ଭୁବନେଶ୍ୱର ନିରୁଦ୍ଧିଷ୍ଟା ଜଣେ ରହସ୍ୟମୟୀ ନାରୀ
ତାକୁ ଦେଖିଥିବା ଲୋକେ ମନେ ପକାନ୍ତି ,
ସେ ନିରୀମାଖୀ, ଏକବାରେ ମନୋଇ
ଟିଆପଖିଆ ପଣତ ତାର ଲମ୍ବିଥାଏ ,
ଖଣ୍ଡଗିରିରୁ ଚନ୍ଦକା ଶେଷଯାଏ,
ତା ବୁକୁରେ ମୁହଁ ଗୁଞ୍ଜନ୍ତି , ଡେଉଁଥାନ୍ତି ପଲେ ମାଙ୍କଡ଼ଛୁଆ ।
ଦିନେ ତାକୁ ଖୋଜି ଆସିଥିଲେ କେତେ ସପନ ବଣିକ , ଆଉ କେତେ ଚତୁର୍ମାସିଆ ପ୍ରେମିକ କଥା ଦେଲେ , ରଖିବୁ ମନରେ ସଜେଇବୁ ନିତି, ଅପରୂପ ବଧୂଟିଏ ପରି , ଆନିବୁନି କେବେ ତୋ ସମ୍ମାନରେ ଟିକେ ହେଲେ ଆଞ୍ଚ ।
ସେ ଦିନ ଥିଲା ମଧୁମୟ ଓଲଡ ଟାଉନ ମହାଦେବ ମନ୍ଦିରରେ, ପ୍ରାତଃ ଆରତୀର ଘଣ୍ଟ , ଶଙ୍ଖଧ୍ୱନୀ ଚମ୍ପା ପୁଳର ମହକ ଭିତରୁ ବାରି ହୋଇପଡ଼ୁଥିଲା ତା ଆତ୍ମାର ଅନ୍ତର୍ଧ୍ୱନୀ ।
ଭୁବନେଶ୍ୱର ନିର୍ବାକ ଜଣେ ଆଶାହରା ନାରୀ
ତାକୁ ଚିହ୍ନିଥିବା ପୁରୁଖା କୁହନ୍ତି
ସେ କେମିତି ବୁଝୁବୁଝୁ ବଡ ବିବାଦ, ପ୍ରତିବାଦ
ଆଧୁନିକ ଝଲମଲ ଚାଦରଟିଏ ଘୋଡ଼େଇ ହେଇ
ପାଲଟିଗଲା ରାଜରାସ୍ତାର ବାୟାଣୀଟିଏ ;
ମନକୁ ହସେ , ମନକୁ କାନ୍ଦେ , ଗୁଣୁଗୁଣୁ ଗାଏ
ପୁରୁଣା ଅଭୁଲା ଗୀତ !
ଜନତା ମୈଦାନ କୁଟୀର ଶିଳ୍ପ ବଜାରରେ
କେବେ ମାଷ୍ଟ୍ର କ୍ୟାଣ୍ଟିନ ଗୋଳେଇ ପାଖରେ
ଆଉ କେବେ ଅସ୍ତ ସୂର୍ଯ୍ୟ ସିନ୍ଦୁର ଢାଳୁଥାଏ କୁଆଖାଇ ନଈ ପରେ ।