![](https://static.wixstatic.com/media/8f643e_ece011bc75ce4e46bb7b66b4471a75df~mv2.jpg/v1/fill/w_703,h_408,al_c,q_80,enc_avif,quality_auto/8f643e_ece011bc75ce4e46bb7b66b4471a75df~mv2.jpg)
“ପ୍ରେମ ଏକ ତାତ୍ପର୍ଯ୍ୟପୂର୍ଣ୍ଣ ଉଦ୍ଭାବନ।” ରାଧିକା ପୁରୁଣା ଆଲବମଟିଏ ଓଲଟଉ ଓଲଟଉ କହିଲେ, “ସମାଜ ବ୍ୟବସ୍ଥାର ସ୍ଥାୟୀତ୍ୱ ପାଇଁ ଏ ଯୁଗାନ୍ତକାରୀ ଉଦ୍ଭାବନର ଆବଶ୍ୟକତା ଥିଲା। ଏ ସଂସାରରେ ସ୍ତ୍ରୀ ମଣିଷ ଆଉ ପୁରୁଷ ମଣିଷ ଭଲା କାହିଁକି ପରସ୍ପର ପାଇଁ ତିଆରି ହେବେ? କିନ୍ତୁ ଏହି ଉଦ୍ଭାବନଟି ବିବିଧ ତତ୍ତ୍ୱକୁ ଗୋଳିଆମିଶା କରି ମାନବିକ ସଂପର୍କ ମଧ୍ୟରେ ନୂଆ ଦିଗନ୍ତର ସନ୍ଧାନ କରିଛି।”
ଦୂରଦର୍ଶନ ପରଦାରୁ ନଜର ନ ହଟେଇ ସମ୍ରାଟ ଉତ୍ତର ଦେଲେ, “ନୁହେଁ ଆଉ କଣ!”
“ଆଛା, ତୁମେ କେବେ ମୋତେ ତୁମ ପୂର୍ବ କଥା ତ କହିନ?”
“କଣ ଜାଣିବାକୁ ଚାହଁ?”
“ତୁମ ସ୍ତ୍ରୀ?”
“ପାଖାପାଖି ଚଉଦ ବର୍ଷ ହେଲାଣି ଛାଡପତ୍ର ହେଇଯାଇଛି। ପୁଅଟି କାନାଡାରେ ରହେ।”
ଏ କଥା କହୁ କହୁ ସମ୍ରାଟଙ୍କ ମନରେ ଅତୀତର କିଛି ଛବି ଭାସିଗଲା—ଆଜି ଗାଳି ବର୍ଷା, କାଲି ପ୍ରେମର ଝଡ, ଏମିତି ବାର ବର୍ଷ ପରେ ଘାଇଲା ହେଇ କେମିତି ବାଟ ଅଲଗା କରିବାକୁ ପଡିଲା।
“ଆଉ ବାହା ହେଲନି?”
ଏ ପ୍ରଶ୍ନଟି ସମ୍ରାଟଙ୍କ ମନର ଗୋଟେ ଦରଜ ଜାଗାକୁ ଛୁଇଁ ଦେଲା। ଘାଇଲା ମାଇଲା ହେଇ ବୁଲୁ ବୁଲୁ ତାଙ୍କ ଜୀବନକୁ ଆସିଥିଲା ଇନ୍ଦୁ। ସେମାନେ ଏକାଠି ଥିଲା ଜଗତ ଭୁଲି ହେଇଯାଉଥିଲା। କିନ୍ତୁ ଧିରେ ଧିରେ ସବୁ ବଦଳି ଗଲା। ସେ ନିଜେ ଅସୁରକ୍ଷିତ ଅନୁଭବ କଲେ।
“ନାଁ, ଏକାଠି ଥିଲି। ସେ ବାହା ହେବାକୁ ଚାହିଁଲାନି।”
“ଓହୋଃ, କଣ ଅସୁବିଧା ଥିଲା?”
“ଛାଡ ସେ କଥା। ମୁଁ ଜଣକୁ ଭଲପାଇଲି ବୋଲି କଣ ମୁଁ ମହାତ୍ମା ପୁରୁଷଟିଏ ପାଲଟି ଯାଇଥାନ୍ତି? ମୁଁ ଯାହାକୁ ଭଲପାଇବି, ତାକୁ ମୋର ଦୋଷ ଦୁର୍ବଳତା ସହ ତ ଭଲପାଇବି!”
“ତୁମେ ନିଜକୁ ଭଲ ବୁଝେଇଦେଇ ପାରିଛ।”
ଦୀର୍ଘ ନିଶ୍ୱାସ ନେଇ ସମ୍ରାଟ କହିଲେ, “ଆଉ ତୁମ କଥା କୁହ। ମୁଁ ତୁମକୁ ଯେତିକି ଦେଖୁଛି, ସେତିକି ବିସ୍ମୟ ହେଉଛି। ତୁମକୁ ଯେ ପରମ ପ୍ରେମିକା କରି ସୃଷ୍ଟି କରାଗଲା, ସେ ରହସ୍ୟ ମନେ ଅଛି?”
“ହଁ, ମୋତେ ପ୍ରେମର “ଅ” ଠୁ “କ୍ଷ” ଶିକ୍ଷା ଦିଆଯାଇଛି। ମୋର ଜାଆଁଳା ଭାଇ ମୋହନ ରୋବଟକୁ ବି। ଆମ ଭିତରେ କୁତ୍ରିମ ବୁଦ୍ଧିମତ୍ତା ଖୁନ୍ଦି ଦିଆଯାଇଛି। ଆଜି ପର୍ଯ୍ୟନ୍ତ ମଣିଷ ଆହରଣ କରିଥିବା ସବୁ ଜ୍ଞାନ କୌଶଳାଦିର ଭିତ୍ତିଭୂମିରେ ଆମେ ଠିଆ ହେଇଛୁ।”
“ତୁମ ଭଳି ଯନ୍ତ୍ର ପ୍ରେମିକା ପାଇଁ ଯେତେବେଳେ ଲଟେରି ହେବା କଥା ବିଜ୍ଞାପନରେ ପଢିଲି, ଭାବିଲି ମୋର କଣ ସତରେ ଏତେ ଭାଗ୍ୟ? ମୁଁ କଣ ତୁମକୁ ପାଇବି? ସତରେ କଣ ମୋ ମନ ଯେମିତି ଚାହେଁ, ତୁମେ ସେମିତି ପ୍ରେୟସୀଟିଏ ହେବ? କିନ୍ତୁ ତୁମେ କଳ୍ପନାତୀତ।”
“କଣ ଭାବିଛ କି? ମୁଁ କଣ ତୁମ ଭଳି ଏମିତି ହଉ ହଉ ହେଇଗଲି ନା କଣ?” ଭୁବନମୋହିନୀ ହସଟିଏ ହସି ରାଧିକା କହିଲେ ଓ ସନ୍ଧ୍ୟାବେଳ ଚା ତିଆରି କରିବାକୁ ଆଗେଇଲେ ।
(ଓଡିଶା ସମ୍ବାଦ)