାଙ୍କୁ କୁନ୍ତୀ କୋଳାଗ୍ରତ କଲେ ଓ କୁଶଳ ବାର୍ତ୍ତା ପଚାରି ବୁଝିଲେ।

“ତୁମର ତାହେଲେ ଚାରିଟି ପୁତ୍ର,” ରାଧା କହିଲେ।

“ତୁମର ପୁଅଝିଅ କେତେ?”

“ତୁମେ ମୋ ପ୍ରାଣର ପ୍ରିୟ, ତୁମକୁ ତ ମିଛ କହିପାରିବିନି। ବାଇଶ ବର୍ଷ ତଳର କଥା, ଏଇ ଯମୁନାରେ ସ୍ନାନ କରୁଥିଲି। ନଦୀରେ ମଞ୍ଜୁଷାଟିଏ ଭାସିଆସୁଥାଏ, ଅଗ୍ନି ଭଳି ଉଜ୍ଜଳ  ଦିଶୁଥାଏ। ମୁଁ ତାକୁ ସ୍ନାନ କରୁଥିବାବେଳେ ଧରିଲି। ଓଜନିଆ ହେଇଥିବାରୁ ତାକୁ କୂଳରେ ଥୋଇଲି। ପଥରରେ ବାଜି ସେ ଦୁଇ ଫାଳ ହେଇଗଲା; ସେଥିରୁ ଗୋଟିଏ ପୁତ୍ର ବାହାରିଲା। ବାଳ ଆଦିତ୍ୟ ପରି ଲୋହିତ ବର୍ଣ୍ଣ, ତେଜିୟାନ୍, କାନରେ ଅମୃତ କୁଣ୍ଡଳ, ତା ଦେହରେ ବଜ୍ରଛଉରୀ ମିଶିରହିଥାଏ। ତାଳୁରେ ଅଭେଦ କବଚମଣି ଝଟକୁଥିଲା, ଏମିତି ପୁତ୍ରଟିଏ ମୁଁ ପାଇଲି।”

ରାଧାଙ୍କ କଥା ଶୁଣି ମାହେଶ୍ୱରୀ କୁନ୍ତୀ ହସିଲେ। ସେ କହିଲେ, “ସେ ତାହେଲେ ତତେ ପ୍ରାପ୍ତ ହେଲା, ଆଉ ତୁ ତାକୁ ଯତ୍ନରେ ପାଳିଲୁ। ଶୁଣ, ମୁନି ଦୁର୍ବାସା ମୋ ସେବାରେ ସନ୍ତୁଷ୍ଟ ହେଇ ମୋତେ ଜପମାଳି ଦେଲେ। ସେତେବେଳେ ମୋର କୁମାରୀ ବୟସ। ବିଦ୍ୟା ପରୀକ୍ଷା କରି ଦେଖିବାକୁ କୌତୂହଳରେ ମୁଁ ଆଦିତ୍ୟଙ୍କୁ ସ୍ମରଣ କଲି। ସେ ଆସି ମୋ ସହ ଶୃଙ୍ଗାର କଲେ ଓ ତାହା ଫଳରେ ଶିଶୁପୁତ୍ରଟିଏ ଜନ୍ମ ନେଲା। କର୍ଣ୍ଣ ଦେଇ ଜନ୍ମ ନେଇଥିବାରୁ ସେ ତାର ନାମ କର୍ଣ୍ଣ ଦେଲେ। ଲଜ୍ଜାରେ ମୁଁ ମୋର ପିତାଙ୍କ ରାଜ୍ୟକୁ ତାକୁ ନେଲି ନାହିଁ।ତାକୁ ମଞ୍ଜୁଷାରେ ପୁରେଇ ଯମୁନାରେ ଭସେଇଦେଲି। ମୋର ସୁଫଳ ଓ ତୋର ପରମ ଭାଗ୍ୟ, ମୋର ନନ୍ଦନ ତୋତେ ପ୍ରାପ୍ତ ହେଲା। ମୋର ଜ୍ୟେଷ୍ଠ ପୁତ୍ରଟି ତୋ ପାଖରେ ରହିଲା। ଆଗୋ ରାଧା, ତୁ ମୋତେ କର୍ଣ୍ଣକୁ ଆଣିକି ଦେଖା।”

ଏହା ଶୁଣି ରାଧା ବହୁତ ଖୁସୀ ହେଲେ, କୁନ୍ତୀକୁ ନେଇ ନିଜ ଘରକୁ ଗଲେ। ସେ ଭିତରକୁ ଯାଇ କର୍ଣ୍ଣଙ୍କୁ ଆଣିଲେ।

“ଚିହ୍ନିଲୁ ମୁଁ କିଏ?” କୁନ୍ତୀ ତାକୁ ଦେଖି କହିଲେ।

ହାତ ଯୋଡି ବୀର କର୍ଣ୍ଣ କହିଲେ, “ମୁଁ ସମସ୍ତ ବିଧାନ ଜାଣେ। ତୁମେ ଅବିବାହିତା ଥିବା ବେଳେ ମନ୍ତ୍ର ପରୀକ୍ଷା ପାଇଁ ସୂର୍ଯ୍ୟ ଦେବଙ୍କୁ ଅରଣ୍ୟରେ ସ୍ମରଣ କଲ। ସେ ଆସି ତୁମ ସହ ଶୃଙ୍ଗାର କଲେ, ମୁଁ ଜନ୍ମ ନେଲି। ମୋତେ ମଞ୍ଜୁଷରେ ଭରି ନିରାଶ କରି ଜଳରେ ଭସାଇଦେଲୁ। ଜଳସ୍ରୋତରେ ଭାସି ଭାସି ପାଞ୍ଚ ସହସ୍ର ଯୋଜନ ଦୂର ହସ୍ତିନାରେ ଯାଇ ଯମୁନା କୂଳରେ ଲାଗିଲି। ରାଧା ମୋତେ ଧର୍ମରେ ପାଳିଲେ, ମୋର ନାମ ରାଧେୟ ଦେଲେ। ଧୃତରାଷ୍ଟ୍ରଙ୍କ ପୁତ୍ର ଦୁର୍ଯ୍ୟୋଧନ, ତା ମୋ ମଧ୍ୟରେ ଅନେକ ପ୍ରୀତି, ଆମ ଦୁହିଁଙ୍କର ମନ ଅଭିନ୍ନ। ମୋର ଜ୍ୟେଷ୍ଠା ନକ୍ଷତ୍ର, ସେଇ ସମାନ ନକ୍ଷତ୍ରରେ ସେ ମଧ୍ୟ ଜନ୍ମ। ଏକ ନକ୍ଷତ୍ରରେ ଜନ୍ମିତ ଆମେ ଦୁଇଜଣ ଏମିତି ମିତ୍ର ହେଲୁ, ଦୁଇ ଜଣ ପରସ୍ପରକୁ ଛାଡି ଦଣ୍ଡେ ରହିପାରୁ ନାହୁଁ।”

ଦେବୀ କୁନ୍ତୀ ନିଜର ଚାରିପୁତ୍ରଙ୍କୁ ଡାକି କର୍ଣ୍ଣଙ୍କୁ ପ୍ରଣାମ କରିବାକୁ କହିଲେ। ସମସ୍ତେ କର୍ଣ୍ଣଙ୍କ ପାଦତଳେ ଯାଇ ଲୋଟି ପଡିଲେ। ଜ୍ୟେଷ୍ଠ ଭ୍ରାତା ଭାବେ ସେ ସମସ୍ତଙ୍କୁ ଅନେକ କଲ୍ୟାଣ କଲେ। ରାଧାଙ୍କର ଚିତ୍ତ ହର୍ଷିତ ହେଲା। କର୍ଣ୍ଣ ମାତାଙ୍କୁ ପ୍ରଣାମ କରି ପୁତ୍ର ମାନଙ୍କର ନାମ ପଚାରିଲେ।

ମାତା କୁନ୍ତୀ କହିଲେ, “ଏଇଟି ମୋର ଜ୍ୟେଷ୍ଠ ପୁତ୍ର, ୟାର ନାମ ଯୁଜେଷ୍ଠି।”

କର୍ଣ୍ଣ କହିଲେ, “ମା ଗୋ, ମନ୍ଦ କାର୍ଯ୍ୟ କଲ, ଦୁଇ ପୁତ୍ର କେମିତି ଜ୍ୟେଷ୍ଠ ହେଲେ? ମୁଁ ଜ୍ୟେଷ୍ଠ ପୁତ୍ର ଥାଉ ଥାଉ ଅନ୍ୟ ଜଣକୁ କେମିତି ସେ ନାମ ଦେଲେ? ମୁଁ ଏକଥା କେମିତି ସହିବି? ତୁମେ ମାତା ହେଇ ନିରାଶ କଲ। ମୁଁ ବାଳୁତ ହେଇ କେମିତି ଏ କଥା ବୁଝିବି?”

“ତୁ ମନ ଖରାପ କରନା,” କୁନ୍ତୀ କହିଲେ, “ମୋ ସାଙ୍ଗରେ ଆସେ, ତୋ ନାଁ ଜ୍ୟେଷ୍ଠି ଦେବି। ଏସବୁ ଭ୍ରାତାମାନଙ୍କ ଉପରେ ମୁଁ ତୋତେ ରାଜା କରେଇବି; ଧୃତରାଷ୍ଟ୍ରଙ୍କୁ କହି ପଞ୍ଚୁ କଟକରେ ତୋତେ ଛତ୍ର ଧରେଇବି। ଜ୍ୟେଷ୍ଠର ସମ୍ମାନଦେଇ ଏଇ ଚାରିଭାଇ ନିତିଦିନ ତୋର ସେବା କରୁଥିବେ। ଆସ ବାବୁ, ଆମ ଘରକୁ ଯିବା, ଶତଶୃଙ୍ଗରେ ପଣ୍ଡୁଙ୍କ ଦର୍ଶନ କରିବୁ।”

“ସେ ଦ୍ୱିତୀୟ ପୁତ୍ର ହେଇ ଯୁଝେଷ୍ଠି ନାମ ନେଲା, ଇୟେ ଥିବା ଯାଏ ମୋତେ କଣ ମିଳିବ? ସେ ଥିବା ଯାଏ ମୋର କିଛି ସଂପଦ ନାହିଁ। ଏମାନଙ୍କ ସହ ମୁଁ ସରିସମ ନୁହେଁ।” କର୍ଣ୍ଣ ରାଗରେ ସେ ସ୍ଥାନ ଛାଡି ଚାଲିଗଲେ ଓ ଆଉ କୁନ୍ତୀଙ୍କ ପାଖକୁ ଆସିଲେ ନାହିଁ।

ଅନ୍ଧ ଦମ୍ପତ୍ତି

କୁନ୍ତୀ ଯାଇ ଧୃତରାଷ୍ଟ୍ରଙ୍କ ପ୍ରାସାଦରେ ପହଞ୍ଚିଲେ। ସଞ୍ଜୟ ଧୃତରାଷ୍ଟ୍ରଙ୍କୁ କୁନ୍ତୀ ଆସିବା କଥା ଜଣାଇଲେ। ଏକଥା ଶୁଣି ଗାନ୍ଧାରୀ ଉଠି ଠିଆ ହେଲେ। ଚାରିପୁତ୍ରଙ୍କୁ ଘେନି କୁନ୍ତୀ ତାଙ୍କୁ ପ୍ରଣାମ କଲେ। ଗାନ୍ଧାରୀ କୁନ୍ତୀଙ୍କୁ ଅହିସୁଲକ୍ଷଣୀ ଆଶୀର୍ବାଦ ଦେଲେ। ପୁତ୍ର ମାନଙ୍କୁ ନିକଟରେ ପାଇ ଧୃତରାଷ୍ଟ୍ର ବହୁତ ଖୁସି ହେଲେ। ଚାରି କୁମର ତାଙ୍କ ଚରଣ ପାଖରେ ବସିଲେ।

ସଞ୍ଜୟ କହିଲେ, “ଶୁଣ ମହାରାଜା, ପଣ୍ଡୁଙ୍କର ପୁତ୍ରମାନେ ତୁମ ପାଦପାଖରେ ଅଛନ୍ତି।”

ସେମାନଙ୍କୁ କୋଳରେ ବସେଇ ଧୃତରାଷ୍ଟ୍ର ବହୁତ ପ୍ରସନ୍ନ ହେଲେ। ଗାନ୍ଧାରୀଙ୍କ ଚରଣରେ ଦେବୀ କୁନ୍ତୀ ପ୍ରଲମ୍ବିତ ହେଇ ପଡିରହିଥାନ୍ତି, ସେ ଦୁଇଜଣ କୁଶଳ ସମ୍ଭାଷଣ ହେଲେ। ଗାନ୍ଧାରୀଙ୍କୁ ଯୁଜେଷ୍ଠି, ଭୀମ, ଅର୍ଜୁନ ଓ ନକୁଳ ପ୍ରଣାମ କଲେ।

କୁନ୍ତୀ କହିଲେ, “ତୁମେ ଏ କଣ କଲ? ଆଖିରେ ଅନ୍ଧପଟଳ କାହିଁକି ବାନ୍ଧିଲ?”

“ମୋ ସ୍ୱାମୀଙ୍କ ଭାଗ୍ୟରେ ତ ଦେଖିବା ଯୋଗ ନାହିଁ, ମୁଁ ସ୍ତ୍ରୀ ହେଇ କାହିଁକି ସବୁ ଦେଖିବାର ସୁଖଭୋଗ କରିବି?”

“ଇଏ କିଛି କାରଣ ନୁହେଁ। ତୁମେ ଅନ୍ଧପଟଳ ନଖୋଲିଲେ ପୁତ୍ରମାନଙ୍କୁ କେମିତି ଦେଖିବ? ଅନେକ କଷ୍ଟରେ ତୁମେ ପୁତ୍ର ଜନ୍ମ ଦେଲ, ସେମାନଙ୍କ ପ୍ରତିପାଳନ ତୁମେ କେମିତି କରିବ?”

“ମୋର ସବୁ ପୁତ୍ର ଦୁଷ୍ଟ, ଯାହା ଧୃତରାଷ୍ଟ୍ରଙ୍କ କର୍ମରେ ଅଛି! ସ୍ୱାମୀ ଯେତେବେଳେ ଦୃଷ୍ଟିଶକ୍ତିହୀନ, ମୋର ଦୃଷ୍ଟିଶକ୍ତି ରହିକି କଣ ହେବ? ମୋର ଦୃଷ୍ଟିଶକ୍ତିର ପ୍ରୟୋଜନ ନାହିଁ।”

କୁନ୍ତୀ ବହୁ ପ୍ରକାର ବୁଝେଇ, ବିନତୀ କରି କହିଲେ, “ତୁମେ ମୋର ସମ୍ମାନସ୍ପଦ, ମୋତେ ମନା କରନା, ମୋ କଥା ରଖ। ସନ୍ତାନମାନଙ୍କ ପାଇଁ ଅନ୍ଧ ପଟଳ ଖୋଲିଦିଅ।”

ଗାନ୍ଧାରୀ କାହା କଥା ଶୁଣିଲେ ନାହିଁ, ଆନନ୍ଦରେ ସେ ସର୍ବଦା ଅନ୍ଧପଟଳ ବାନ୍ଧି ରହିଲେ। ଦୁର୍ଯ୍ୟୋଧନ, ଯୁଝେଷ୍ଠି ଆଦି ଶହେ ପାଞ୍ଚ ଭାଇ ଏକାଠି ଖେଳିଲେ।

ପଣ୍ଡୁଙ୍କର ଏକମାତ୍ର ପୁତ୍ର ସହଦେବ?

ଶତଶୃଙ୍ଗ ପର୍ବତରେ କୁନ୍ତୀଙ୍କ ଅନୁପସ୍ଥିତିରେ ମାଦ୍ରୀ ଘର ସମ୍ଭାଳିଲେ। ଗଭୀର ରାତ୍ରୀରେ ମାଦ୍ରୀ ପଲଙ୍କରେ ଗଡୁଥିଲେ।ସେ ମନେ ମନେ ସ୍ୱାମୀ ପଣ୍ଡୁଙ୍କ କଥା ଭାବୁଥିଲେ। ରାଜା ପଣ୍ଡୁ କେମିତି ଅଜାଣତରେ ଋଷିଙ୍କୁ ମାରି ଅଭିଶାପ ପାଇଲେ ସେ କଥା ଚିନ୍ତାକରୁଥିଲେ। ସେ ଯେ ହାତରେ ଦୁର୍ବାସାଙ୍କର ଜପାମାଳି ଧରିଛନ୍ତି ତାଙ୍କର ସେ କଥା ଖିଆଲ ନାହିଁ। ନୃପମଣି ପଣ୍ଡୁ ଆସି ତତକ୍ଷଣାତ୍ ଶୟନକକ୍ଷରେ ପହଞ୍ଚିଲେ। ତାଙ୍କୁ ଦେଖି ମାଦ୍ରୀ କହିଲେ, “ତୁମେ କାହିଁକି ରାତିରେ ମୋ ପାଖକୁ ଆସିଲ? ତୁମର ଓ ମୋର ଅଲଗା ରହିବା ବ୍ରତ କଣ ଭୁଲିଗଲ?”

“ଦୁର୍ବାସାଙ୍କର ଜପାମାଳି ହାତରେ ଧରି ମୋତେ ସ୍ମରଣ କଲୁ, ମୁଁ କେମିତି ଏହାକୁ ଅବମାନନା କରିବି? ଦେବତା ଓ ଦାନବ ତ ପାରନ୍ତି ନାହିଁ! ମୋର ମୃତ୍ୟୁ କାଳ ନିକଟ ହେଲା; ଏବେ ମୁଁ କଣ କରିବି? ଅକାରଣେ ତୁ ମୋତେ ସ୍ମରଣ କଲୁ।” ପଣ୍ଡୁ କହିଲେ।

“ମୁଁ ତ ତୁମକୁ ଏଥିପାଇଁ ଚିନ୍ତା କରିନି!”

ନିର୍ଜନ ରାତିରେ ପଣ୍ଡୁ ମନ୍ତ୍ର ପ୍ରଭାବରେ ଆଉ କିଛି ଶୁଣିଲେ ନାହିଁ। ସେ ଅଭିଶାପ ଭୟ ଛାଡି ମାଦ୍ରୀଙ୍କୁ କୋଳ କଲେ। ମାଦ୍ରୀ ତ୍ରାହି ତ୍ରାହି କହି ନାରାୟଣଙ୍କୁ ସ୍ମରଣ କଲେ। ଏମିତି ଘଟସୂତ୍ର ବିଧି ଲେଖିଛି ଭାବି ସେ ଧର୍ମଙ୍କୁ ସ୍ମରଣ କଲେ। ଦୈବର ଘଟସୂତ୍ରକୁ କିଏ ଆନ କରିପାରେ? ଋଷି ଅଗ୍ନିକାର ଯେଉଁ ଶାପ ଦେଇଥିଲେ ତାହା କଣ ଅନ୍ୟଥା ହେଇଥାନ୍ତା? ଅପ୍ରମିତ ଶୃଙ୍ଗାର ସମୟରେ ଅଦ୍ଭୁତ ଭାବରେ ନିର୍ଘାତ ନାରାଜ ପଣ୍ଡୁ ଓ ମାଦ୍ରୀଙ୍କ ଉପରେ ପଡିଲା। ଆକାଶରୁ କାଳଶର ପଣ୍ଡୁ ରାଜାଙ୍କର ପିଠିରେ ପଡି ମାଦ୍ରୀର ହୃଦୟ ଭେଦି ଫୁଟିଗଲା। ପଣ୍ଡୁଙ୍କର ସଙ୍ଗେ ସଙ୍ଗେ ମୃତ୍ୟୁ ହେଲା, କିନ୍ତୁ ତାଙ୍କ ଅମୋହ ରେତ ନାଶ ହେଲା ନାହିଁ; ମାଦ୍ରୀ ସୁନ୍ଦର ପୁତ୍ର ସନ୍ତାନଟିଏ ଜନ୍ମଦେଇ ପ୍ରାଣ ତ୍ୟାଗ କଲେ।

ସଦ୍ୟଜାତ ପୁତ୍ରଟି ଭୂଇଁରେ ପଡିଥିଲା, ଅସହାୟ ହେଇ କାନ୍ଦୁଥିଲା। ଏମିତି ସମୟରେ ପ୍ରଭାତ ହେଲା ଓ ସୂର୍ଯ୍ୟ ଉଦିତ ହେଲେ। ତ୍ରୈଲକ୍ୟ ବ୍ରହ୍ମାଣ୍ଡର ସେ ହେଉଛନ୍ତି ଦିବ୍ୟ ଆଖି—ପାପ, ପୁଣ୍ୟ, ବିପଦଆପଦ ସବୁକିଛି ସେ ଦେଖନ୍ତି। ଲକ୍ଷେ ଯୋଜନରୁ ଥାଇ ଦିନକର ଦେଖିଲେ, ମାତାପିତାଙ୍କ ପ୍ରାଣତ୍ୟାଗ ହେଇଛି ଓ ନବଜାତକଟି ପଡିରହିଛି। ଗହନ ବନରେ ଘେରା ଶତଶୃଙ୍ଗ ପର୍ବତରେ ପଣ୍ଡୁରାଜା ପ୍ରାଣତ୍ୟାଗ କରିଛନ୍ତି। ସେଠି ବାଘ, ଭାଲୁ, ଗଧିଆ ପରି ଅନେକ ହିଂସ୍ର ଜୀବଜନ୍ତୁ ତଥା ଭୂତ ପିଚାଶ ପୁରି ରହିଛନ୍ତି। ସୂର୍ଯ୍ୟ ଲକ୍ଷ୍ୟ କଲେ ସେମାନେ ଯାଇ ଶିଶୁଟିକୁ ବେଢି ଗଲେ ଓ ତାକୁ ଭକ୍ଷଣ କରିବାକୁ ଉଦ୍ୟତ ହେଲେ। ଶିଶୁ ପୁତ୍ର ଆଖି ଖୋଲି ଚାହିଁଲା, ତାକୁ ବେଢିଥିବା ପିଚାଶ ତଥା ଜୀବଜନ୍ତୁମାନେ ଜଳିଗଲେ। କୁମାର ପୁତ୍ରର ଆଖିର ତେଜ କାଳାନଳ; ଏ ଦୃଶ୍ୟ ଆକାଶରୁ ଗଗନ ବିହାରୀ ଦେଖିଲେ। ସେ ଚିନ୍ତାମଣି ପୁରୁଷ ହେଇଥିବାରୁ ସକଳ ଚିନ୍ତା କରନ୍ତି। ସେ ଅଶ୍ବିନୀକୁମାରଙ୍କୁ ଚଞ୍ଚଳଯାଇ ପିଲାକୁ ସମ୍ଭାଳିବା ପାଇଁ ଆଦେଶ ଦେଲେ। ବିରଞ୍ଚି ନାରୟଣଙ୍କର ଆଜ୍ଞା ମାନ୍ୟ କରି ଅଶ୍ବିନୀକୁମାର ତତକ୍ଷଣାତ୍ ଯାଇ ଶତଶୃଙ୍ଗରେ ପହଞ୍ଚିଲେ।

ସେ କୁମାରକୁ କୋଳକରି ଧରିଲେ। ସଦ୍ୟଜାତ ପୁତ୍ରକୁ ସମ୍ଭାଳିବା କଷ୍ଟଥିଲା, କ୍ଷୀର ନପାଇ ତାର ଜୀବନ ନାଶ ହେଲା। ଅଶ୍ବିନୀ କୁମାର ଦେଖିଲେ, ଶିଶୁର ପ୍ରାଣ ନାହିଁ। ସେ ତା କାନ ଫୁଙ୍କିଲେ, କିନ୍ତୁ ତା ମଧ୍ୟରେ ଚେତନା ଫେରିଲା ନାହିଁ। ଅଶ୍ବିନୀ କୁମାର ଅକାରଣେ ଆସି ମୃତପିଣ୍ଡକୁ ଛୁଇଁଥିବାରୁ ଭାଳି ହେଲେ—ମୋତେ ଦିନକର ଆଜ୍ଞା ଦେଲେ ପୁତ୍ରଟିକୁ ସମ୍ଭାଳିବାକୁ, ଦେଖିଲା ବେଳକୁ ଏ ପୁତ୍ରଗୋଟିକର ପ୍ରାଣ ନାଶ ଗଲା। ମୃତପିଣ୍ଡକୁ ଛାଡିକି ଗଲେ ମୋତେ ଦେଖି ଦେବତାମାନେ ହସିବେ। ଏମିତି ସବୁ ଭାବି ମହାତ୍ମା ଅଶ୍ବିନୀ କୁମାର ନିଜ ଆତ୍ମାରୁ ଅର୍ଦ୍ଧେକ ଆଣି ମୃତ ପିଣ୍ଡରେ ପ୍ରବେଶ କରାଇଲେ ଓ ଜୀବନ୍ୟାସ ମନ୍ତ୍ର ପଢିଲେ। ଅମୃତ ଦୃଷ୍ଟିରେ ଚାହିଁ ସେ ଶିଶୁର କାନ ଫୁଙ୍କିଲେ, ପ୍ରାଣହୀନ କୁମର ଏକ ଦୃଷ୍ଟିରେ ଚାହିଁଲା। ନିଜ ଦେହରୁ କାଢି ଶିଶୁଟିରେ ଯୋଡିଥିବାରୁ ଅଶ୍ବିନୀ କୁମାର ତା ନାମ ସହଦେବ ଦେଲେ। ଅତି ପ୍ରସନ୍ନ ହେଇ ସେ ତାକୁ ବର ଦେଲେ, “ତୁମକୁ ସମସ୍ତ ବ୍ରହ୍ମାଣ୍ଡ ଦୃଶ୍ୟ ହେଉ, ତୁମେ ଭୂତ ଭବିଷ୍ୟତର ଜ୍ଞାତା ହୁଅ। ଯିଏ ତୁମକୁ ଗତ ଓ ଆଗତର କଥା ପଚାରିବ, ତାକୁ ତୁମେ ସେକଥା କହିବ।”

ଅଶ୍ବିନୀ କୁମାର ବିଶ୍ୱଦେବଙ୍କୁ କୁନ୍ତୀ ଆସିବାଯାଏ ପୁତ୍ରକୁ ସମ୍ଭାଳିବାକୁ ଆଜ୍ଞା ଦେଲେ। ସହଦେବଙ୍କୁ ବିଶ୍ୱଦେବଙ୍କ କୋଳରେ ଦେଇ ସେ ଆକାଶ ମଣ୍ଡଳକୁ ଫେରିଗଲେ।

କୁନ୍ତୀଙ୍କ ଶୋକ

ହସ୍ତିନାପୁରରେ କୁନ୍ତୀ ଗଙ୍ଗାରେ ସ୍ନାନ କରିବାକୁ ଗଲେ। ନଦୀରେ ନିଜ ମୁହଁ ପ୍ରତିଫଳନ ଦେଖି ମନେ ମନେ ସେ ପ୍ରମାନ୍ଦ ଗଣିଲେ। କୁନ୍ତୀ ବିଚାରିଲେ—ମୋର କାୟା ଏମିତି ବିଧବା ପ୍ରାୟ କାହିଁକି ଦିଶୁଛି? ବଣରେ ପଣ୍ଡୁଙ୍କୁ କୌଣସି ବିପଦ ପଡିଲାକି? ସେ ମାଦ୍ରୀଙ୍କ ସାଙ୍ଗରେ ହର୍ଷ ଚିତ୍ତରେ ସମ୍ଭୋଗରେ ଲିପ୍ତହେଲେ କି? ମୋ ସ୍ୱାମୀ କଣ ଋଷିଙ୍କର ଅଭିଶାପ ଭୁଲି ଗଲେ?

କୁନ୍ତୀ ଗାନ୍ଧାରୀଙ୍କ ପାଖରେ ଯାଇ ପହଞ୍ଚିଲେ ଓ ପଣ୍ଡୁଙ୍କୁ ବଣରେ ପ୍ରମାଦ ପଡିଥିବା କଥା ଆଶଙ୍କା କଲେ, “ମୁଁ ଶତଶୃଙ୍ଗ ପର୍ବତକୁ ଯାଉଛି, ସ୍ୱାମୀଙ୍କୁ ଆଉ ଦେଖିପାରିବିକି ନାହିଁ ମୋର ସନ୍ଦେହ ହେଉଛି।” ଧୃତରାଷ୍ତ୍ର ବିଦୁରଙ୍କୁ ଭୀଷ୍ମ, ସଞ୍ଜୟ, ଭୂରିସ୍ରବା ଆଦିଙ୍କୁ ନେଇ କୁନ୍ତୀଙ୍କ ସହ ଯିବାକୁ ଆଜ୍ଞା ଦେଲେ।

କୁନ୍ତୀ ବିମାନରେ ଆରୋହଣ କଲେ ଓ ଅନ୍ୟମାନଙ୍କୁ ବାଟ କଢାଇଲେ। ଭୀଷ୍ମ, ଭୂରିସ୍ରବା, ସଞ୍ଜୟ ଓ ବିଦୁର ରଥ ଆରୋହଣ କଲେ।କୁନ୍ତୀ ପର୍ବତ ଶିଖରରେ ବିଜେ କରୁ କରୁ ପଣ୍ଡୁ ଓ ମାଦ୍ରୀ ମୃତାବସ୍ଥାରେ ପଡିଥିବା ଦେଖିବାକୁ ପାଇଲେ। ଦୁହିଁଙ୍କର ଶରୀର କାଳଚକ୍ର ଶରରେ ଫୁଟିଥିଲା। ଏହା ଦେଖି ବିଦୁର ମୂର୍ଛା ଗଲେ, କୁନ୍ତୀ ବଜ୍ରାଘାତରେ ପଡିଗଲା ପରି ମନେ ହେଲା। “ହା ହା ନାଥ” କହି ସେ ରୋଦନ କଲେ। ସେ ସ୍ୱାମୀଙ୍କୁ କୋଳ କରି ହୃଦୟରେ ଲଗାଇଲେ। ପ୍ରାଣର ବଲ୍ଲଭ ମୋର ଦୁଃଖୀର ସଂଘାତ କହି ମୃତପିଣ୍ଡକୁ ଧରି କୁନ୍ତୀ ମହୀରେ ଲୋଟି ପଡିଲେ। “ପ୍ରଭୁ ହେ, ମୋର କି ଗତି କଲ, ଗଭୀର ଜଳରେ ମୋର ଭେଳା ବୁଡେଇଲ! ହେ ସ୍ୱାମୀ, ଧର୍ମର ସହ ରାଜ୍ୟ ରକ୍ଷା କଲ, ଧର୍ମ ଅଧର୍ମ ବିଚାର ନକରି ପାପ ଲଂଘିଲ। ମୁଁ କାହିଁକି ତୁମକୁ ଛାଡି ଯାଉଥିଲି? ଆଶ୍ଚର୍ଯ୍ୟ, ମାଦ୍ରୀ ଏମିତି କର୍ମ କଲା! ଆହା, ପ୍ରାଣନାଥ, ପଞ୍ଚୁ କଟକର ଅଧିକାରୀ ମୋତେ ଏମିତି ଶୋକସାଗରରେ ଭସେଇ ଛାଡିଗଲ।”

କୁନ୍ତୀଙ୍କ କୋଳରୁ ନେଇ ଭୀଷ୍ମ ଓ ଭୁରିସ୍ରବା ପଣ୍ଡୁଙ୍କୁ କୋଳରେ ଧରିଲେ—“ଆମେ ଥାଉ ଥାଉ ତୋର ଦାହସଂସ୍କାର ହେବ, ତୁ ଜମ୍ବୋଦୀପର ଅଳଙ୍କାର ସଦୃଶ, ତପସ୍ୱୀ ଅଗ୍ନିକାର ତୋର ଏହି ଦଶା କଲା।”

ଏମାନଙ୍କର ଅବସ୍ଥା ଦେଖି ବିଶ୍ୱଦେବ ସହଦେବକୁ ସେମାନଙ୍କ ପାଖକୁ ଆଣିଲେ। ତାକୁ କୁନ୍ତୀଙ୍କ କୋଳରେ ଦେଇ କହିଲେ, “ଏ ପଣ୍ଡୁଙ୍କର ପୁତ୍ର। ସେମାନଙ୍କର ନାଶକାଳରେ ଏ ପୁତ୍ର ଜାତ ହେଲା। ଅଶ୍ୱିନୀ କୁମାର ତାର ଯତ୍ନ ନେଲେ। ସେ ଏ ପୁତ୍ରକୁ ଜୀବନ ଦେଲେ, ସେଥିପାଇଁ ତାର ନାମ ସହଦେବ ଦେଲେ।”

କୁନ୍ତୀ ପୁତ୍ରକୁ ଧରିଲେ ଓ ନିଜର ଶୋକ ସମ୍ବରଣ କଲେ। ଗୁରୁଜନମାନେ ନିଜର ଶୋକଭାବନାକୁ ନିୟନ୍ତ୍ରଣ କରି କୁନ୍ତୀଙ୍କୁ କହିଲେ, “ତୁ କାରୁଣ୍ୟ ଛାଡେ। ଯିଏ ଚାଲିଗଲା ତାକୁ ଆଉ କେମିତି ପାଇବା?”

ସେମାନେ ଗଙ୍ଗାକୂଳରେ ପଣ୍ଡୁଙ୍କର ଚିତା ଆରୋପଣ କଲେ। ଚନ୍ଦନ, ଦେବଦାରୁ ଆଦି କାଠ ଦେଇ ସେଥିରେ ଅଗ୍ନି ସଂଯୋଗ କଲେ। ଅନେକ ମହାମନ୍ତ୍ର ଉଚ୍ଚାରଣ କଲେ, ହିରଣ୍ୟ, ଗୋଧନ ଆଦି ଦାନ ଦେଲେ। ଭୁରିସ୍ରବା ଓ ଭୀଷ୍ମ ପଣ୍ଡୁଙ୍କୁ ଶୁଆଇ ତାଙ୍କ ମୁହଁଙ୍କୁ ଚାହିଁ ଗଭୀର ଶୋକ କଲେ। “ତୁ ନିରିମାଖୀ ବ୍ରହ୍ମାଣ୍ଡକୁ ଧାରଣା ହେଲୁ” ବୋଲି କହି ତାଙ୍କୁ ତିନିବାର ପ୍ରତିକ୍ଷଣ କରାଇ ଅନଳରେ ବସାଇଲେ।

କୁନ୍ତୀ ମାଦ୍ରୀଙ୍କୁ କୋଳକରି ନେଇ ଅନ୍ୟ ଏକ ସ୍ଥାନରେ ଚିତା ଆରୋପଣ କରି ସେଥିରେ ଶୁଆଇଦେଲେ। ଶିଶୁ ସହଦେବକୁ ଶ୍ମଶାନକୁ ନେଇକି ଗଲେ ଓ ତା ହାତରେ ତିଳ, କୁସୁମ ଓ ଘୃତ ଦେଇ ମୁଖାଗ୍ନି ଦିଆଇଲେ। ପଣ୍ଡୁ ଓ ମାଦ୍ରୀଙ୍କର ଦାହ ସଂସ୍କାର ହେଲା। ସହଦେବକୁ ପାଇ କୁନ୍ତୀ ଶୋକ ପାଶୋରିଲେ। ଦୁହିଁଙ୍କ ଦାହ ସଂସ୍କାର ପରେ ଜଳ ଅବଧାରଣ କରି ଅଗ୍ନି ଶାନ୍ତ କଲେ।

ଭୂରିସ୍ରବା କହିଲେ, “ବର୍ତ୍ତମାନ ଧୃତରାଷ୍ଟ୍ରଙ୍କ ପାଖକୁ ଯାଇ ପ୍ରେତ କାର୍ଯ୍ୟ କରାଇବା।”

କୁନ୍ତୀ କହିଲେ, “ଆପଣ ହସ୍ତିନାକୁ ଯାଆନ୍ତୁ, ମୁଁ କାହିଁକି ଶତଶୃଙ୍ଗ ପର୍ବତ ଛାଡି ଯିବି?”

“ମୋ ପୁଅମାନଙ୍କୁ ଏଠିକି ନେଇଆସ। ମୁଁ କଣ ଗାନ୍ଧାରୀ ସହ ଏକାଠି ରହିପାରିବି? ସେ ଦୁଷ୍ଟପ୍ରକୃତି, ତାର ପୁତ୍ରମାନେ ଦୁଷ୍ଟାଚାରୀ। ତା ପାଖରେ ରହି ଚଳିବା କଷ୍ଟ, ଭୀମର ଅର୍ଦ୍ଦୋଳି ସେମାନେ ସହି ପାରିବେ ନାହିଁ। ସୋଦରମାନଙ୍କ ମଧ୍ୟରେ କାହିଁକି ଦ୍ୱନ୍ଦ୍ୱ ହେବ, ମୁଁ ବରଂ ଏଠି ମୋ ପୁଅମାନଙ୍କୁ ନେଇ ରହିବି।”

ଭୀଷ୍ମ କହିଲେ, “ମା ଗୋ, ଏମିତି କେମିତି ହେବ? ପଣ୍ଡୁର ଭରସାରେ ତୁ ଏଠି ନିଶ୍ଚିତରେ ଥିଲୁ। ପଣ୍ଡୁ ଶବ୍ଦଭେଦୀ ବାଣ ସାହାଯ୍ୟରେ ଅସୁର, ଦୁଷ୍ଟ ରାକ୍ଷସ ଆଦିଙ୍କ ଶିରଛେଦ କରିପାରୁଥିଲା। ଏତେ ବଡ ବୀର କିନ୍ତୁ କର୍ମର ଅବଳେ ଅଭିଶାପ ପାଇ ନାଶ ଗଲା। ଏହି ବଣରେ ତୁ ଏକୁଟିଆ ପିଲାଙ୍କୁ ନେଇ ରହିବା ସମ୍ଭବ ନୁହେଁ। ଆମ ସହ ରାଜ୍ୟକୁ ଫେରିଚାଲ।”

କୁନ୍ତୀ କହିଲେ, “ଏହି ସ୍ଥାନ ଛାଡି ମୋର ଯିବାକୁ ଇଛା ହେଉନି। ସେଠିକି ନେଇ ମୋତେ ଓ ପୁତ୍ରମାନଙ୍କୁ ଯଦି ସୁରକ୍ଷା ନଦେଇ ପାରିବ? ମୋ ସ୍ୱାମୀଙ୍କର ଶବ ଏହି ପର୍ବତରେ ପଡିଥିଲା, ତାଙ୍କ ପ୍ରେତକାର୍ଯ୍ୟ ନସାରି ମୁଁ କେମିତି ଯିବି? ଏବେ ଆପଣ ଯାଇ ମୋ ପିଲାମାନଙ୍କୁ ନେଇଆସନ୍ତୁ।”

ଭୀଷ୍ମ ପରମ ମାହେଶ୍ୱରୀ କୁନ୍ତୀଙ୍କ କଥାରେ ଭୂରିସ୍ରବା, ବିଦୁରଙ୍କ ସହ ଫେରିଗଲେ ଓ ହସ୍ତିନା ରାଜ୍ୟରେ ପ୍ରବେଶ କଲେ। ଧୃତରାଷ୍ଟଙ୍କ ଆଗରେ ଯାଇ ବସିଲେ।

“ଶୁଣ କୁରୁପତି, ତୁମ ପାଖରେ ଏବେ ଭୀଷ୍ମ ବସିଛନ୍ତି।” ସଞ୍ଜୟ କହିଲେ।

ଧୃତରାଷ୍ତ୍ର ନିଜ ଆସ୍ଥାନରୁ ଉଠି ଭୀଷ୍ମଙ୍କ ଚରଣରେ ନିଜ ମଥାନତ କଲେ, “ତୁମେ ତ ଶତଶୃଙ୍ଗ ପର୍ବତକୁ ଯାଇଥିଲ, ସାଙ୍ଗରେ ପଣ୍ଡୁକୁ କାହିଁକି ଆଣିଲ ନାହିଁ?”

“ସେ ତ ସେଇଠି ରହିଲା। ଆମେ ଏବେ ତା ପୁଅମାନଙ୍କୁ ନେଇ ଶତଶୃଙ୍ଗକୁ ବାହୁଡି ଯିବୁ।”

ପିଲାମାନେ ଦୁର୍ଯ୍ୟୋଧନ ସହ ଖେଳୁଥିଲେ; ଭୀଷ୍ମଙ୍କ କଥା ଶୁଣି ପାଖକୁ ଆସିଲେ।ଯୁଝେଷ୍ଟି, ଭୀମ, ଅର୍ଜୁନ ଓ ନକୁଳଙ୍କୁ ଦେଖି ଭୀଷ୍ମଙ୍କ ଆଖିରୁ ଲୁହ ବହିଲା। ଧୃତରାଷ୍ତ୍ର ବହୁତ ପଚାରିଲେ, ଭୀଷ୍ମ ଶୋକାତୁର ହେଇ କିଛି କହିପାରିଲେ ନାହିଁ।

“ଆପଣ ଏତେ ବିଚଳିତ କାହିଁକି, କାରଣ କଣ?” ଧୃତରାଷ୍ତ୍ର ବ୍ୟତିବ୍ୟସ୍ତ ହେଇ ପଚାରିଲେ।

“ଶୁଣ, ଏ ବଡ ଦୁର୍ଲଭ କଥା, ଏକୁଟିଆରେ କହିବି।”

ଯୁଝେଷ୍ଠି ଭୀଷ୍ମଙ୍କ କୋଳରେ ବସି ମାଆ ଏଠିକି କେତେବେଳେ ଆସିବେ ପଚାରିଲେ। ଭୀଷ୍ମ କହିଲେ, “ମାଆ ପଛରେ ଆସୁଛନ୍ତି।”

ଭୀଷ୍ମ ଏକାନ୍ତରେ ଧୃତରାଷ୍ତ୍ରଙ୍କୁ କହିଲେ, “ଆହୋ, କୁରୁନାଥ, ପଣ୍ଡୁଙ୍କ ଉପରେ ବିପତ୍ତି ପଡିଲା। ଗାନ୍ଧାରୀ ଅନ୍ଧପଟଳ ବାନ୍ଧିବା କଥା ଶୁଣି ପୁଅଙ୍କୁ ଧରି କୁନ୍ତୀ ଏଠିକି ଆସିଥିଲା। ତେଣେ ପଣ୍ଡୁ ଶୃଙ୍ଗାର ସମ୍ଭରଣ ନକରିପାରି ମାଦ୍ରୀ ସହ ଅପାର ପ୍ରିୟ ଭାବ ବଢାଇଲେ। ମହାଋଷି ଅଗ୍ନିକାର ଯେଉଁ ଶାପ ଦେଇଥିଲେ, ସେ ଶାପ ଫଳିଗଲା। ଶୃଙ୍ଗାର ସମୟରେ ଅନ୍ତରୀକ୍ଷରୁ ଆସି ନାରାଜ ପଡିଲା ଓ ଦୁହିଁଙ୍କ ଶରୀର ଫୁଟିଗଲା। ପଣ୍ଡୁ ଓ ମାଦ୍ରୀ ତତକ୍ଷଣାତ୍ ନାଶ ଗଲେ, ସେହି ସମୟରେ ଗୋଟିଏ ପୁତ୍ର ଜନ୍ମିଲା, ଅଶ୍ୱିନୀ କୁମାର ତାକୁ ପ୍ରାଣଦାନ ଦେଲେ। ଆମେ ଯାଇ ଶତଶୃଙ୍ଗରେ ପ୍ରବେଶ କଲାରୁ ପଣ୍ଡୁଙ୍କର ଏପ୍ରକାର ବିଯୋଗ ଦେଖିଲୁ। କୁମାରକୁ ବିଶ୍ୱଦେବ ସମ୍ଭାଳିଥିଲେ, ସେ କୁନ୍ତୀଙ୍କ କୋଳରେ ତନୟକୁ ଆଣି ଦେଲେ। କୁନ୍ତୀ ବହୁତ ଦୁଃଖ କଲା, ପଣ୍ଡୁର ଅବସ୍ଥା ଦେଖି କାହାର ଦେହ ରହିଲାନି। ଚିତା ନେଇ ଆମେ ଆରୋପଣ କଲୁ ଓ ପଣ୍ଡୁ ଓ ମାଦ୍ରୀଙ୍କୁ ସଙ୍ଗେ ସଙ୍ଗେ ଦହନ କଲୁ। କୁନ୍ତୀ ଶତଶୃଙ୍ଗ ପର୍ବତରୁ ଆସିଲେ ନାହିଁ, ତାର ପୁତ୍ରମାନଙ୍କୁ ନେଇ ଆମେ ଯିବୁ।”

ଭୀଷ୍ମଙ୍କ ମୁହଁରୁ ଏମିତି କଥା ଶୁଣି ଅନ୍ଧରାଜା ଦୁଃଖରେ କାତର ହେଇ ଶୋକ କଲେ। ସେ ଗାନ୍ଧାରୀଙ୍କୁ କହିଲେ, “ଆମେ ପୁତ୍ରମାନଙ୍କୁ ନେଇ ଶତଶୃଙ୍ଗ ପର୍ବତକୁ ଯିବା।”

ଗାନ୍ଧାରୀ କହିଲେ, “ମୋତେ ଲୁଚାଇବାର କାରଣ କଣ? ପଣ୍ଡୁ ମରିବାର ତ ପାଞ୍ଚଦିନ ହେଲାଣି। ସେଠିକି ଯାଇକି କଣ କରିବ?”

ଏହା ଶୁଣି ଧୃତରାଷ୍ଟ୍ର ରାଗିକି ଉପବାସ କଲେ। ପ୍ରେତ କାର୍ଯ୍ୟ ପୁରୋହିତଙ୍କ ଦ୍ୱାରା ସମାପନ କରାଇଲେ, ଯେମିତି ପୁଅମାନେ ନଜାଣିବେ, ଏ ସବୁ କାମ ଗୁପ୍ତରେ କରାଗଲା। ସେ ଭୀଷ୍ମଙ୍କୁ ବାହୁଡି ଯାଇ କୁନ୍ତୀ ଓ କୁମରକୁ ନେଇ ଆସିବାକୁ କହିଲେ।

ଗାନ୍ଧାରୀ କହିଲେ, “ମୁଁ ଶତଶୃଙ୍ଗ ପର୍ବତକୁ ଯାଇ କୁନ୍ତୀଙ୍କୁ ବୁଝେଇ ନେଇଆସିବି।”

ପୁଅମାନଙ୍କର କ୍ରୋଧ ନଦେଖିବା ନିମନ୍ତେ, ସବୁ କାମ ଗୁପ୍ତରେ କରାଗଲା। ଏହା ପରେ କିଛି ଦିନ ଗଲା। ଗାନ୍ଧାରୀ ସହସ୍ର ରଥ ଓ ଭୀଷ୍ମଙ୍କୁ ସାଙ୍ଗରେ ନେଇ କୁନ୍ତୀଙ୍କୁ ଆଣିବାକୁ ଗଲେ। ବ୍ୟାସ ଶତଶୃଙ୍ଗ ପର୍ବତରେ ବିଜେ କଲେ। ତାଙ୍କୁ ଦେଖିକି କୁନ୍ତି ନେଉଲୀଛାଉଳି ହେଲେ। ପୁତ୍ରକୁ ନେଇ ବ୍ୟାସଙ୍କ କୋଳରେ ଦେଲେ, ତାକୁ ଦେଖି ବ୍ୟାସ ଖୁସୀ ହେଲେ। ତପନିଷ୍ଠି ବ୍ୟାସ କହିଲେ, “ଭୂତ ଭବିଷ୍ୟ, ଗତ-ଆଗତ ସବୁ ତୁ ଜାଣିପାରେ।” କୁନ୍ତୀଙ୍କୁ ପାରେଶ୍ୱରଙ୍କ ପୁତ୍ର ବ୍ୟାସ ଶୋକାତୁର ନହେବାକୁ ବୁଝେଇଲେ। ତାଙ୍କୁ ସାନ୍ତ୍ୱନା ଦେଇ କହିଲେ, “ପୁତ୍ରଙ୍କୁ ନେଇ ସୁଖରେ ରାଜ୍ୟରେ ଯାଇ ରହ। ଦୁଃଖ ଶୋକ ପରିତ୍ୟାଗ କର।”

“ମୁଁ ପ୍ରୟାଗ ତୀର୍ଥ ଯିବି, ସେଠି ପ୍ରାଣ ବିସର୍ଜନ କରିବି।” କୁନ୍ତୀ କହିଲେ।

“ଆତ୍ମଘାତ କଲେ ଅନେକ ଦୋଷ ଲାଗେ। ତୁମେ ଏମିତି ଆଦୌ କରିବ ନାହିଁ। ତୁମର ଭାଗ୍ୟ ବଳରେ ପାଞ୍ଚଟି ପୁତ୍ର ପାଇଛ, ସେମାନଙ୍କୁ ଉଚିତ୍ ଧର୍ମଶିକ୍ଷା ଦେଇ ପାଳନ କର। ତୁମେ ଏମିତି ବିରସ କାହିଁକି ହେଉଛ, ତୁମେ ପରମ ସାଧ୍ୱୀ। ୟେ ସଂସାର ଗୋଟାକ ଯାକ ମାୟା ପଟଳ, ଦୈବ ରଚନା। ତୁମର ସୁଖର ଦିନ ଆସିବ, ଏହି ପାଞ୍ଚପୁତ୍ର ତୁମର ଭାରା ନିବାରଣ କରିବେ। ଜନ୍ମ ହେଲେ ମୃତ୍ୟୁ ଅବଶ୍ୟ ହେବ, ଏମିତି ଭାବେ କାଳଚକ୍ର ଘୂରିବୁଲେ ଓ ଚାରି ଯୁଗ ଆତଯାତ ହୁଏ।”

bottom of page