Supriya Prasanta
Art and Writing
ସାରଳା ମହାଭାରତ
ଗଦ୍ୟ ରୂପାନ୍ତର
ସୁପ୍ରିୟା ପ୍ରଶାନ୍ତ
ଶକୁନି
ଗାନ୍ଧାରସେନ ଓ ତାଙ୍କ ପରିବାରର ସମସ୍ତଙ୍କୁ ପଥର ଘରେ ଭର୍ତ୍ତି କରି ବିନା ଦୋଷରେ କୁରୁ ଦଣ୍ଡଧାରୀ ଦୁର୍ଯ୍ୟୋଧନ ସେମାନଙ୍କୁ ନାଶ କଲା। ସୁମୁଦାୟ ଶହେ ସତାନବେ ଜଣ ନାଶ ହେଲେ, ଏକମାତ୍ର ଶକୁନି ବଞ୍ଚିରହିଲା।
ଦୁର୍ଯ୍ୟୋଧନ କେତେ ଦିନ ଅନ୍ତରରେ ବନ୍ଦୀଘର ନିକଟକୁ ଗଲେ। ସେ ରତ୍ନ କଠଉ ପିନ୍ଧି ପ୍ରକୃତି ସଂସ୍କାର ନିମନ୍ତେ ତୋଟାରେ ପହଞ୍ଚିଲେ।ସାଙ୍ଗରେ ରତ୍ନଝରୀରେ ଜଳ ଧରି ଆସି ତାଙ୍କ ଦାସୀ ପହଞ୍ଚିଲା। ଦୁର୍ଯ୍ୟୋଧନ ପରିଶ୍ରା କରୁଥିବା ସମୟରେ ମୂତ୍ରଧାର ବହିଗଲା, ସେ ଧାରରେ ବଟଫଳଟିଏ ଭାସିଗଲା। ଏହା ଦେଖି ଦୁର୍ଯ୍ୟୋଧନ ଭାବିଲେ—ଏଡେ ବଡ ବୃକ୍ଷର ଏଡିକିଟେ ଫଳ, କେମିତି ଭାସିଯାଉଛି! ଏଥିରେ ଯେଉଁ ବୀଜ ଅଛି ସେ ଯେତେବେଳେ ବୃକ୍ଷ ହେବ, ତା ଉପରେ ସମୁଦ୍ରପ୍ରାୟ ଜଳ ଢାଳିଲେ ବି କିଛି ହେବନାହିଁ। ସେ ବୃକ୍ଷକୁ ଚାହିଁଲେ, କେଡେ ବଡ ଦାରୁ! ସେ ଭାବିଲେ ଧନ୍ୟ ବିଧାତା ତୁମ ପ୍ରଭୁପଣକୁ ଧନ୍ୟ, କାହିଁ କେତେ ରୂପରେ ତୁମେ ନିର୍ବାଣ ରଚିଛ। ବୃକ୍ଷମାନଙ୍କର ରାଜା ବଟ ବୃକ୍ଷ; ତା ବୀଜ ମୋ ମୂତ୍ରରେ ଭାସିଗଲା! କୁରୁରାଜା ଥରେ ତଳକୁ ଅନେଇଲେ, ପୁଣି ବୃକ୍ଷ ଆଡକୁ ଅନେଇ ମନେ ମନେ ହସିଲେ।
ଗାନ୍ଧରୀ ନନ୍ଦନ ହସିବାରୁ ଦାସୀ ମଧ୍ୟ ହୃଷ୍ଟମନ ହେଇ ହସି ପକେଇଲା। ଦୁର୍ଯ୍ୟୋଧନ ରାଗିକି କହିଲେ, “କାହିଁକି ହସିଲୁ, କଣ ଦେଖିକି ହସିଲୁ? ମୋତେ ଉପହାସ କରି ହସିଲୁ କି?”
“ଶୁଣ ଗୋସାଇଁ, ତୁମେ ଯେଉଁ କାରଣରୁ ହସିଲ, ମୁଁ ବି ସେଥିପାଇଁ ହସିଲି।”
“ମୁଁ କଣ ପାଇଁ ହସିଲି କହ, ନହେଲେ ତୁ ଆଜି ନାଶ ଯିବୁ।”
“ଶୁଣ ଗୋସାଇଁ, କାଲି ପ୍ରଭାତରେ ଦେବାର୍ଚ୍ଚନା ପରେ ମୁଁ କାରଣ ଜଣେଇବି।”
“ଠିକ୍ ଅଛି, କାଲି ସୁଦ୍ଧା ତୁ ଯଦି ମୋତେ ନକହିଛୁ, ତୋ କାନ ନାକ କଟେଇବି।” ଏହା କହି ଦୁର୍ଯ୍ୟୋଧନ ନିଜ ପୁରକୁ ଫେରିଗଲେ।
ଦାସୀ ମନେ ମନେ ବିଚାରିଲା, ମୋର ମରଣ ସୁନିଶ୍ଚିତ। ନଜାଣିକି ହସିଦେଲି; କାଲି କଣ କହିବି? ହେ ଧର୍ମ ଦେବତା, ମୋତେ ରକ୍ଷା କର। ଆଜି ସିନା ନିଜ ବୁଦ୍ଧି କରି ବଞ୍ଚିଗଲି, କାଲି ନୃପତି ଦଣ୍ଡରୁ ମୁକ୍ତି ନାହିଁ। ଯେଉଁ ଦିନଠୁ ଦୁର୍ଯ୍ୟୋଧନ ଗାନ୍ଧାର ବଂଶକୁ ପଥର ଘରେ ବନ୍ଦୀ କରି ରଖିଥିଲେ, ସେ ଦିନଠୁ ଦୁର୍ଯ୍ୟୋଧନ ଯେତିକି ଅନ୍ନଜଳ ପ୍ରତିଦିନ ସେଇ ଦାସୀକୁ ଦିଅନ୍ତି ସେ ନେଇକି ଆସୁଥିଲା। ସେଦିନ ଅନ୍ନ ନେଇ ବିରସ ମନରେ ଆସିଲା। ଗୁଣ୍ଡୁରି ଜଳା ବାଟଦେଇ ଥିରି କରି ଡାକିଲା, “କିଏ ଅଛ, ଶୀଘ୍ର ଅନ୍ନ ନିଅ। ତୁମ ସହ ଆଉ ଦେଖା ହେବନି, କାଲି ମୋ ନାସା ଶ୍ରବଣ ଛେଦନ ହେବ।”
ଭିତରୁ ଥାଇ ଶକୁନି ପଚାରିଲେ, “କି ଦୋଷରେ ତୋତେ ରାଜା ଦଣ୍ଡ ଦେବେ?”
ଦାସୀ ଦୁର୍ଯ୍ୟୋଧନ କେମିତି ପରିଶ୍ରା କରିବା ବେଳେ ପରିଶ୍ରାକୁ ଅନେଇ ପୁଣି ବଟବୃକ୍ଷକୁ ଅନେଇ ମନ୍ଦ ମନ୍ଦ ହସିଲେ ଏବଂ ତାଙ୍କୁ ହସିବାର ଦେଖି କେମିତି ସେ ବି ହସିପକେଇଲା କହିଲା। ସେଠୁ ରାଜା କହିଲେ, ତୁ କେଉଁ କାରଣ ପାଇଁ ହସିଲୁ କହ। ମୁଁ କହିଲି, ମୁଁ କିଛି କାରଣ ପାଇଁ ହସିନି, ତୁମେ ହସିଲ ବୋଲି ମୁଁ ହସିଲି। ମୁଁ ହାତଯୋଡି କହିଲି। ରାଜା କହିଲେ, ମୁଁ କାହିଁକି ହସୁଥିଲି କହ, ନହେଲେ ତୋର ପ୍ରାଣ ନେବି। ସେ ଏମିତି ଆଜ୍ଞା ଦେଇଛନ୍ତି, କାଲି ପ୍ରଭାତରେ ମୋତେ ମାରିପକେଇବ।”
ଶକୁନି କହିଲେ, “ଚିନ୍ତା କରନା। ମୁଁ ତୋତେ କହିବି ରାଜାଙ୍କ ମନର କଥା, ସେ କଣ ଭାବି ହସୁଥିଲେ। ସେକଥା ଶୁଣିଲେ ରାଜା ତୋତେ କିଛି କହିବେନି, ସେମିତିକା ନିର୍ଭରଯୋଗ୍ୟ ଉତ୍ତର ମୋ ପାଖରେ ଅଛି। ଯେତେବେଳେ ରାଜା ତୋତେ ପଚାରିବେ ସେ କଣ ପାଇଁ ହସୁଥିଲେ, ତୁ କହିବୁ, ବଟମୂଳରେ ପ୍ରକୃତି କରିବାରୁ ବଟବୀଜ ମୂତ୍ରରେ ବହିଗଲା। କୁରୁସାଇଁ, ତୁମେ ବୀଜକୁ ଅନେଇ ଓ ବୃକ୍ଷକୁ ଅନେଇ ବିଧାତାଙ୍କୁ ସୁମରି ହସିଲ।”
ଶକୁନିଙ୍କଠାରୁ ତଥ୍ୟବିଚାର ପାଇ ଦାସୀ ପ୍ରସନ୍ନ ହୋଇ ଆସି ଛାମୁଙ୍କ ପାଖରେ ପହଞ୍ଚିଲା। ଦୁର୍ଯ୍ୟୋଧନ ସକାଳେ ଉଠି ସେ ଦାସୀକୁ ପଚାରିଲେ, “ଭୟ ନକରି କହ।”
“କୁରୁନାଥ,” ଦାସୀ କହିଲା, “ତୁମ ମୂତ୍ରରେ ବଟମଞ୍ଜି ଭାସିବାରୁ ତୁମେ ବୃକ୍ଷକୁ ଚାହିଁ ଓ ତଳକୁ ଚାହିଁ ବିଧାତାଙ୍କୁ ସୁମରି ହସିଲ।”
ଦାସୀ ତାଙ୍କ ଅନ୍ତରର କଥା କହିପାରିଥିବାରୁ କୁରୁସାଇଁ ଆଶ୍ଚର୍ଯ୍ୟ ହେଲେ। ସେ ଦାସୀକି ଅନେଇ ଦଣ୍ଡେ ମୌନ ହେଇ ରହିଲେ।ସେ ମନେ ମନେ ଭାବିଲେ, ଏ ଛାର ଦାସୀର କଣ ଏତେ ବୁଦ୍ଧି, ସେ କଣ ଭୂତ ଭବିଷ୍ୟ ବର୍ତ୍ତମାନ ତିନିକାଳର ଜ୍ଞାତା?
“ଏ କଥା ତୋର ମନରୁ କଦାପି ଆସିନି। ତୋତେ ଏ ବୁଦ୍ଧି କିଏ ଦେଇଛି? କହ, ତୋତେ କୋଉ ପଣ୍ଡିତ ଏକଥା କହିଛି, ତୋତେ ବହୁତ ଧନ ରତ୍ନ ଓ ଅଳଙ୍କାର ଦେବି, ତୋର ସବୁ ଦୋଷ କ୍ଷମା କରିବି।”
“ଶୁଣ କୁରୁନାଥ, ପ୍ରତିଦିନ ଯାହାଙ୍କ ପାଇଁ ମୁଁ ଭାତ ଓ ଜଳ ନେଇ ଯାଏ, ଯାହାକୁ ତୁମେ ପଥର ଘରେ ବନ୍ଦୀ କରି ରଖିଛ, ସେ ତୁମ ହୃଦୟର କଥା ମୋତେ କହିଲେ।”
ଏକଥା ଶୁଣି ଦୁର୍ଯ୍ୟୋଧନ ବହୁତ ଖୁସୀ ହେଲେ ଓ ଦାସୀକୁ ବହୁତ ଧନ ରତ୍ନ ଦେଲେ। ସେ ଏକାନ୍ତରେ ବସି ବିଚାର କଲେ, ଏହି ବ୍ୟକ୍ତିର ପରାମର୍ଶରେ ମୁଁ ଶତ୍ରୁକୁ ନାଶ କରିପାରିବି। ଏହି ବ୍ୟକ୍ତି ଭୂତ ଭବିଷ୍ୟତ ଓ ବର୍ତ୍ତମାନ ଜାଣିପାରେ। ସଭାରେ ମନ୍ତ୍ରୀ ହେବାର ଯୋଗ୍ୟତା ଏହି ବ୍ୟକ୍ତିର ଅଛି।
ସକଳ ସଭାଜନଙ୍କୁ ନେଇ କୁରୁପତି ତେରମାସ ଦିନ ପଥର ଘର ପାଖରେ ବିଜେ କଲା। ମାନଚକ୍ରବର୍ତ୍ତୀ କବାଟ ଫିଟେଇ ଦ୍ୱାର ଖୋଲି ଡାକଦେଲେ, “କିଏ ଜୀବିତ ଅଛ?”
କ୍ରୋଧରେ ଶକୁନି କହିଲେ, “ନୃପମଣି, ବିନା କାରଣରେ ତୁ ମୋ ବଂଶ ନାଶ କଲୁ, ସମସ୍ତଙ୍କୁ ମାରିଲୁ। ମୁଁ ନିଲ୍ଲଜ ବଞ୍ଚି ରହିଛି।ମୋର ଜୀବନ କେମିତି ଗଲାନି, ଧିକ୍ ମୋର ଜୀବନ, ଗ୍ରିଧାନି ମୋ ମାଂସ ଖାଉ।” କର୍ମକୁ ନିନ୍ଦି ଶକୁନି ଏମିତି କ୍ରୋଧ କଲେ। ରାଜା ହୃଦୟରେ ଅନୁକମ୍ପା ଅନୁଭବ କରି ତାଙ୍କ କ୍ରୋଧକୁ ମନରେ ନଧରି ଦୁଃଶାସନ ଓ ଦୁର୍ଜୟକୁ ତାଙ୍କୁ ବାହାରକୁ ଆଣିବାକୁ ଆଜ୍ଞା ଦେଲେ। ଆଜ୍ଞା ପାଇ ସେ ଦୁଇ ବୀର ସଙ୍ଗେ ସଙ୍ଗେ ଭିତରେ ପଶି ଶକୁନିଙ୍କୁ ବାହାରୁକୁ ଆଣିଲେ।
ଦୁର୍ଯ୍ୟୋଧନ କହିଲେ, “ମାମୁ, ଜୀବନ ତୁମର ଧନ୍ୟ।” ସେ ସୁନା କଳସରେ ପାଣି ଆଣି ତାଙ୍କୁ ସ୍ନାନ କରେଇଲେ, ଅନେକ ସୁଗନ୍ଧ ଲଗାଇ ପାଣି ଢାଳି ତାଙ୍କର କେଶ ପରିଷ୍କାର କଲେ। ତାଙ୍କୁ ଝୀନ ବସ୍ତ୍ର ପିନ୍ଧାଇଲେ। ଫୁଲ ଆଣି ତାଙ୍କ ମୁଣ୍ଡରେ ଦେଲେ, ଅଷ୍ଟରତ୍ନ ଅଳଙ୍କାର ପିନ୍ଧାଇଲେ। ଚନ୍ଦନ, ମୃଗଲାଭ, କସ୍ତୁରୀ ଆଦି ତାଙ୍କ ଶରୀରରେ ଲେପନ କଲେ। ଶ୍ରୀହସ୍ତରେ ପାଟ ଶାଢୀ ଦେଇ ତାକୁ କହିଲେ, “ମାମୁ, ତୁମେ ଏ ପଞ୍ଚୁକଟକରେ ମହାମନ୍ତ୍ରୀ। ତୁମର ପିତା, ସହୋଦର ଓ ବନ୍ଧୁବାନ୍ଧବ ଯେଉଁମାନେ ନାଶଗଲେ ସେମାନଙ୍କୁ ମୁଁ ଫେରାଇ ପାରିବିନି, କିନ୍ତୁ ଇନ୍ଦ୍ରପ୍ରସ୍ଥ, ଯମପ୍ରସ୍ଥ, ହସ୍ତିନା, ଜୟନ୍ତା ଓ ବାରୁଣାବନ୍ତ, ଏହି ପାଞ୍ଚ ରାଜ୍ୟର ମହାମନ୍ତ୍ରୀ ପଦ ମୁଁ ତୁମକୁ ଦେଉଛି। ତୁମେ ଆଜିଠୁ ମୋର ମୁଖ୍ୟ ପରାମର୍ଶଦାତା, ତୁମ ଆଜ୍ଞାରେ ହିଁ ଏହି ପାଞ୍ଚଟି ରାଜ୍ୟ ପରିଚାଳନା ହେବ।” ସେ ଶକୁନିଙ୍କ ଦୁଇ ପାର୍ଶ୍ୱରେ ପାଟ ଛତା, ବାମ ଓ ଡାହାଣରେ ଦଶଲକ୍ଷ ରଥୀ, ସମ୍ମୁଖରେ ପାଞ୍ଚଲକ୍ଷ ଗଜ ସଜ କଲେ। ଏମିତି ଭାବେ ସମ୍ମାନ ଦେଇ ଶକୁନିଙ୍କୁ ଗାନ୍ଧାରୀଙ୍କ ପାଖକୁ ନେଇଗଲେ।
ସଞ୍ଜୟ କହିଲେ, “ଶୁଣ, ଗାନ୍ଧାରୀ, ଶକୁନି ନାମକ ତୁମର ଯେଉଁ ଭ୍ରାତା ବଞ୍ଚିଛନ୍ତି, ତାଙ୍କୁ ଅନେକ ଆଦର ସମ୍ମାନ ଓ ପୁରୁଷାର୍ଥରେ ଦୁର୍ଯ୍ୟୋଧନ ମଣ୍ଡିଦେଲା। ସେ ଦୁତୀଇନ୍ଦ୍ରଙ୍କ ଭଳି ଦିଶୁଛନ୍ତି।”
ମହାସତୀ ଗାନ୍ଧାରୀ କହିଲେ, “ସଭିଏଁ ତ ନାଶ ଗଲେ, ତୁ ପାମର ଏକା କାହିଁକି ବଞ୍ଚି ରହିଲୁ? ମୁଁ କଣ ତୋ ପ୍ରକୃତି ଜାଣିନି? ତୁ ଦୁର୍ଯ୍ୟୋଧନର ବଂଶ ନାଶ କରିବୁ ବୋଲି ବ୍ରତୀ ହେଇଛୁ। ମୋ କଥା ଶୁଣ ଦୁର୍ଯ୍ୟୋଧନ, ଶକୁନିଙ୍କ କଥା ଆଦୌ ଶୁଣିବୁନି କି ସଦଭାବ ଦେଖାଇବୁ ନାହିଁ। ଯାହାର ବଂଶ ତୁ ନାଶ କଲୁ, ତାକୁ କେମିତି ତୁ ତୋର ମନ୍ତ୍ରୀ କଲୁ? ଉଭୟ କୁଳ ଧ୍ୱଂସ ହେବ ମୁଁ ବୁଝିପାରୁଛି। ମୋ ପିତାକୁଳ, ସ୍ୱାମୀକୁଳ ନାଶ ହେବ; ଯେଉଁଠି ପାପ ସେଠି ସବୁ ନାଶ ହୁଏ।”
ଗାନ୍ଧାରୀ ସିଦ୍ଧ ଅର୍ଥବାଣୀ କହିଲେ, ମୂର୍ଖ ଦୁର୍ଯ୍ୟୋଧନ ତାକୁ କର୍ଣ୍ଣପାତ କଲା ନାହିଁ। ସେ ଯେ ଗାନ୍ଧାରସେନଙ୍କୁ ପ୍ରାଣରେ ମାରିଛି, ପାଣ୍ଡବଙ୍କ ପ୍ରତି ଥିବା ତାର କ୍ରୋଧରେ ସେକଥା ଭୁଲିଗଲେ। ସେ କର୍ଣ୍ଣ, ଶକୁନି, ଅଶ୍ୱତ୍ଥାମାଙ୍କ ମେଳରେ ଏକାନ୍ତରେ ବସି ସେମାନଙ୍କ ବିରୁଦ୍ଧରେ ଷଡଯନ୍ତ୍ର ଚିନ୍ତା କରୁଥିଲେ।
ଦିନେ ବିଦୁର ଯୁଝେଷ୍ଠିଙ୍କ ଆଗରେ କହିଲେ, “ଧୃତରାଷ୍ଟ୍ର ତୋ ପ୍ରତି ହେଳା କରିଛନ୍ତି, ତୁ ଏକଥା ବୁଝିଥା। ତୋତେ ଅନେକ ପ୍ରମାଦ ଘାରିବ।ଦୁର୍ଯ୍ୟୋଧନ ତୁମ ରାଗରେ ରାଜା ଗାନ୍ଧାରସେନର ବଂଶ ନାଶ କଲା; ଶକୁନି ଶୁଭଯୋଗରେ ମହାମନ୍ତ୍ରୀ ହେଲା। ତୁମ ବିରୁଦ୍ଧରେ ସେ ବୁଦ୍ଧି ଶିଖେଇବ, ତେଣୁ ଭୀମସେନକୁ ବହୁତ ବାଗରେ ସମ୍ଭାଳିବୁ।”
“ଧୃତରାଷ୍ଟ ମୋ ପ୍ରତି ଅଣହେଳା କାହିଁକି କରୁଛନ୍ତି?” ଯୁଝେଷ୍ଠି ବିଦୁରଙ୍କୁ ପଚାରିଲେ, “ସେ ଯଦି ମୋ ପ୍ରତି ଦୟାଶୀଳ ହେବେ ନାହିଁ, ତୁମେ ମୋ ପ୍ରତି ସଦୟ ହେବ। ବିଦୁର ଓ ବାସୁଦେବ ମୋ ସପକ୍ଷରେ ରହିଲେ, ତ୍ରୈଲକ୍ୟବ୍ରହ୍ମାଣ୍ଡରେ ମୋର ସମକକ୍ଷ ଆଉ କିଏ ହେବ?”