top of page
IMG_E2265.JPG

Flame of the Forest

ଅସମାପ୍ତ

Writer's picture: Supriya PrasantaSupriya Prasanta


ଭାଗ-୧

ଏଇ ଜୀବନ

ମୋ ଧୀରେ ଧୀରେ ଦୌଡୁଥାଏ, ଭ୍ରାମ୍ୟଭାଷରେ ଡାକ ଆସିଲା। ଅଜଣା ସଂଖ୍ୟାଟିଏ ଭ୍ରାମ୍ୟଭାଷର ପରଦାରେ ଦେଖି କିଏ ମନେ ପକାଇଲା ଭାବି କହିଲି, "ହେଲୋ?"

"ଆଜ୍ଞା, ନମସ୍କାର। କଲ୍ୟାଣ ବାବୁ କହୁଥିଲେ ତ?

"ନମସ୍କାର। ହଁ, କଲ୍ୟାଣ କହୁଛି।" ମୁଁ ଦୌଡିବା ବନ୍ଦ କରି କହିଲି। ସକାଳୁ ନିଦ ଶୀଘ୍ର ଭାଙ୍ଗି ଗଲାରୁ ନିତ୍ୟକର୍ମ ସାରି ଘେରେ ଦୌଡିବାକୁ ବାହାରିଥିଲି।

“ମୁଁ ନବରଙ୍ଗପୁର ସାଂସ୍କୃତିକ ପରିଷଦରୁ କହୁଥିଲି। ମୋ ନାଁ ସୁନାକର ମହାନ୍ତି।"

“କୁହନ୍ତୁ?”

"ଆମେ ଆଜ୍ଞା ଆମ ପରିଷଦର ବାର୍ଷିକ ଉତ୍ସବ ପାଳନ କରିବୁ। ବିଜୟା ଦଶମୀ ଦିନ। ଏ ବର୍ଷ ଅକ୍ଟୋବର ଆଠ ତାରିଖରେ ପଡୁଛି। ଆମେ ଚାହୁଁଥିଲୁ ଆପଣ ଯଦି ଏଇ ଅବସରରେ ଟିକେ ଆସି ଗୀତ ଗାଆନ୍ତେ…"

"ମୁଁ ଗଲେ ଏକା ତ ଯିବିନି। ମୋ ସହ ମୋ ତବଲାବାଦକ ଆଉ ବୀଣାବାଦକ ବି ଯିବେ। ଅନ୍ୟ ଆବଶ୍ୟକୀୟ ବାଦ୍ୟଯନ୍ତ୍ର ଆପଣଙ୍କୁ ଠିକ୍ କରିବାକୁ ପଡିବ। ଆପଣ ସେଥିରେ ରାଜି ତ?"

"ହଁ, ଆଜ୍ଞା। ଆପଣଙ୍କୁ ନବା ଆଣିବା ଦାୟିତ୍ୱ ଆମର। ତା ଛଡା ଆମେ କିଛି ପାରିତୋଷିକ ବି ଦେବୁ। ଆମେ ବହୁ ଉଦ୍ୟମ କରି ସଂସ୍ଥାଟି ପାଞ୍ଚବର୍ଷ ହେଲାଣି ଚଳେଇଛୁ।"

"ଆପଣ ତାହେଲେ ମୋତେ ପୁରା କାର୍ଯ୍ୟକ୍ରମଟା ଟିକେ ହ୍ୱାଟ୍ସଆପ କରି ଦିଅନ୍ତୁ। ଏଇ ସଂଖ୍ୟାରେ। ଆଉ କିଏ ସବୁ ଆସୁଛନ୍ତି?"

"ଆମେ ଯୁବ ଓଡିଶୀ ନୃତ୍ୟାଙ୍ଗନା ଶ୍ରୀଧାରା ଦାଶଙ୍କୁ ମଧ୍ୟ ଯୋଗାଯୋଗ କରିଛୁ। ସେ ରାଜି ହେଇଛନ୍ତି। ତା ଛଡା ଆମ ସ୍ଥାନୀୟ ନୂଆ କଳାକାର କିଛି ଗାଇବେ। ଆମେ ଆଜ୍ଞା ଯୁବଶିଳ୍ପୀଙ୍କୁ ପ୍ରାଧାନ୍ୟ ଦେବାକୁ ଚାହୁଁଛୁ।"

"ଓହଃ!" ମୋ ପାଟିରୁ ବାହାରିଲା, "ହଉ, ଆମେ ତାହେଲେ ପରେ ସବିଶେଷ କଥା ହେବା।" ଶ୍ରୀଧାରା ନାମଟି ଶୁଣି ମୁଁ ଟିକେ ଅସହଜ ମନେ କଲି।

"ଆଜ୍ଞା, ସକାଳୁ ଉଠେଇ ଦେଲି ବୋଧେ। ଆପଣ କାମ ସାରନ୍ତୁ। ଆମେ ପୁଣି କଥା ହେବା। ମୁଁ ଆମ ସଂସଦର ଯୁଗ୍ମ ସଚିବ, ସୁନାକର ମହାନ୍ତି।" ଭଦ୍ରବ୍ୟକ୍ତି ଏହା କହି ସେପଟୁ ଭ୍ରାମ୍ୟଭାଷ ରଖିଲେ।

ମୁଁ ଚାଲିବାକୁ ଆରମ୍ଭ କଲି। କାଲି ରାତିରେ ବର୍ଷା ହେଇ ଛାଡିଯାଇଛି, କିନ୍ତୁ କୋହଲା ପାଗ। ଏଇ ତ ସପ୍ତାହେ ହେବ ରଜ ସଂକ୍ରାନ୍ତି ଯାଇଛି। ଅତୀତର କେତେ କଥା ମନରେ ଉଙ୍କିମାରି ଉଭେଇ ଯାଉଗଲା। ଶ୍ରୀଧାରା… ଶ୍ରୀ… ୟା ଭିତରେ ପାଖାପାଖି ଆଠ ବର୍ଷ ହେଇଗଲାଣି । ଆମର ଦେଖା ହେଇନି। ସେଇ ଆଠ ବର୍ଷ ତଳେ ଯାହା ଦେଖା ହେଇଥିଲା ତା ବାହାଘର ଆଗରୁ। ଶୀତର ସେ ସନ୍ଧ୍ୟା ମନେ ପଡିଲେ ଛାତି ଭିତରୁ କଣ କେମିତି ଝାଙ୍କି ହେଇଯାଏ। ମୁଁ ଏକବାରେ ଉଦବେଳିତ ହୋଇପଡେ। ହଁ, ତା ବାହାଘର ପରେ ବି ଥରେ ଦେଖା ହେଇଥିଲା। କି ଯନ୍ତ୍ରଣାମୟ ଥିଲା ସେ ଦିନଟା। ତା ସହ ପୁଣି ଦେଖା ହେବ, ଯାହାର ମୁହାଁମୁହିଁ ହେବାକୁ ମୁଁ ଚାହିଁନି, କିନ୍ତୁ ଯାହାକୁ ମୁଁ ମନେ ମନେ ଖୋଜି ଚାଲିଛି ।

ଶ୍ରୀ ସହ ଭେଟ ହେବାର ସମ୍ଭାବନାଟେ ଦେଖାଦେଇଛି। ସେଥିପାଇଁ କଣ ଅନୁଭବ କରୁଛି? ମୁଁ କଣ ଆନନ୍ଦିତ ନୁହେଁ? ମୋ ମନରେ ଯନ୍ତ୍ରଣା ମିଶା ଆଗ୍ରହ ଓ ଉତ୍କଣ୍ଠା ଏମିତି ଫେଣ୍ଟାଫେଣ୍ଟି ଗୋଟେ ଭାବ ଆସିଲା। ସେ କଣ ଜାଣିଥିବ ଯେ ମୁଁ ବି ସେଠିକି ଯାଉଛି ବୋଲି। ସେ ଜାଣିକି “ହଁ” କହିଥିବ? ଖୁବ୍ ସମ୍ଭବତଃ ସେ ଜାଣି ନ ଥିବ। ଆୟୋଜକ ତ ମୋ ସହ ଆଜି କଥା ହେଲେ। ସେ ଆଗରୁ ତା ସୀକୃତି ଦେଇସାରିଛି। ତାକୁ ଭେଟିଲେ ମୁଁ ପ୍ରଥମେ କଣ କହିବି? ସେ କେଜାଣି କେମିତି ଦିଶୁଥିବ? ଏଇ କିଛି ବର୍ଷ ତ ମୁଁ ତା ଛବିକୁ ବି ଭଲକି ଦେଖିନି। ଆଉ ଶ୍ରୀ ଯେ ପୁଣି ନୃତ୍ୟ କାର୍ଯ୍ୟକ୍ରମ କଲାଣି ଜାଣିକି କାହିଁକି କେଜାଣି ମୋ ମନରୁ ଯେମିତି ଗୋଟେ ବୋଝ ଓହ୍ଲାଇଗଲା ଭଳି ଲାଗୁଛି। ମୁଁ ଭାବୁଥିଲି ସେ ହୁଏତ ନାଚିବା ବନ୍ଦ କରିଦେଇଛି। ତା ସଂସାରରେ ସେ ବ୍ୟସ୍ତ। ସ୍ୱାମୀ, ପିଲାଛୁଆ, ପରିବାର, ବନ୍ଧୁବାନ୍ଧବ। ଶ୍ରୀ ମୋତେ ଦେଖିଲେ ମୋ ସହ କଥା ହେବ ତ? କେଜାଣି କଣ କହିବ? ଯେତେ ଅଦଭୁତ ଅଦଭୁତ କଥା କହିପରେ ଶ୍ରୀ, ସେଇ ପ୍ରିୟ ଝିଅଟା।

ମୁଁ ଆଉ ଦୌଡିବାକୁ ନଯାଇ ମୋ ବସାକୁ ଫେରିଆସିଲି। ଗାମୁଛାରେ ମୁହଁ ଫୋଛୁ ପୋଛୁ ରୋଷେଇ ଘରେ ଦେଖିଲି ଅଣ୍ଡା ଥାକରେ ଥାକେ ଅଣ୍ଡା ଥୁଆ ହେଇଛି। ମୁଁ କିଛି ପିଆଜ, କାପ୍ସିକମ୍, କଞ୍ଚା ଲଙ୍କା, ଆଉ ବିଲାତି ବାଇଗଣ ଚୁନ୍ ଚୁନ୍ କରି କାଟିଲି। ଏ ପଟେ ଗ୍ୟାସ ଲଗେଇ କଡେଇରେ ତେଲ ଢାଳିଲି। ପରିବା ପକେଇ ଟିକେ ଭାଜି ଚାରିଟା ଅଣ୍ଡା ଟୁକ୍ ଟୁକ୍ କରି ଫଟେଇ ସେଥିରେ ଢାଳିଲି। ଚଡ ଚଡ ଶବ୍ଦ ହେଇ ଅଣ୍ଡା ଭାଜି ହେଲାରୁ ତା ବାସ୍ନାଟା ଘରେ ଖେଳେଇ ଗଲା। ମୁଁ ଛୋଟ ଥାଳିଟିଏ ଆଣି ସେଥିରେ ଅଣ୍ଡାଭଜା ରଖିଲି। ବିଲାତି ଓ କଞ୍ଚା ଲଙ୍କା ଚଟଣୀରୁ ଟିକେ ନେଇ ମୋ ଭ୍ରାମ୍ୟଭାଷ ପରଦାରେ ହ୍ୱାଟ୍ସଆପ୍ ଦେଖିଲି। ମୋ ତବଲା ବାଦକ ସାଥି ରମେଶର ବାର୍ତ୍ତା--ନବରଙ୍ଗପୁର ସାଂସ୍କୃତିକ ସଂସଦରୁ ଯୋଗାଯୋଗ କରିଥିଲେ। ସେମାନେ ଆପଣଙ୍କ ସହ କଥା ହେବେ।

ଆଉ ବନ୍ଧୁ ସହକର୍ମୀଙ୍କ ଠାରୁ ଶୁଭ ସକାଳ ବାର୍ତ୍ତା। କିଛି ସାମ୍ପ୍ରତିକ ଖବର।

ମୁଁ ଖାଉ ଖାଉ ରମେଶକୁ ଫୋନ୍ କଲି।

"ହଁ, ଭାଇ," ରମେଶ କହିଲା, "ଗୋଟେ ନିମନ୍ତ୍ରଣ ଆସିଛି। ସେମାନେ କଥା ହେବେ ବୋଲି ଆପଣଙ୍କ ନମ୍ବର ନେଇଥିଲେ।"

"ହଁ, ସୁନାକର ବାବୁ କଥା ହେଲେ। ଦଶହରା ଦିନ ପାଇଁ ଡାକୁଛନ୍ତି। ଯିବା, ନା କଣ କହୁଛ? ଆମେ ବହୁ ଦିନ ଦୂର ଯାତ୍ରାରେ ଯାଇନେ।"

"ମୁଁ ବି ସେଇ କଥା ଭାବୁଥିଲି। ବୁଲାବୁଲି ଟିକେ ହେବ। ଏ ଭୁବନେଶ୍ୱର, କଟକ ଜଞ୍ଜାଳରୁ ମୁକ୍ତି ମିଳିବ।"

"ହଁ, ତୁମେ ସୁନାକର ବାବୁଙ୍କ ସହ କଥା ହେଇ ସବୁ ଠିକ ଠାକ୍ କର। ତାପରେ ଆମେ ଯୋଜନା କରିବା।"

ମୋ ଅଣ୍ଡାଭଜା ଖିଆ ସରିଲା। ମୁଁ କପେ କଫି କରିବାକୁ ଗରମ ପାଣି କଲି। ମୁଁ ପ୍ରାୟ କ୍ଷୀର ଆଣିବାକୁ ଭୁଲି ଯାଉଥିବାରୁ କଫି ବିନା ଚିନି ଓ କ୍ଷୀରରେ ପିଇବା ଅଭ୍ୟାସ ହେଇଗଲାଣି। ଶ୍ରୀକୁ ଏମିତି କଫି ପିଇବାକୁ ଭଲ ଲାଗୁଥିଲା। ମୁଁ ତ ବିନା କ୍ଷୀର ଓ ବିନା ଚିନି ଦିଆ ଚା ବା କଫି ମୁହଁରେ ଦେଇପାରୁ ନଥିଲି। କିନ୍ତୁ ଶ୍ରୀ କହୁଥିଲା-- "ଚିନି ଗୋଟେ ରାସାୟନିକ ଦ୍ରବ୍ୟ। ତାକୁ ଜମାରୁ ଖାଇବା କଥା ନୁହେଁ!" ଅଥଚ ସେ କେବଳ ଚା ଓ କଫିରେ ଚିନି ଖାଉ ନଥିଲା। ସେ ଅତି ଆନନ୍ଦରେ ରସ ସର ସର ରସଗୋଲା ଆଉ ଛେନାପୋଡ ଖାଇଲା ବେଳେ କହୁଥିଲା--"ରସଗୋଲା, ଛେନାପୋଡ ହେଲା ଆମ ଜାତୀୟ ଖାଦ୍ୟ। ତାକୁ ନ ଖାଇବା ମାନେ ଆମ ଜାତୀୟତା ବିରୋଧି ହେବା!" ଚିନି ବଦଳରେ ଗୁଡ ବ୍ୟବହାର କରି ସେ ନୂଆ ନୂଆ ଖାଇବା ତିଆରି କରୁଥିଲା। ସେ ପ୍ରଥମେ ମୋତେ ଗୁଡରସ ଦିଆ ରସଗୋଲା, ଗୁଡ ତିଆରି ଛେନାପୋଡ ଖୁଆଇଥିଲା। ଏମିତିକି କେତେ ଥର ଗୁଡ ଚା ଓ ଗୁଡ କଫି ବି କରି ପିଏଇ ଥିଲା।

ସେ ଦିନ ସବୁ କୁଆଡେ ଚାଲିଗଲା? ସତରେ ସେ ସବୁ ଦିନ କୁଆଡେ ହଜିଗଲା?

36 views

Recent Posts

See All
Light

Light

Get Notified of New Posts

Thanks for subscribing!

bottom of page