![](https://static.wixstatic.com/media/8f643e_4040ed73a6f540f4936aa6a87b028fc0~mv2.jpg/v1/fill/w_595,h_676,al_c,q_85,enc_avif,quality_auto/8f643e_4040ed73a6f540f4936aa6a87b028fc0~mv2.jpg)
ଆମ ଆବାସିକ ଭବନରେ ପ୍ରାୟ ଚାଲିଶଟି ପରିବାର ରହୁଛନ୍ତି। ଆମ ସାମ୍ନା ବିଶାଳ ଆବାସିକରେ କିନ୍ତୁ ଦୁଇ ଶହରୁ ଅଧିକ ପରିବାର, ତା ଛଡା ପିଲାଙ୍କ ଖେଳିବା ବଗିଚା, ଔଷଧ ଦୋକାନ, ବିଉଟି ପାର୍ଲର, ଯୋଗ କେନ୍ଦ୍ର, ଶୀତତାପ ନିୟନ୍ତ୍ରିତ ସଉଦା ଦୋକାନ ଇତ୍ୟାଦି। ତେଣୁ ଆମେ ପ୍ରାୟ ଘର ଠିକଣା କହିବା ବେଳେ ସମସ୍ତଙ୍କୁ କହୁ – ସେ ଯୋଉ ବିଶାଳ ଆବାସିକ ଅଛି, ତା ସାମ୍ନା ଛୋଟିଆ ଆବାସିକଟି ହେଲା ଆମର। ହଁ ତ ହାଟ ବଜାର ପୂଜାପର୍ବ ପିଲାଙ୍କୁ ସ୍କୁଲରେ ଛଡା ଅଣା ଭିତରେ ଆମେ ବିଶାଳ ଆବାସିକର ସବୁ ଖବର ଜାଣିଥାଉ।
ଆଜି ସନ୍ଧ୍ୟାରେ ଆମର ପଚପନି ପର୍ବ ମାନେ ପରଚର୍ଚ୍ଚା ପରନିନ୍ଦା ପର୍ବରେ ଆଲୋଚ୍ୟ ବିଷୟ ହେଲା – ଜଣେ ସମ୍ମୋହନ ବିଦ୍ୟା ବିଷାରଦ ଆସି ସେଠି ଡେରା ପକାଇଛନ୍ତି। ତାଙ୍କ ପାଖକୁ ଯିଏ ଯାଉଛି ତାକୁ ସେ କେବଳ ସମ୍ମୋହିତ କରୁନାହାନ୍ତି, ତା ଅବଚେତନ ମନରେ ଚାପି ରହିଥିବା ଦୁଃଖ ଆଉ କ୍ରୋଧକୁ ବି ବାହାର କରିଦେଉଛନ୍ତି। କେହି କେହି ତ ସମ୍ମୋହିତ ଅବସ୍ଥାରେ ପୂର୍ବଜନ୍ମର କଥା ମଧ୍ୟ ମନେ ପକାଇ ପାରୁଛନ୍ତି। କିଏ ପୂର୍ବ ତିନି ଜନ୍ମର କଥା ମନେ ପକାଇ ପାରୁଛି ତ ଆଉ କିଏ ସାତ ଜନ୍ମ ତଳ କଥା କାଲି ଭଳି ମନେ ପକାଇ ପାରୁଛି। ବିଷାରଦଙ୍କ ମତ ଯେ ବହୁ ରୋଗର କାରଣ କେବଳ ଏ ଜନ୍ମର ଭୁଲଭାଲ୍ ଜୀବନଶୈଳୀ ବା ବଂଶାନୁଗତ ଦୋଷ ନୁହେଁ, ପୂର୍ବ ଜନ୍ମର ଅନେକ କର୍ମ ଓ ଅପକର୍ମ। ବେମାରୀର ମୂଳ ଉପାଡିବାକୁ ହେଲେ ପୂର୍ବଜନ୍ମକୁ ଫେରିଯାଇ ଶକ୍ତ ମୂଳସବୁ ଉପାଡି ବାହାର କରି ଫିଙ୍ଗିଦେବାକୁ ପଡିବ। ୟେ ବିଷୟଟା ଆମକୁ ଏତେ ପ୍ରଭାବିତ କଲାଯେ ଆମେ ସେଦିନ କିଏ କାହା ବାଳ ଗୋଲାପି ରଙ୍ଗରେ ରଙ୍ଗେଇଲା, କିଏ କାହା ଶାଶୁଶଶୂରଙ୍କ ଆଗରେ ଏକୋଇଶିଆ ମାପର ଜାମା ପିନ୍ଧିଲା, କିଏ ନକଲି ସୁନାହାରକୁ ସୁନା ବୋଲି ସ୍ୱାମୀ ବିବାହ ବାର୍ଷିକୀରେ ଦେଇଛନ୍ତି କହି ଫୁଲେଇ ହେଲା, କିଏ ନିଜ ବୟସକୁ ଏତେ କମ୍ କରି କହିଲା ଯେ ହିସାବ କଲେ ତାର କୋଡିଏ ବର୍ଷର ପୁଅ ତାକୁ ଆଠ ବର୍ଷ ହେଲା ବେଳେ ଜନ୍ମ ହେଇଥିବା ଜଣାଗଲା, କିଏ ଦିନରାତି ନଖାଇ ତିନିମାସ ଭିତରେ ଜଳହସ୍ତୀରୁ ରାଜହଂସୀରେ ରୂପାନ୍ତରିତ ହେଲା ଏସବୁ କଥା ଆଦୌ ଆଲୋଚନା କଲୁନାହୁଁ!
ମୁଁ ଘରେ ଆସି ୟାଙ୍କୁ କହିଲି, “ଆସନ୍ତା ରବିବାର ସନ୍ଧ୍ୟାରେ ତୁମର କଣ କାମ ଅଛି କି?”
“କାହିଁକି?” ମୁହଁକୁ ଦୂରଦର୍ଶନ ପରଦାରୁ ନ ଆଣି ସେ ଉତ୍ତର ଦେଲେ।
“ନାଁ, ମୋ ସାଙ୍ଗରେ ଟିକେ ଯାଇଥାଆନ୍ତ।”
“କୋଉଠିକି?”
ମୁଁ ଟିକେ ଚୁପ୍ ରହିକି କହିଲି, “ନାଇଁ, ଏଇ ବିଶାଳ ଆବାସିକକୁ । ଘଣ୍ଟେ ପାଇଁ।”
ସେ ମୋତେ ଅନାଇଲେ ଯେମିତି ମୋ ସହ ତାଙ୍କର ସେଠିକି ଯିବା କଣ ଦରକାର ଜାଣିବାକୁ ଚାହୁଁଥିଲେ।
“ସେଠିକି ଜଣେ ସମ୍ମୋହନ ବିଷାରଦ ଆସିଛନ୍ତି। ସେ ଲୋକଙ୍କୁ ସମ୍ମୋହିତ କରି ଯେତେ ପୁରୁଣା ରୋଗ ହେଉ ଭଲ କରିଦେଉଛନ୍ତି।”
“ହଁ ତ ତୁମକୁ କି ରୋଗ ହେଇଛି?”
“ମୋ ମୁଣ୍ଡଟା ତ ସବୁବେଳେ କଅଣ ହଉଛି,” ମୁଁ ଯନ୍ତ୍ରଣା ଜର୍ଜରିତ ସ୍ୱରରେ କହିଲି।
“ଦି ମାସ ତଳେ ତ ସବୁ ପରୀକ୍ଷା ହେଇଥିଲା। ଡାକ୍ତର କହିଲେ ଅର୍ଦ୍ଧକପାଳୀ ଧରୁଛି, ରକ୍ତଚାପ ତଳଉପର ହେଉଛି। ତିନିମାସ ପାଇଁ ଔଷଧ ଦେଇଛନ୍ତି। ଔଷଧ ଖାଇବାକୁ ଭୁଲିଯିବ। ପ୍ରାଣାୟମ କରିବାକୁ କହିଥିଲେ, କରୁଛ? ସବୁଦିନେ ଅଧଘଣ୍ଟା ଧ୍ୟାନ କରିବାକୁ କହିଥିଲେ, କରୁଛ? ଖାଲି ୟାଡୁସ୍ୟାଡୁ ଚିନ୍ତା ମୁଣ୍ଡରେ ପୂରେକି କହିବେ କଣ ନା ମୋ ମୁଣ୍ଡ କଣ ହଉଛି! ମାନୁଛି ଗତ ଦିବର୍ଷ ବହୁତ କଷ୍ଟ ସମୟ ଥିଲା। ତୁମେ ସେ ଅବସାଦରୁ ମୁକୁଳି ପାରିନ। ହେଲେ ଯାହା ଘଟିଲା ଘଟିଲା, ତାକୁ ନେଇକି ଭାଳି ହେଲେ କଣ ହେବ?”
“ଯଦି ଔଷଧରେ ସବୁ ଠିକ୍ ହେଇ ଯାଉଥାଆନ୍ତା, ତା ହେଲେ ଧ୍ୟାନ କରିବାକୁ କାହିଁକି ପରାମର୍ଶ ଦେଲେ? ସମ୍ମୋହନ ଚିକିତ୍ସା ବି ତ ସେୟା କହୁଛି। ଗଭୀର ଧ୍ୟାନ ଅବସ୍ଥାରେ ଅବଚେତନରୁ ସବୁ ଦୁଃଶ୍ଚିନ୍ତା ଦୂର କରି ଦେବେ। ଆଉ ଔଷଧ ଖାଇବା ଦରକାର ପଡିବନି।”
“କେତେ ଟଙ୍କା ଏଥିରେ ଶ୍ରାଦ୍ଧ ହେବ ଟିକେ କୁହ?”
“ଦଶ ହଜାର ଟଙ୍କା।”
“କିଛି ଟଙ୍କା ଏମିତି ପାଣିକୁ ଫୋପାଡିଲେ ତୁମ ମୁଣ୍ଡ ଠିକ୍ ହେଇଯାଏ।”
“ମୁଁ ଦି ବର୍ଷ ହେଲାଣି ଗୋଟେ ଶାଢୀ କିଣିଛି?”
“ମୁଁ ଶାଢୀ କିଣିବାକୁ ତୁମକୁ ମନା କରିଛି? ତୁମେ ତ ନିଜେ କହିଲ ଦି ବର୍ଷ ତ ବିକ୍ରିବଟା ବନ୍ଦ ଥିଲା। ପୁରୁଣା ମାଲ୍ ସବୁ ଖଲାସ କରିବେ। ମୁଁ ଏବେ କିଣିବିନି।”
“ହଁ, ମୁଁ କହିଥିଲି, ସେଇଠୁ କଣ ହେଲା? ତୁମେ ଥରେ କହିଲ କି, କୋଉଟା ନୂଆ ଶାଢୀ ଆଉ କୋଉ ଶାଢୀଟା ପୁରୁଣା କଣ ମୁଁ ଦେଖିକି ଜାଣି ପାରିବିନି? ତୁମେ କଣ ଉତ୍ସାହିତ କଲ କି?”
“ତୁମେ ଯେକୌଣସି ରେଶମ ଶାଢୀ ଦେଖିକି ଖାଲି ସେ ଶାଢୀର ବୟସ ନୁହେଁ ସେ ଶାଢୀ ଯୋଉ ଏଣ୍ଡିପୋକରେ ତିଆରି ତା ବୟସ ବି ଜାଣିପାର।” ସେ ମୁରୁକି ହସି କହିଲେ।
ମୋତେ ବି ହସ ମାଡୁଥିଲା, କିନ୍ତୁ ହସିଲେ କାମ ହେବନି। ମୁଁ କିଛି ସମୟ ଚୁପ୍ ରହି କହିଲି, “ତୁମେ ଚାହୁଁନ ମୁଁ ଭଲ ହେଇଯାଏ।”
ଏଥର ସେ ବିରକ୍ତ ହେଇ କହିଲେ, “ନାଁ, ମୁଁ ଚାହୁଁନି। ଡାକ୍ତରଙ୍କ ପରାମର୍ଶ ତ ଆମେ ନେଉଛେ। ତୁମେ ସାତ ଦିନ ଧ୍ୟାନ ଶିବିରକୁ ଗଲ, ମୁଁ ଘର ଆଉ ପିଲାଙ୍କୁ ସମ୍ଭାଳିଲି କି ନାହିଁ? ଯେତେବେଳେ ତୁମ ମୁଣ୍ଡକୁ ଯାହା ଆସିବ ତା କରିବ ନା କଣ? ତୁମକୁ ଯାହା ଭଲ ଲାଗେ କରୁନ। ଦି ବର୍ଷ ସିନା ସବୁ ବନ୍ଦ ଥିଲା। ଏବେ ଚିତ୍ର ପ୍ରଦର୍ଶନୀ କର, କର୍ମଶାଳା କର। ନାଇଁ ସେସବୁ କାହିଁକି କରିବ?”
“ମୋ ଟଙ୍କା ମୁଁ ଯେମିତି ଖର୍ଚ୍ଚ କଲି।” ମୁଁ ମୁହଁ ଫୁଲେଇ କହିଲି।
“ଟଙ୍କା ମୋର ହେଉ କି ତୁମର ହେଉ କି ଆଉ କାହାର ହେଉ, ଟଙ୍କା ଉଚିତ୍ କାମରେ ଲାଗିବା ଦରକାର। ବାଜେ ଖର୍ଚ୍ଚ ଗୋଟେ ପ୍ରକାର ଅପରାଧ।” ସେ ନିଜର ଅତି ପ୍ରିୟ ବିଷୟରେ ଭାଷଣ ଆରମ୍ଭ କରିବାକୁ ଯାଉ ଯାଉ ମୁଁ କହିଲି, “ମୁଁ ଅପରାଧୀ ନୁହେଁ ଆଉ କଣ? ଗୋଟେ ନୂଆ କଥା ପାଇଁ କୌତୁହୂଳୀ ହେଲି। କିଛି ନ ହେଲେ ଗୋଟେ ଅଭିଜ୍ଞତା ତ ହେବ। ନାଇଁଇଁଇଁଇଁ! ଛାଡ, ତୁମକୁ ବୁଝେଇକି କିଛି ଲାଭ ନାହିଁ। ତୁମ ଭଳି ଜଣକ ପାଖରେ ବର୍ଷ ବର୍ଷ ରହିଲେ ଯେକୌଣସି ମଣିଷର ମୁଣ୍ଡ କଅଣ ହେବ ହିଁ ହେବ।”
“ଜାଣିଛ ତ ମୋ ସହ ରହିବାରୁ ମୁଣ୍ଡ କଣ ହେଉଛି। ଆଉ ସେଠିକି ଯାଇ ଅଧିକ କଣ ଜାଣିବ?” ସେ ଜୋର୍ ହସି କହିଲେ, “ମୋ ସହ କେମିତି ରହିବାକୁ ପଡିବନି ବରଂ ସେ ବାଟ ଖୋଜ।”
ମୁଁ ଆଉ କିଛି ନ କହି ଚୁପ୍ ରହିଲି ଏବଂ ରବିବାର ସନ୍ଧ୍ୟା ପର୍ଯ୍ୟନ୍ତ ମାନେ ମଝିରେ ଦୁଇଦିନ ମଧ୍ୟ ଚୁପ୍ ରହିବି ବୋଲି ସ୍ଥିର କଲି। ଯାହା ଫଳରେ ରବିବାର ସେ ମୋ ସହ ଆଉ କୌଣସି ପ୍ରତିବାଦ ନକରି ବାହାରିଲେ।
“ଘଣ୍ଟେ ସମ୍ମୋହନ ଅବସ୍ଥାରେ ରହିବା ପରେ ମୁଁ କାଳେ ଭାରସାମ୍ୟ ରଖି ପାରିବିନି, ସେଥିପାଇଁ ତୁମକୁ ସାଙ୍ଗରେ ଆଣିଛି ନା। ତୁମେ ଅପେକ୍ଷା କରିକି ବସ।”
ମୁଁ ଭିତରକୁ ପଶିଲି, କୋଠରୀଟିରେ ଝାପସା ଆଲୁଅ। ପଚିଶ ଛବିଶ ବର୍ଷର ପିଲାଟେ ଉପରେ ଆଖି ପଡିଲା। ତା ଆଖି ଦୁଇଟି ଶାନ୍ତ, ମୁହଁରେ ଅଳ୍ପ ଅଳ୍ପ ଦାଢି, ଦକ୍ଷିଣୀ ସିନେମାର ନାୟକଙ୍କ ଭଳି ଗୋଟେ ଆକର୍ଷଣୀୟ ଉପସ୍ଥିତି ଥିଲା। ମୋତେ ଗୋଟେ ବିଶେଷ ଗଦି ଉପରେ ଶୋଇବାକୁ କହିଲା ଓ ମୋ ସହ କେହି ଆସିଛନ୍ତି କି ନାହିଁ ପଚାରିଲା। ମୁଁ ହଁ କହିଲି।
“ମୁଁ ଆପଣଙ୍କୁ ଧୀରେ ଧୀରେ ଜାଗ୍ରତ ଅବସ୍ଥାରୁ ସୁପ୍ତ ଅବସ୍ଥାକୁ ନେଇଯିବି। ସେ ଗଭୀର ସମ୍ମୋହିତ ଅବସ୍ଥାରେ ସ୍ୱପ୍ନ ପରି ଆପଣଙ୍କ ମନକୁ ବହୁତ ଛବି ଆସିପାରେ। ସେସବୁ ମଧ୍ୟରୁ ହୁଏତ କିଛି ଈଙ୍ଗିତଧର୍ମୀ। ଆପଣ ଯେତେ ପାରିପାର୍ଶ୍ୱିକ ଅବସ୍ଥାକୁ ଅଜ୍ଞାତ କରି ଅବଚେତନରେ ରହିବେ, ଆପଣଙ୍କୁ ସେତେ ଉପଶମ ମିଳିବ। ମୁଁ ମଝିରେ ମଝିରେ ଆପଣଙ୍କୁ ପ୍ରଶ୍ନ ପଚାରିବି, ଆପଣ ଉତ୍ତର ଦେବେ।”
ମୁଁ ହଉ କହିଲି।
-ଏବେ ଆପଣ ଚେତନାର ଗଭୀରତମ ସ୍ତରକୁ ଯିବା ପରି ଅନୁଭବ କରନ୍ତୁ। ଆପଣଙ୍କର କେବେ କାହାକୁ ହତ୍ୟା କରିବାକୁ ମନ ହେଇଛି?
-କାହାକୁ କାହିଁକି ହତ୍ୟା କରିବାକୁ ମନ ହେବ? କି ଅଦ୍ଭୁତ ପ୍ରଶ୍ନ!
- କେବେ କାହାକୁ ଜୀବନରୁ ମାରିବାକୁ ଇଚ୍ଛା ହେଇଛି କୁହନ୍ତୁ।
-ନାଁ, କାହାକୁ କେବେ ମାରିବାକୁ ଇଚ୍ଛା ହେଇନି।
-ଆପଣ କେବେ ଚାହିଁଛନ୍ତି କିଏ ମରିଯାଉ?
ପିଲାଟି ବାରମ୍ବାର ଏଇ ପ୍ରଶ୍ନଟି ପଚାରିଲାରୁ ମୋତେ ଭାରି ଚିଡା ମାଡିଲା। ମୁଁ କହିଲି, “ମୁଁ କଣ ଯମ, ମୋ ଚାହିଁବା ନ ଚାହିଁବାରେ କିଏ ମରିବ?
-ମନ ଉପରେ ଟିକେ ଚାପ ଦିଅନ୍ତୁ। ଭାବି ଦେଖନ୍ତୁ, କିଏ ମରିବାକୁ ଚାହୁଁଛନ୍ତି? ବନ୍ଧୁବାନ୍ଧବ ଜ୍ଞାତିକୁଟୁମ୍ବ ଚିହ୍ନାଜଣାଙ୍କ ଭିତରେ ଏମିତି କେହି ନାହାନ୍ତି ଯାହାର ମରିବା ଆପଣ ଚାହୁଁଛନ୍ତି?
-ହଁ, ବନ୍ଧୁବାନ୍ଧବଙ୍କ ଭିତରୁ ବୃଦ୍ଧ ଜରଦଗବ ଜରଦଗବା ଗୋଟେ ଅଧେଙ୍କର ସ୍ୱାଭାବିକ ମୃତ୍ୟୁ ହେଲେ ମୁଁ ଆଦୌ ମନ ଦୁଃଖ କରିବିନି।
-ସେମାନେ କଣ କଲେ?
-ମୋର କେହି କିଛି କରିନାହାନ୍ତି। ଅତି କଦର୍ଯ୍ୟ ବିରକ୍ତିକର ଲୋକଗୁଡାକ। ଯେତେ ବୟସ ହେଲେ ବି ସେମାନଙ୍କର ଚେତନାର ଉତ୍ତରଣ ଘଟିବନି।
ସେ ଏମିତି ସବୁ ପ୍ରଶ୍ନ ପଚାରି ଚାଲିଲା; ପିଲାଦିନ କଥା, ସାଙ୍ଗସାଥି କଥା ଆଉ ଜୀବନ କେମିତି ଚାଳିଛି ପଚାରୁ ପଚାରୁ ସେ ହଠାତ୍ ପଚାରିଲା - ମନେ ପକାନ୍ତୁ ଆପଣ ପୂର୍ବଜନ୍ମରେ କିଏ ଥିଲେ?
ଇଏ ଆମର ସକାଳୁ ମଧୁବାଳା କିଶୋର କୁମାର ପୁରୁଣା ଶୁଣୁଥିଲେ। ସେଥିପାଇଁ କି କଣ ପାଇଁ କେଜାଣି ସେଇ ମୁହୂର୍ତ୍ତରେ ମୋ ମନରେ ମଧୁବାଳାଙ୍କ ଛବି ନାଚି ଉଠିଲା। ମନ ଭିତରଟା ଏକାବେଳେକେ ମଧୁବାଳା ମଧୁବାଳା ହେଇଗଲା। ମୁଁ ଚଟ୍ କିନା କହିଲି—“ମଧୁବାଳା ଥିଲି।”
- ଆହୁରି ଭଲରେ ମନେ ପକାନ୍ତୁ?
- ମନେ ପକାଇ କହୁଛି ପରା ମଧୁବାଳା ଥିଲି।
-ମନେ ପକାନ୍ତୁ କଣ କରୁଥିଲେ?
-ଭଲ ଆଉ, ଏଇଟା ଗୋଟେ ପଚାରିବା କଥା? ଗାଉ ଥିଲି, ନାଚୁ ଥିଲି, ଅଭିନୟ କରୁଥିଲି। ଆଉ କଣ କରୁଥିଲି?
-ଆଚ୍ଛା ତାହେଲେ ଆପଣ ଆର ଜନ୍ମରେ କିଏ ହେଇ ଜନ୍ମ ହେବାକୁ ଚାହିଁବେ?
-ପୁଣି ଆଉ ଗୋଟେ ଜନ୍ମ? ଭାବିଲେ ମୋ ମୁଣ୍ଡ କଅଣ ହେଉଯାଉଛି। ସ୍ନେହ ମମତାର ମଳିଚମ ତଳେ ଯୋଉ ସ୍ୱାର୍ଥପରତା, ଯୋଉ ଅସୂୟା ହୀନିମାନିଆ ଭାବ, ମଣିଷ କେମିତି ନିଜ ଦାୟିତ୍ୱ ସାରି ଏଠୁ ଗଲେ ବି କଣ ଶାନ୍ତି ନାହିଁ? ପୁଣି ଆଉ ଗୋଟେ ଜନ୍ମ !”
ଏଥର ପିଲାଟି ମୋ ମୁଣ୍ଡରେ ତିନିଥର ହାତ ବୁଲାଇ ଆଣି କହିଲା – ଆପଣ ଧୀରେ ଧୀରେ ସ୍ୱାଭାବିକ ଅବସ୍ଥାକୁ ଆସନ୍ତୁ, ଆଖି ଖୋଲନ୍ତୁ।
ମୁଁ ଆଖି ଖୋଲି ଉଠି ବସିଲି ଆଉ ସାଙ୍ଗେ ସାଙ୍ଗେ ପଚାରିଲି – ଆଚ୍ଛା, ମୁଁ ପୂର୍ବଜନ୍ମରେ ମଧୁବାଳା ହେଇଥିବା କଣ ଅସମ୍ଭବ?”
“ଆଦୌ ଅସମ୍ଭବ ନୁହେଁ,” ପିଲାକି ସ୍ମିତ ହସି କହିଲା, “ଆପଣଙ୍କ ସହ ଯିଏ ଆସିଛନ୍ତି ତାଙ୍କୁ ଟିକେ ଭିତରକୁ ପଠାନ୍ତୁ, କଥା ଅଛି।”
ମୁଁ ୟାଙ୍କୁ ଭିତରକୁ ଯିବାକୁ କହି ବାହାରେ ଅପେକ୍ଷା କଲି। ପାଞ୍ଚ ମିନିଟ୍ ଖଣ୍ଡେ ପରେ ଇଏ ବାହାରକୁ ଆସିଲେ। ମୁଁ ପଚାରିଲି, “କଣ କହିଲା?”
“କହିଲା ତୁମେ ଅବସାଦରେ ଅଛ। ଆଉ ଚାରି ପାଞ୍ଚ ଥର ଆସିଲେ ତୁମକୁ ଉପକାର ମିଳିବ।” ଇଏ ମୋ ଗୋଡ ଟାଣିଲା ଭଳି କହିଲେ, “ଆସ, ଆସ, ତୁମର ବହୁତ ଅଭିଜ୍ଞତା ହେବ।”
“ଆଉ ଆସିବା ଦରକାର ନାହିଁ ମ। ମୁଁ ଯାହା ଜାଣିବାକୁ ଚାହୁଁଥିଲି ଜାଣିଗଲି।”
“କଣ?”
“ମୁଁ ପା ପୂର୍ବଜନ୍ମରେ ମଧୁବାଳା ଥିଲି,” ମୁଁ ଦୁଷ୍ଟ ହସଟେ ଦେଇ କହିଲି।
“ଓଃ, ତାହେଲେ ମୁଁ ନିଶ୍ଚୟ କିଶୋର କୁମାର ଥିବି!” ଇଏ ହସି ହସି କହିଲେ।
“ମାନେ ମୁଁ ମରିଗଲେ ତୁମେ ଆଉ ଦିଟା ବାହା ହେବ?” ମୁଁ ଆଖି ବଡ ବଡ କରି କହିଲି।
ସେ ଆହୁରି ଜୋରରେ ହସିବାକୁ ଲାଗିଲେ।
ମୁଁ ମୁହଁ ଫୁଲେଇ ମୁଣ୍ଡରେ ଦୁଇହାତ ଚାପି କହିଲି, “ମୋ ମୁଣ୍ଡଟା କଅଣ ହେଇଯାଉଛି।”
~