![](https://static.wixstatic.com/media/8f643e_70fcf3ca5e5a40ee9d95e3dc1c9d511e~mv2.jpg/v1/fill/w_793,h_416,al_c,q_80,enc_avif,quality_auto/8f643e_70fcf3ca5e5a40ee9d95e3dc1c9d511e~mv2.jpg)
ଯଦି ମୁଁ କବିତା ପାରନ୍ତି ଲେଖି
ଶବ୍ଦ ପରେ ଶବ୍ଦ, ଧାଡି ପରେ ଧାଡି, କଦବା ଅନୁପମ ଏକ ପଂକ୍ତି;
ହୁଏତ ମୁଁ ବୁଝେ କେମିତି ଶବ୍ଦ ସହ ଶବ୍ଦ ମିଶେ, ଏକାକାର ହୁଏ
ଉଷୁମ୍ ସ୍ୱପ୍ନର ଚାଦର ତଳେ,
କେମିତି ଅର୍ଥହୀନ ଶବ୍ଦ ଝୁଲେ ମୃତ୍ୟୁ ଆଉ ମହାମାରୀର ମୁନିଆଁ ନଖରେ,
କିନ୍ତୁ ଏଯାଏ ପାରିନି ବୁଝି କେଉଁଠି କାହିଁକି ଦିଆଯାଏ
ଚିହ୍ନ ବିସ୍ମୟସୂଚକ ଆଉ କେଉଁଠି ପୂର୍ଣ୍ଣଛେଦ।
ଅଥଚ ଅଛି ଅମା କଳା ଠାରୁ ଗାଢ ମୋର ଅନୁଭୁତି
କାଦୁଆ କାଦୁଆ ଭାବନା ବ୍ୟାକରଣାତୀତ
ମୋ ହାତଛୁଆଁରେ ଅଣପାରମ୍ପାରିକ ଦିଶନ୍ତେ
ସୀତା, ସାବିତ୍ରୀ, ଦ୍ରୌପଦୀ, ସୂର୍ପନଖା
ଦମ୍ଭ ବାନ୍ଧି ଯଦି ପାରନ୍ତି ଲେଖି ବାକିଥିବା
ନାରୀବାଦର ଯେତେ ସବୁ ବାଖ୍ୟା!
ଏମିତି ହିଁ କବିତା ଲେଖା ଆରମ୍ଭ କରିଥିଲା ସ୍ୱରୂପା,
ସେ କବିତାରେ ହଜିଗଲା ଦିନ ଯାଏ ଆମେ ଥିଲୁ ଦୁଇ ସଖୀ
ମୁଁ ଦିନେ କହିଲି, ଏତେ ଫୁଲୁଛୁ, କାଇଁ ଗୁରୁ ମହାନ୍ତି ଭଳି ଲେଖିଲୁ ଦି ଧାଡି—
“ଆକାଶରେ ଜହ୍ନ ଯଦି କ୍ଲାନ୍ତ ପୁଣି ଆବଶ୍ୟକହୀନ
ମୁଁ ତୁମର ଅପେକ୍ଷାରେ ପ୍ରଶ୍ନମୟ ପୁଣି ସନ୍ଦିହାନ।”
ବାସ୍, ସେଦିନଠୁଁ ସେ କେମିତି ବଦଳି ବଦଳି ଗଲା
ହଉ ହେଲା କବିତାରେ ହଜିଲା,
ମୋତେ ବି ଭୁଲିବା ନିହାତି ଆବଶ୍ୟକ ଥିଲା?
~